ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଆୟୋଜିତ
ରାୟଗଡ : ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ରାୟଗଡା ଠାରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଓଡିଶା ସରକାର ଓ ଜିଲ୍ଲା ସଂସ୍କୃତି ବିଭାଗ ଅନୁକୂଲ୍ୟରେ ଓଡ଼ିଆ ସାହିତ୍ୟ ଏକାଡେମୀର ୬୮ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ପୂର୍ବରୁ ବ୍ଲକ ସ୍ତରରେ ଆୟୋଜିତ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନେ ୪ଟି ବିଭାଗର ଯଥା ସାହିତ୍ୟ ସମ୍ପର୍କିତ ବକୃତା, କବିତା ଆବୃତ୍ତି, ପ୍ରବନ୍ଧ ଏବଂ ସାଧାରଣ ଜ୍ଞାନ ଓ ଇଂରାଜୀରୁ ଓଡ଼ିଆ ଅନୁବାଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ଓ ଷଷ୍ଠ ଓ ସପ୍ତମ ଶ୍ରେଣୀକୁ ନେଇ କନିଷ୍ଠ ଓ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀକୁ ନେଇ ବରିଷ୍ଠ ଏହି ଦୁଇଟି ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । କନିଷ୍ଠ ବିଭାଗର ପ୍ରଥମ ସ୍ଥାନ ହାସଲ କରିଥିବା ଚାରିଜଣ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୧୩ ତାରିଖରେ ହେବାକୁଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ଅଭିଭାବକଙ୍କ ସହ ଭୁବନେଶ୍ୱର ପ୍ରେରଣ କରାଯିବ ଓ ବରିଷ୍ଠ ବର୍ଗର ପ୍ରଥମ ସ୍ଥାନ ହାସଲ କରିଥିବା ୪ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୧୯ ତାରିଖରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ପ୍ରେରଣ କରାଯିବ ଯାହାର ସମସ୍ତ ଖର୍ଚ୍ଚ ଓଡିଶା ସାହିତ୍ୟ ଏକାଡେମୀ ବହନ କରିବେ । ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ସମ୍ମାନିତଅତିଥି ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକ, ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ବିଚାରକ ଭାବେ ବି.ଅନିତା, ସୋନାଲି ମିଶ୍ର, ଶ୍ରୀକାନ୍ତ ମାଲିକ ଓ ମନୋରଞ୍ଜନ ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ପ୍ରଶାନ୍ତ ନାୟକ ମଞ୍ଚ ସଂଚାଳନ କରିଥିଲେ ।