ଜିଲ୍ଲାପାଳଙ୍କ ଦ୍ୱାରା ଗ୍ରାମୀଣ ହାଟର ଶୁଭ ଉଦ୍ଘାଟନ: ପଞ୍ଚାୟତକୁ ହସ୍ତାନ୍ତର ହେଲା ୩୬ ଦୋକାନ
ଲାଞ୍ଜିଗଡ : ଲାଞ୍ଜିଗଡ ଠାରେ ଥିବା ଲାଞ୍ଜିଗଡ ପଞ୍ଚାୟତ ଗ୍ରାମୀଣ ସାପ୍ତାହିକ ହାଟର ଆଜି ଶୁଭ ଉଦଘାଟନ ହୋଇଥିଲା । ଏଥିଲାଗି ବେଦାନ୍ତ ଆଲୁମିନିୟମ ଓ ନାବାଡ଼ ମିଳିତ ସହଯୋଗରେ ୮୦ ଲକ୍ଷ ୯୦ ହଜାର ଯୋଗାଇ ଦିଆଯାଇଛି । ମହାଶକ୍ତି ଫାଉଣ୍ଡେସନ ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା । ଆଜି ଏହାର ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ନାବାଡ଼ ଡିଜିଏମ ମହେଶ୍ୱର ଦାସ, ଲାଞ୍ଜିଗଡ ବେଦାନ୍ତ ସିଇଓ ପ୍ରଣବ ଭଟ୍ଟାଚାର୍ଯ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷା କମାଳା ପାତ୍ର, ସରପଞ୍ଚ ସରସ୍ୱତୀ ମୁଣ୍ଡା, ମହାଶକ୍ତି ଫାଉଣ୍ଡେସନ ଏମଡି ଯୁଗଳ କିଶୋର ପଟ୍ଟନାୟକ, ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେଶନିଆ, ରାହେନ୍ଦ୍ର ପ୍ରତାପ ସିଂହଦେଓ, ଚନ୍ଦ୍ରଧ୍ୱଜ ପେଶନିଆ, ସିଏସଆର ମୁଖ୍ୟ ଶିଶିର ତରଫଦାର ପ୍ରମୁଖ ଯୋଗ ଦେଇଥିଲେ । ଲାଞ୍ଜିଗଡ ପଞ୍ଚାୟତର ନିଜସ୍ୱ ୨.୫ ଏକର ପରିମିତ ଅଞ୍ଚଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ଦୈନିକ ବଜାର ପାଇଁ ବିଦୁ୍ୟତ୍ ଓ ଆଳୋକ ବ୍ୟବସ୍ଥା ସୁବିଧା ସହିତ ୩୬ଟି ଦୋକାନଘରକୁ ଲାଞ୍ଜିଗଡ ପଞ୍ଚାୟତକୁ ଆଜି ହସ୍ତାନ୍ତର କରାଯାଇଥିଲା । ଏହି ହାଟ ଜରିଆରେ ସ୍ଥାନୀୟ କୃଷକମାନଙ୍କୁ ଉନ୍ନତ ବଜାର ସୁବିଧା ଯୋଗାଇ ଦିଆଯାଇଛି । ଏଠାରେ ଚାଷୀମାନେ ନିଜର ଉତ୍ପାଦିତ କୃଷିଜାତ ସାମଗ୍ରୀକୁ ସିଧାସଳଖ ଭାବେ ଗ୍ରାହକଙ୍କୁ ବିକ୍ରି କରିପାରିବେ । ଏଠାରେ କେବଳ କ୍ଷୁଦ୍ର ଓ ନାମମାତ୍ର ଚାଷୀ ନୁହନ୍ତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠିଗୁଡିକ ମଧ୍ୟ ସେମାନଙ୍କର ସାମଗ୍ରୀ ବିକ୍ରିର ସୁଯୋଗ ରହିଛି । ହାଟର ଦୈନଦିନ କାର୍ଯ୍ୟ ପରିଚାଳନା ପାଇଁ ହାଟ ପରିଚାଳନା କମିଟି ଗଠନ ସହିତ ହାଟ ପରିସରରୁ ବାହାରୁଥିବା ବର୍ଜ୍ୟର ଯେଭଳି ଠିକଣା ପରିଚାଳନା ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ଶ୍ରୀମୁଖ ଅଗସ୍ତି ପରିଚାଳନା କରିଥିବାବେଳେ ଲାଞ୍ଜିଗଡ ଯୁବକ ସଂଘ, ବିଭିନ୍ନ ଅନୁଷ୍ଠାନ, ସ୍ୱୟଂ ସହାୟକ ଗୋଷ୍ଠୀ, ବ୍ୟବସାୟୀ, ବୁଦ୍ଧିଜୀବୀ ଓ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ ।