ଡାଇରିଆକୁ ନେଇ ଆତଙ୍କିତ ମାଣତୀରା ପଞ୍ଚାୟତ
ଯଖପୁରା : ରାଜ୍ୟରେ କଲେରା ପଜେଟିଭ ବାହାରିଲା ପରେ ରାଜ୍ୟବାସୀ ଏହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି । ପ୍ରତ୍ୟେକ ଦିନ ରାଜ୍ୟରେ ନୂଆ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଗୋଟିଏ ପରେ ଗୋଟିଏ ନୂଆ ନୂଆ ଜିଲ୍ଲାକୁ ଏହା ବ୍ୟାପି ଚାଲିଛି । ଡାଇରିଆ ରାଜ୍ୟରେ ନିୟନ୍ତ୍ରଣକୁ ଆସିପାରୁ ନାହିଁ । ସବୁ ଠାରୁ ଯାଜପୁର ଜିଲ୍ଲା ଡାଇରିଆରେ ଅଧିକ ପ୍ରଭାବିତ ହେଉଛି । ଏହାରି ଭିତରେ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ରେ ପ୍ରତି ଦିନ ନୂଆ ନୂଆ ରୋଗୀ ଡାକ୍ତରଖାନାକୁ ଆସୁଥିବାର ଦେଖିବାକୁ ମିଳିଛି । ଦାନଗଦୀ ବ୍ଲକ୍ର ମାଣତୀରା ପଞ୍ଚାୟତରେ ଡାଇରିଆ ରୋଗୀଙ୍କୁ ନେଇ ଲୋକଙ୍କ ଭିତରେ ଛନକା ପଶିଛି । ମାଣତୀରା ପଞ୍ଚାୟତ ରାବଣା, କେନ୍ଦୁଢିପ୍, ମାଣତୀରା, ଅରହାସାହି, ଦଶମାଣିଆ, ବାରପାଳ ଆଦି ଗାଁ ଗୁଡିକରେ ଅନେକ ରୋଗୀ ଚିହ୍ନଟ ହୋଇଛନ୍ତି । ଏମିତିକି ରାବଣା ଗ୍ରାମର ରାମଚନ୍ଦ୍ର ଦାସଙ୍କ ପୁଅ ଜୀତ ଦାସଙ୍କ ପରୀକ୍ଷା ନମୁନା କଲେରା ପଜେଟିଭ ବାହାରିଛି ।
ଏହାପରେ ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟକର୍ମୀ ଗାଁ ଗାଆଁ ବୁଲି ଖୋଲାରେ ରହିଥିବା ପୋଖରୀ, କୂପର ଜଳରେ ବ୍ଲିଚିଂ ପାଉଡର ପକାଇ ବିଶୋଧନ କରୁଛନ୍ତି । କେବଳ ଯେ ମାଣତୀରା ପଞ୍ଚାୟତ ତାହା ନୁହେଁ ଯଖପୁରା, କୁମ୍ଭିରଗାଡ଼ିଆ, ପଙ୍କପାଳ, ଖପୁରିଆପଦା ଆଦି ପଞ୍ଚାୟତରେ ନୂଆ ନୂଆ ଡାଇରିଆ ରୋଗୀ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଲୋକଙ୍କୁ ସଚେତନ କରିବା ପାଇଁ ପ୍ରଶାସନ ତରଫରୁ ଡ଼ାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ ସତର୍କ କରାଯାଉଥିବାର ଦେଖିବାକୁ ମିଳୁଛି । ପ୍ରତ୍ୟେକ ଗାଁ ରେ ଅଙ୍ଗନବାଡ଼ି ଦିଦି,ଆଶା ଦିଦି ଘରକୁ ଘର ବୁଲି ବୁଲି ଲୋକଙ୍କୁ ବୁଝାଇବା ସହିତ ଓଆରଏସ ପାଉଡର, ହାଲୋଜିନ ବାଟିକା ବାଣ୍ଟୁଥିବାର ଦେଖିବାକୁ ମିଳୁଛି । ଗତ କାଲି ରାଜ୍ୟ ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଅମରେନ୍ଦ୍ର ମହାନ୍ତି ପ୍ରଭାବିତ ଗାଁ ମାନଙ୍କୁ ଆସିଥିଲେ । ଆଜି ସକାଳୁ ସକାଳୁ ପୁନର୍ବାର ସ୍ୱାସ୍ଥ୍ୟକର୍ମୀ ବିଦ୍ୟାଧର ସାହୁ,ପ୍ରଭାସ ମଞ୍ଜରୀ ସାହୁ, ଭବାନୀ ରଥଙ୍କ ସହିତ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ସଂଯୁକ୍ତା ବାରିକ୍ ଓ ଲକ୍ଷ୍ମୀପ୍ରିୟା ସାହୁ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିଛନ୍ତି ।