ଚୋରା ମୋରମରେ ଚାଲିଛି ରେଳପଥ ସଂପ୍ରସାରଣ!

କଳିଙ୍ଗନଗର : ଚୋରା ମୋରମରେ ଚାଲିଛି ଯଖପୁରା-ବାଂଶପାଣି ଦ୍ୱିତୀୟ ରେଳପଥ ସଂପ୍ରସାରଣ କାର୍ଯ୍ୟ । ଏଭଳି ଗୁରୁତର ଅଭିଯୋଗ ସ୍ଥାନୀୟ ଅଂଚଳରୁ ହୋଇଛି । କିନ୍ତୁ ଆଶ୍ଚର୍ଯ୍ୟର ରେଳପଥ କାର୍ଯ୍ୟରେ ଚୋରା ମୋରମ ଲାଗୁଥିବା ବେଳେ ଖଣି ବିଭାଗ, ରାଜସ୍ୱ କି ପୁଲିିସ ଖୋଳତାଡ଼ କରିବାକୁ ମନ ବଳାଉ ନାହାନ୍ତି । ଯାହା ରେଳପଥ ସଂପ୍ରସାରଣ କାର୍ଯ୍ୟ ହାତେଇଥିବା ଠିକାଦାରଙ୍କୁ ଏହା ବେଶ ସୁହାଉଛି । ବେଫିକର ହୋଇ ଠିକାଦାର ରାତିଯାକ ଚୋରା ମୋରବ ବୋହି ଭିସା ଷ୍ଟିଲ୍- ଜିନ୍ଦଲ କାରଖାନା ପାଖ ତେଲିବାହାଳି ନିକଟରେ ଚାଲିଥିବା ରେଳପଥରେ ପକାଇବାରେ ଲାଗିଛନ୍ତି । ଯାହା ଅଭିଯୋଗ ଆସୁଛି ଶହଶହ ଟ୍ରିପ ମୋରମ ମାଣତିରା ରାଜସ୍ୱ ସର୍କଲରୁ ହିଁ ଲୁଟ୍ ହୋଇ ଆସୁଛି । ମୋରମ ଲୁଟ ପଛରେ ଶାସକ ଦଳର କିଛି ବଡ଼ପଣ୍ଡାଙ୍କ ସହଯୋଗ ରହିଥିବାରୁ ଠିକାଦାର ଅନାଶୟରେ ବେଆଇନ କାର୍ଯ୍ୟ କରିଚାଲିଛନ୍ତି । ସଂପୃକ୍ତ ଜଖପୁରା-ବାଂଶପାଣି ରେଳପଥର ଦ୍ୱିତୀୟ ଲାଇନ ସମ୍ପ୍ରସାରଣ କାର୍ଯ୍ୟ ଠିକା ସଂସ୍ଥା ପି.କେ.ମିଶ୍ର କରୁଥିବା ବେଳେ ଆରମ୍ଭରୁ ହିଁ ଚୋରା କଂଚାମାଲରେ କାର୍ଯ୍ୟ କରିଚାଲିଥିବାର ଅଭିଯୋଗ ହୋଇଆସୁୂଛି । ଆଇନତ ମାଟି ହେଉ କି ମୋରମ ରାଜସ୍ୱ ପଇଠ କରି ଆଣିବାର ନିୟମରହିଥିବା ବେଳେ ଠିକାଦାର କିନ୍ତୁ ଏହାକୁ ଏଡ଼େଇ ଯାଇଛନ୍ତି । ଠିକାଦାରଙ୍କ ସହ ସମ୍ଭବତ ସଲାସୁତୁରା କାରଣରୁ ଲଘୁ ଖଣି ବିଭାଗ, ତହସିଲ୍ , ଲଘୁ ଖଣିଜ ସ୍କ୍ୱାର୍ଡ ଓ ସ୍ଥାନୀୟ ପୁଲିସ ଏହି ଲୁଟ ସମ୍ପର୍କରେ ନୀରବ ରହି ଆସିଛନ୍ତି । ରେଳ ବିଭାଗ କିଭଳି ଏହାକୁ ପ୍ରସୟ ଦେଉଛି, ତାହା ବିରାଟବଡ଼ ପ୍ରଶ୍ନସୃଷ୍ଟି କରିଛି ।