ଟୋଲ୍ ଆଦାୟକୁ ନେଇ ଗଣ୍ଡଗୋଳ
ବାଲିଅନ୍ତା: ଶାନ୍ତିସ୍ତୁପ ଧଉଳିରେ ୪ ଚକିଆ ଯାନର ଟୋଲଗେଟ ଆଦାୟକୁ ନେଇ ଜଣେ ନୌସେନା କର୍ମଚାରୀଙ୍କ ସହ ଟୋଲଗେଟ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ଘଟଣା ଥାନାରେ ପହଞ୍ଚିବା ପରେ ପୁଲିସ ଉଭୟଙ୍କୁ ଡାକି ଆପୋଷ ସମାଧାନ କରିଛି । ଖବରନେବାରେ ଜଣାପଡିଛି ଆଜି ପୂର୍ବାହ୍ନରେ ଜଣେ ନୌସେନା କର୍ମଚାରୀ ତାଙ୍କ ପରିବାର ସହ ଶାନ୍ତିସ୍ତୁପ ଧଉଳିକୁ ବୁଲିବାକୁ ଆସିଥିଲେ । ଏହି ସମୟରେ ଟୋଲଗେଟ କର୍ମଚାରୀ ତାଙ୍କ ଠାରୁ ଟୋଲ ଆଦାୟ କରିଥିଲେ । ମାତ୍ର ଟୋଲଗେଟ କର୍ମଚାରୀ ଦେଇଥିବା ରସିଦ୍ରେ ପାର୍କିଂ ଫି ଲେଖା ହୋଇଥିଲା । ଏହାକୁ ନେଇ ନୌସେନା କର୍ମଚାରୀ ଓ ଟୋଲ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଅପରପକ୍ଷରେ ସେ ଜଣେ ନୌସେନା କର୍ମଚାରୀ ହୋଇଥିବାରୁ ତାଙ୍କ ଠାରୁ ଟୋଲ ଆଦାୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ସେ ସ୍ତୁପ ଉପରକୁ ଯାଇ ପାର୍କିଂସ୍ଥଳୀରେ ଗାଡି ପାର୍କିଂ କରିଥିଲେ । ସେଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କୁ ପାର୍କିଂ ଆଦାୟ ବିଷୟରେ ପଚାରି ବୁଝିଥିଲେ । ସେମାନେ ଏଠାରେ ପାର୍କିଙ୍ଗ ମୁକ୍ତ ବୋଲି କହିଥିଲେ । ଏହାଶୁଣି ଉକ୍ତ କର୍ମଚାରୀ ଜଣଙ୍କ ଟୋଲଗେଟ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିବା ସହ ବଚସା ମଧ୍ୟ ହୋଇଥିଲା । ଏନେଇ ନୌସେନା କର୍ମଚାରୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ତଦନ୍ତ କରିଥିବା ବେଳେ ଟୋଲଗେଟ କର୍ମଚାରୀଙ୍କୁ ଡାକି ପଚରାଉଚରା କରିଥିଲେ । ପରେ ଉଭୟଙ୍କୁ ଆପୋଷ ସମାଧାନ ହୋଇଥିଲା ।