ଜୈବ ଚାଷ ଓ ଚାଷୀ ସମସ୍ୟା

ବର୍ତ୍ତମାନ ଦିନକୁ ଦିନ କୃଷି କ୍ଷେତ୍ରରେ ରାସାୟନିକ ସାର ଏବଂ କୀଟନାଶକ ଆଦିର ପ୍ରୟୋଗ ବଢ଼ିବାରେ ଲାଗିଛି । ବିଭିନ୍ନ କୃଷିଜାତ ପଦାର୍ଥରେ ଏହି କୀଟନାଶକ ପଦାର୍ଥର ବିଷ ରହୁଥିବା ଲକ୍ଷ୍ୟ କରାଗଲାଣି । ଠିକ୍ ସେହିପରି କୃଷି ଉତ୍ପାଦନ ବଢ଼ାଇବା ପାଇଁ ବିଭିନ୍ନ ରାସାୟନିକ ସାରର ବ୍ୟବହାର ମଧ୍ୟ ଅଧିକରୁ ଅଧିକ ହେଉଛି । ୟୁରିଆ ସାରର ଉତ୍ପାଦନ ବୃଦ୍ଧି କରିବା ପାଇଁ ସମଗ୍ର ଦେଶରେ ସାର କାରଖାନାଗୁଡ଼ିକୁ ତତ୍ପରତା ଦେଖାଉଛନ୍ତି । ଚାଷୀଙ୍କ ନିକଟରେ ଠିକ୍ ସମୟରେ ୟୁରିଆ ଭଳି ରାସାୟନିକ ସାର ଆବଶ୍ୟକ ମୁତାବକ ନ ମିଳିଲେ ଆନେ୍ଦାଳନ ମଧ୍ୟ ହେଉଛି ।
ଇତିମଧ୍ୟରେ ଆମ ଦେଶରେ ୟୁରିଆ ସାରର ଅତି ଉନ୍ନତମାନ ଭାବରେ ନାନୋ ୟୁରିଆ ଉତ୍ପାଦନ କରାଗଲାଣି । ଏ ପ୍ରକାରର ସାରର ବ୍ୟବହାର ଏବଂ କୀଟନାଶକ ଆଦିର ବ୍ୟବହାର ଯୋଗୁଁ କୃଷିଜାତ ପଦାର୍ଥ ମାଧ୍ୟମରେ ମନୁଷ୍ୟ ଶରୀରକୁ ଅନେକ ପ୍ରକାରରେ ବିଷ ଯାଉଛି । ଏହି ସବୁ ବିଷ ଗୁଡ଼ିକର ସବୁଠାରୁ ବଡ଼ କ୍ଷତିକାରୀ ପ୍ରଭାବ ହେଲା କିଡ୍ନୀ ନଷ୍ଟ ହେବା, କର୍କଟ ଭଳି ରୋଗ ସୃଷ୍ଟି ହେବା ଏବଂ ଅନ୍ୟାନ୍ୟ ସ୍ନାୟବିକ ସମସ୍ୟା ସୃଷ୍ଟି ହେବା । ଏହାକୁ ଦୃଷ୍ଟିରେ ରଖି ବହୁ ଚାଷୀ ଜୈବିକ କୃଷି ଦିଗକୁ ମନ ବଳାଇଛନ୍ତିା ଜୈବିକ କୃଷି ଫଳରେ ରାସାୟନିକ ସାରର ପ୍ରୟୋଗ ଭଳି ଉତ୍ପାଦନ ଅଧିକ ହେଉ ନାହିାଁ କିନ୍ତୁ ଚାଷୀମାନେ କୃଷି ବିଭାଗର ପ୍ରରୋଚନାରେ ଜୈବ କୃଷି ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ପରିବା ବଜାରରେ କେହି କେବେ ହେଲେ ପୋକା ବାଈଗଣ ଜାଣି କିଣନ୍ତି ନାହିଁ । କିନ୍ତୁ ବାଈଗଣରେ ପୋକ ନ ଲାଗିବା ପାଇଁ କେତେ କୀଟନାଶକ କେଉଁ ସମୟରେ ଦିଆଯାଏ, କେତେ ରାସାୟନିକ ସାର କେତେବେଳେ ଦିଆଯାଏ ତାହା ବଜାରରେ ଖାଉଟି ଜାଣେ ନାହିଁ । ପାରମ୍ପରିକ ଏବଂ ଜୈବିକ ପଦ୍ଧତିରେ ଚାଷ କରିଛି ବୋଲି ଚାଷୀ ଯେତେ କହିଲେ ମଧ୍ୟ ବଜାରରେ ଖାଉଟି ସେକଥାକୁ ବିଶ୍ୱାସ କରେ ନାହିଁ । ତେଣୁ ସେଥିପାଇଁ ରାଜ୍ୟ କୃଷି ବିଭାଗ ପକ୍ଷରୁ ବିଧିବଦ୍ଧ ଉଦ୍ୟମର ଆବଶ୍ୟକତା ରହିଛି ।
