ଛପର ଘରେ ବିତୁଛି ଜୀବନ ଆବାସ ଅପେକ୍ଷାରେ ସୁବଳଙ୍କ ପରିବାର

ଛପର ଘରେ ବିତୁଛି ଜୀବନ ଆବାସ ଅପେକ୍ଷାରେ ସୁବଳଙ୍କ ପରିବାର

କବାଟବନ୍ଧ : କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଅସହାୟ, ଦରିଦ୍ର ଶ୍ରେଣୀର ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଉଥିବା ବେଳେ କେଉଁଠି ନାଁ କେଉଁଠି ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ବାଦ ପଡୁଛନ୍ତି ଯୋଗ୍ୟ ହିତାଧିକାରୀ । ଯୋଜନା ଗରିବଙ୍କ ପାଖରେ କେତେଦୂର ପହଞ୍ଚି ପାରୁଛି ତାହା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ଦଦରା ମାଟିଘରେ ବିପଦପୂର୍ଣ୍ଣ ଅବସ୍ଥାରେ ରହି ଆସୁଛନ୍ତି । ତଥାପି ଏଭଳି ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇନାହିଁ । ଧର୍ମଶାଳା ବ୍ଲକ ଅନ୍ତର୍ଗତ ତାଳଜଙ୍ଗ ପଞ୍ଚାୟତ ତାଳଜଙ୍ଗ ୪ ନମ୍ବର ୱାର୍ଡର ବଟକୃଷ୍ଣ ଓଝାଙ୍କ ପୁତ୍ର ସୁବଳ (୫୧)ଙ୍କ ପରିବାର ହେଉଛନ୍ତି ଏହାର ଏକ ଉଦାହରଣ । ଯିଏକି ଆବାସ ଯୋଜନାରୁ ବଞ୍ଚିତ । ପରିବାର କହିଲେ ସ୍ତ୍ରୀ ଏବଂ ଦୁଇ ପୁଅଙ୍କୁ ନେଇ ସୁବଳଙ୍କ ପରିବାର । ସୁବଳ ଜଣେ ଦିନ ମଜୁରିଆ । ମୂଲ ମଜୁରିକରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଅର୍ଥ ଅଭାବ ଯୋଗୁ ଘର ଖଣ୍ଡକ ଠିକ ଭାବରେ ମରାମତି କରିବା ତାଙ୍କ ପକ୍ଷରେ ସମ୍ଭବ ହେଉନଥିବା ବେଳେ କାନ୍ଥ ମଧ୍ୟ ଦୁର୍ବଳ ହେବାରେ ଲାଗିଛି । ସରକାରୀ ସାହାଯ୍ୟ କହିଲେ ଜାତୀୟ ଖାଦ୍ୟ ସୁରକ୍ଷାରେ ମୁଣ୍ଡପିଛା ୫ କିଲୋ ଚାଉଳ । ଛୁଆଙ୍କ ପାଠପଢା ଖର୍ଚ୍ଚସାଙ୍ଗକୁ ସେଥିରେ ଅନ୍ୟାନ୍ୟ ଖର୍ଚ୍ଚ, ପକା ଘର ଖଣ୍ଡେ କରିବା ଆମ ପାଖରେ ଅସମ୍ଭବ । ଆବାସ ଯୋଜନାରେ ସାମିଲ କରି ଘରଟିଏ ଦେବାପାଇଁ ପୂର୍ବରୁ ବହୁବାର ପଞ୍ଚାୟତ ଜନପ୍ରତିନିଧି, ପଞ୍ଚାୟତ ଅଧିକାରୀଙ୍କ ନିକଟରେ ଗୁହାରି କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପ୍ରଶାସନ ତୁରନ୍ତଆବାସ ଗୃହ ଯୋଗାଇଦେବା ପାଇଁ ଗୁହାରୀ କରିଛନ୍ତି ପରିବାର ଲୋକେ ।