ଜାନୁଆରି ୩ରେ ‘ପାରାଦୀପ ମାରାଥନ୍’ 

 ପାରାଦୀପ: ପ୍ରତିବର୍ଷ ଭଳି ଆସନ୍ତା ଜାନୁଆରୀ ୩ ତାରିଖ ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ ପାଳନରେ ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ   ୧୯ତମ ପାରାଦୀପ ମାରାଥନ୍ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ବନ୍ଦର ପ୍ରାଧିକରଣ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିନୁଯାୟୀ ୧୪ କିଲୋ ମିଟର ବ୍ୟାପୀ ଏହି ମାରାଥନ୍ ଜାନୁଆରୀ ୩ ତାରିଖ  ସକାଳ ସାଢ଼େ ୭ଟା ସମୟରେ ପାରାଦୀପ ବନ୍ଦରର ୫ ନମ୍ବର ଫାଟକ ନିକଟସ୍ଥ ହନୁମାନ ମନ୍ଦିର ଠାରୁ  ଆରମ୍ଭ ହୋଇ ନୂଆବଜାରସ୍ଥିତ ଗୋପବନ୍ଧୁ ଷ୍ଟାଡିୟମରେ ଶେଷ ହେବ । ପାରାଦୀପ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ପି.ଏଲ.ହରନାଦ୍ ଏହି ମାରାଥନ୍ର ଶୁଭାରମ୍ଭ କରିବେ । ମାରାଥନରେ ଅଂଶ ଗ୍ରହଣ କରିବାକୁ ଇଚ୍ଛୁକ  ପ୍ରତିଯୋଗୀଙ୍କ ବୟସ  ଡିସେମ୍ବର  ୩୧ ତାରିଖ ସୁଦ୍ଧା ୧୮ ବର୍ଷରୁ  ଉଦ୍ଧ୍ୱର୍ ଓ ୪୦ ବର୍ଷରୁ କମ ହୋଇଥିବା ଆବଶ୍ୟକ । ଆବେଦନକାରୀ ନାମ ପଞ୍ଜିକରଣ ସମୟରେ ଯେ କୌଣସି ସରକାରୀ ଡାକ୍ତର କିମ୍ବା ପାରାଦୀପ ବନ୍ଦର ଚିକିତ୍ସାଳୟର ଡାକ୍ତରଙ୍କ ଠାରୁ  ସଂଗ୍ରହ କରିଥିବା ସ୍ୱାସ୍ଥ୍ୟଗତ ପ୍ରମାଣପତ୍ର ସମେତ ନିଜର ଆଧାର କାର୍ଡ,ଫଟୋ ପରିଚୟପତ୍ର,ବୟସ ପ୍ରମାଣପତ୍ରର ଜେରକ୍ସ କପି  ଦାଖଲ କରିବା ଆବଶ୍ୟକ । ସେହିଭଳି ପୁରୁଷ ବିଭାଗର ଆବେଦନକାରୀ ନାମ ପଞ୍ଜିକରଣ ସମୟରେ ରେଜିଷ୍ଟ୍ରେସନ ଫି ୫୦ ଟଙ୍କା ଓ ମହିଳାଙ୍କ ପାଇଁ ୩୦ ଟଙ୍କା କ୍ୟାସ୍ ଆକାରରେ ମଧ୍ୟ ପଇଠ କରିପାରିବେ । ପ୍ରତିଯୋଗିତାରେ ଭାଗ ନେବାକୁ ଇଚ୍ଛୁକ ପାରାଦୀପ ମୁ୍ୟନିସିପାଲିଟି ଅଞ୍ଚଳ ପ୍ରତିଯୋଗୀଙ୍କ ପାଇଁ ଗୋପବନ୍ଧୁ ଷ୍ଟାଡିୟମରେ ଜାନୁଆରୀ ୧ ତାରିଖ ପୂର୍ବାହ୍ନ ୧୦ ରୁ ୪ଟା ଓ ପାରାଦୀପ ମୁ୍ୟନିସିପାଲିଟି ବାହାର ଅଞ୍ଚଳର ଇଚ୍ଛୁକ ପ୍ରତିଯୋଗୀଙ୍କ ପାଇଁ ଜାନୁଆରୀ ୨ ତାରିଖ ପୂର୍ବାହ୍ନ ୧୦ ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ତାରିଖ ଓ ସମୟ ଧାର୍ଯ୍ୟ କରାଯାଇଛି । ତେବେ ପୁରୁଷ ବିଭାଗରେ ପଞ୍ଜିକରଣ ସଂଖ୍ୟା ୬ ଶହ ଓ ମହିଳା  ବିଭାଗର ପଞ୍ଜିକରଣ ସଂଖ୍ୟା ୧ ଶହ ରେ ସିମିତ ରଖାଯିବ । କୃତୀ  ପ୍ରତିଯୋଗୀଙ୍କୁ ଅର୍ଥ ରାଶୀ ଦେଇ ପୁରସ୍କୃତ କରାଯିବ । ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଇଚ୍ଛୁକ ପ୍ରତିଯୋଗୀ ୦୬୭୨୨-୨୨୨୦୭୬ ନମ୍ବରରେ ଯୋଗାଯୋଗ କରିପାରିବେ ।