ବର୍ତ୍ତମାନ ଅଳ୍ପ ମାତ୍ରାରେ ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ଅଦା, ଛୋଟ ଗୁଣ୍ଡ ଆଳୁ, ରସୁଣ, ପିଆଜ ଭଳି ମସଲା ଜାତୀୟ ପଦାର୍ଥ, ବାଈଗଣର ସ୍ଥାନୀୟ କିସମ ଆଦି ଖାଉଟିଙ୍କ ନିକଟକୁ ଆସୁଛି । ଏଇ ଅଳ୍ପ କେତେଦିନ ତଳେ ନୟାଗଡ଼ ଜିଲ୍ଲାର କଣ୍ଟେଇମୁଣ୍ଡି ବାଈଗଣ ଜୈବିକ ଚାଷ ଏବଂ ସ୍ୱତନ୍ତ୍ର ଗୁଣବତ୍ତା ପାଇଁ ଜିଆଇ ଟ୍ୟାଗ୍ ହାସଲ କରିଛି । ଏଭଳି ଏକ ପରିବା ବର୍ତ୍ତମାନ କିଲୋ ପିଛା ୮୦ ଟଙ୍କାରୁ ଅଧିକ ହେଲାଣି । ତେବେ ବଜାରରେ ଖାଉଟି କଣ୍ଟେଇମୁଣ୍ଡି ବାଇଗଣ ଚାଷରେ ସାର ଓ କୀଟନାଷକ ପ୍ରୟୋଗ ହେଉ ନାହିଁ ବୋଲି ସହଜରେ ବିଶ୍ୱାସ କରୁନାହିଁ । ଧାନ ଚାଷ କ୍ଷେତ୍ରରେ ମଧ୍ୟ ଜୈବିକ ସାର ପ୍ରୟୋଗ କରି ଧାନ ଉତ୍ପାଦନ କରିବା ଲାଭଜନକ ହେବ ନାହିଁ । ପାରମ୍ପରିକ ଭାବରେ କୃଷି କ୍ଷେତ୍ରରେ ବ୍ୟବହାର କରାଯାଉଥିବା ଖତ ଆଉ ମିଳୁନାହିଁ । ଯାନ୍ତ୍ରିକ କୃଷି ପ୍ରଚଳନ ପରେ କୃଷି କ୍ଷେତ୍ର ଉଦେ୍ଦଶ୍ୟରେ ଗୋ-ସମ୍ପଦର ପାଳନ ବହୁ ପରିମାଣରେ କମିଯାଇଛି । ତେଣୁ ଖତ ଉତ୍ପାଦନ କମିଯାଇଛି । ଏହି କାରଣରୁ ଜମିରେ କମ୍ପୋଷ୍ଟ୍ ଖତ କିମ୍ବା ଗୋବର ଖତ ଦେଇ ଚାଷ କରିବା ଅତ୍ୟନ୍ତ ବ୍ୟୟ ସାପେକ୍ଷ ହୋଇଯାଉଛି । ଏଭଳି ବ୍ୟୟ କରିଲେ ମଧ୍ୟ ଆବଶ୍ୟକ ମୁତାବକ ଖତ ଓ ଜୈବିକ କମ୍ପୋଷ୍ଟ୍ ହେକ୍ଟର୍ ହେକ୍ଟର୍ ଜମି ଚାଷ ପାଇଁ ଉପଲବ୍ଧ ନୁହେଁ ।
ବର୍ତ୍ତମାନ ସମୟରେ ଧାନକଟା ପରେ କ୍ଷେତରେ ଜଳାଇ ଦିଆଯାଉଥିବା ନଡ଼ା ଏବଂ କୁଟାକୁ କିଭଳି ଭାବରେ ଜୈବିକ କମ୍ପୋଷ୍ଟ୍ ଖତରେ ପରିଣତ କରାଯିବ ଏବଂ ଧାନ ରୋଇବା ପୂର୍ବରୁ ଏହାକୁ ଜମିରେ ପ୍ରୟୋଗ କରାଯିବ ସେ ଦିଗରେ ଗବେଷଣାର ଆବଶ୍ୟକତା ରହିଛି । ଜୈବିକ ଚାଷ କ୍ଷେତ୍ରରେ ଚାଷୀମାନଙ୍କୁ ମଧ୍ୟ ନିଜେ ନିଜର କମ୍ପୋଷ୍ଟ୍ ପ୍ରସ୍ତୁତ ପାଇଁ ବୈଷୟିକ କୌଶଳ ଯୋଗାଇ ଦେବାର ଆବଶ୍ୟକତା ରହିଛି । ଚାଷୀମାନେ ଖତ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହେଲେ ଜୈବିକ ଚାଷ ଲାଭଦାୟକ ହୋଇପାରିବ ।