ଜମି ନାଁରେ ୭୪ ଲକ୍ଷ ଠକେଇ; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୧୮ା୧୨ : ଜମି ଦେବା ନାଁରେ ଜଣେ ବ୍ୟକ୍ତିଙ୍କ ଠାରୁ ୭୪ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ବିଜୟ ଗୋଲଧର (୩୪) ଓ ତାଙ୍କ ଘର ଇନଫୋସିଟି ଥାନା ଅନ୍ତର୍ଗତ କଳାରାହାଙ୍ଗ ସ୍ଥିତ ରୋଶନ ହୋମ୍ସର ପ୍ଲଟ ନଂ ୧୦୧ । ଗିରଫ ଅଭିଯୁକ୍ତ ଜଣଙ୍କ ଅଭିଯୋଗକାରୀ ସନ୍ତୋଷ କୁମାର ପାଢ଼ୀଙ୍କୁ ସ୍ଥାନୀୟ ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳରେ ଜମି ଦେବାର ପ୍ରତିଶ୍ରୁତି ଦେଇ ଏକାଥରରେ ୭୪ ଲକ୍ଷ ଟଙ୍କା ଠକି ନେଇଥିଲା । ଉକ୍ତ ଜମିକୁ ଅଭିଯୁକ୍ତ ନିଜର ବୋଲି ଦର୍ଶାଇବା ସହ ଏହାର ଏକ ଜାଲ ପଟ୍ଟା କରିବା ଅଭିଯୋଗକାରୀଙ୍କ ଠାରୁ ଏହି ଟଙ୍କାକୁ ନେଇଥିଲା । କିନ୍ତୁ ପ୍ରକୃତପକ୍ଷେ ଏହି ଜମିଟି ଇଡ଼କୋ ଅଧୀନରେ ରହିଥିବା ତଦନ୍ତ ବେଳେ ଜଣାପଡ଼ିଥିଲା । ଏନେଇ ଅଭିଯୁକ୍ତଙ୍କୁ ବିଭିନ୍ନ ସମୟରେ ଯୋଗଯୋଗ କରାଯାଇଥିଲେ ମଧ୍ୟ ସେ ଧରାଛୁଆଁ ଦେଇ ନଥିଲେ । ଫଳରେ ଏନେଇ ଲକ୍ଷ୍ମୀସାଗର ଥାନାରେ ମାମଲା ପରେ ଅଭିଯୁକ୍ତକୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।