ଜମିଥିବା ପରିବାରଙ୍କୁ ଭୂମିହୀନ ଦର୍ଶାଇ ପଟ୍ଟା ହଡ଼ପ୍
ରାଜନଗର: ରାଜନଗର ତହସିଲରେ ସରକାରୀ ଜମି ହଡପ ହୋଇଥିବା ଗୁମର ଖୋଲିବାରେ ଲାଗିଛି । ଜମିବାଡି ଥିବା ଲୋକମାନେ ଏକାନ୍ନବର୍ତୀ ପରିବାରରେ ଥାଇ ନିଜକୁ ଭୂମିହୀନ ଦର୍ଶାଇ ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କ ନାମରେ ୪ଡିସିମିଲ ଲେଖାଏଁ ଘରବାଡି ପଟ୍ଟା ନେଇଥିବା ଅଭିଯୋଗ ହୋଇଛି । ରାଜନଗର ବ୍ଲକ୍ ଇଶ୍ୱରପୁର ପଞ୍ଚାୟତ ରାଜେନ୍ଦ୍ରନାରାୟଣପୁର ଗ୍ରାମର ନେତ୍ରାନନ୍ଦ ମହାରଣାଙ୍କର ଚାରିପୁଅ ନିର୍ମଳା ମହାରଣା, ଗୋପୀନାଥ ମହାରଣା, ନିରାକାର ମହାରଣା ଓ ନିରାଞ୍ଜନ ମହାରଣା । ସେମାନଙ୍କର ରାଜେନ୍ଦ୍ରନାରାୟଣପୁର ମୌଜାର ଖାତା ନଂ- ୭୩ ଓ ୯୨ରେ ୯୪ଡିସିମିଲ୍, ଇଶ୍ୱରପୁର ମୌଜର ଖାତାନଂ- ୧୭୧/୧୪୯ରେ ଏ୧.୭୦ ଡିସିମିଲ ଓ ପରମାନନ୍ଦପୁର ମୈ÷ାଜାରେ ଖାତା ନଂ- ୬୪ରେ ୮୯ଡିସିମିଲ ଜମି ଥିବା ଖତିଆନରେ ପ୍ରଚାର ହୋଇଛି । ଅଥଚ ଏହି ପରିବାରଙ୍କୁ ଭୂମିହୀନ ଦର୍ଶାଇ ନିର୍ମଳାକ୍ଷ ମହାରଣା ଓ ତାଙ୍କ ସ୍ତ୍ରୀ ରମଣୀ ମହାରଣା ଖାତା ନଂ-୧୭୭/୧୩୩ରେ ୪ଡିସିମିଲ, ଗୋପୀନାଥ ମହାରଣା ଓ ତାଙ୍କ ସ୍ତ୍ରୀ ମାନସୀ ମହାରଣା ଖାତା ନଂ- ୧୭୭/୧୩୬ରେ ୪ଡିସିମିଲ. ନିରାକାର ମହାରଣା ଓ ତାଙ୍କ ସ୍ତ୍ରୀ ଗୀତାଞ୍ଜଳୀ ମହାରଣା ଖାତା ନଂ- ୧୭୭/୧୩୫ ରେ ୪ଡିସିମିଲ ଓ ନିରଂଜନ ମହାରଣା ଓ ତାଙ୍କ ସ୍ତ୍ରୀ ଉତମା ମହାରଣା ଖାତା ନଂ- ୧୭୭/୧୩୪ରେ ୪ଡିସିମିଲ ନାମରେ ରାଜେନ୍ଦ୍ରନାରାୟଣପୁର ମୈ÷ାଜାରେ ଭୂମିହୀନ ପଟ୍ଟା ହାତେଇଛନ୍ତି । ଏତଦବ୍ୟତୀତ ଏହି ଏକାନ୍ନବର୍ତୀ ପରିବାର ରକ୍ଷିତ ଖାତା ୧୮୨, ପ୍ଲଟ ନଂ- ୨୭୩, କିସମ ଗ୍ରାମ୍ୟଜଙ୍ଗଲ, ରକବା- ଏ୫.୫୮ଡିସିମିଲ୍କୁ ଜବରଦଖଲ କରି କୋଠାଘର ସହ ଚିଙ୍ଗୁଡିଘେରୀ ନିର୍ମାଣ କରିଥିବା ନେଇ ଏଚଆରପିସି ପକ୍ଷରୁ ସଭାପତି ପ୍ରଭାତ କୁମାର ପ୍ରଧାନ, ଉପସଭାପତି ସୋମନାଥ ବାରିକ, ସମ୍ପାଦକ ଅକ୍ଷୟ ରାଉତ ଓ ହେମନ୍ତ କୁମାର ବେହେରା ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜନଗର ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ସହ ଏହାର ନକଲ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଉପଜିଲ୍ଲାପାଳ, ରାଜନଗର ବନଖଣ୍ଡ ଅଧିକାରୀ ଓ ରାଜସ୍ୱମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ଜଣାପଡିଛି । ତହସିଲଦାର ଅଜୟକୁମାର ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେମାନେ କେବେ ପଟ୍ଟା ପାଇଛନ୍ତି ମୁଁ ଜାଣିନାହିଁ । ଅଭିଯୋଗ ପାଇଛି । ଅନୁଧ୍ୟାନ ପରେ ଯାହାକିଛି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।