ଡାକ୍ତରାଣୀଙ୍କ ଘରୁ କଳାକନା; ଗଞ୍ଜାମରୁ ଚାକରାଣୀ ଗିରଫ

ଡାକ୍ତରାଣୀଙ୍କ ଘରୁ କଳାକନା; ଗଞ୍ଜାମରୁ ଚାକରାଣୀ ଗିରଫ

ଭୁବନେଶ୍ୱର,୪ା୧୨ : ଦୀର୍ଘ ୮ବର୍ଷ ଧରି ପାହାଳ ଥାନା ଅଧିନରେ ଥିବା ଅଭିଯୋଗକାରିଣୀ ଡାକ୍ତରାଣୀ ଦେବୀଶ୍ରୀ ଦାସଙ୍କ ଘରେ ଚାକରାଣୀ ଭାବେ କାମ କରୁଥିଲା ଅଭିଯୁକ୍ତା । ତାଙ୍କ ଘରେ ରହୁଥିଲା ଓ ଘରେ ମଧ୍ୟ ଖାଉବୁ ଥିଲା । କିନ୍ତୁ ଶେଷରେ ଲୋଭର ବଶବର୍ତ୍ତୀ ହୋଇ ଡାକ୍ତରାଣୀଙ୍କ ଅଜାଣତରେ ତାଙ୍କ ଆଲମିରାରୁ ଲକ୍ଷାଧିକ ଟଙ୍କା ସୁନା ଗହଣା ନେଇ ଗାଁକୁ ଫେରାର ହୋଇଯାଇଥିଲା ଅଭିଯୁକ୍ତା ଚାକରାଣୀ । ପରେ ସୁନା ଅଳଙ୍କାର ଚୋରି ହୋଇଥିବା ଘଟଣା ଡାକ୍ତରାଣୀ ଜାଣିବା ପରେ ଏନେଇ ତୁରନ୍ତ ପାହାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ୫୦୪/୨୪ରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତା ଚାକରାଣୀଙ୍କୁ ଗଞ୍ଜାମ ଜିଲ୍ଲାରୁ ବୁଧବାର ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତା ଜଣଙ୍କ ହେଉଛନ୍ତି ପୁଷ୍ପା ବେହେରା (୨୫) ଓ ତାଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଫସୁଗୁଡ଼ା ଗାଁରେ ବୋଲି ଜଣାପଡ଼ିଛି । ଗିରଫ ଅଭିଯୁକ୍ତା ଠାରୁ ପୁଲିସ ଚୋରି ହୋଇଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ କରିଛି ।
ସୂଚନା ଅନୁଯାୟୀ, ପାହାଳ ଥାନା ଅନ୍ତର୍ଗତ ହଂସପାଳ କେନାଲ ରୋଡର ପ୍ଲଟ ନଂ ୧୭୦୦ରେ ଡାକ୍ତରାଣୀ ଦେବଶ୍ରୀ ଦାସ ନିଜ ପରିବାର ସହ ରୁହନ୍ତି । ଗତ ୧ ତାରିଖ ଦିନ ସେ କୌଣସି ଏକ ଭୋଜିରେ ଯିବା ପାଇଁ ନିଜ ଆଲମିରା ଖୋଲିବା ବେଳକୁ ସେଥିରେ ଥିବା ସୁନା ଅଳଙ୍କାର ନ ଥିବା ଦେଖିବାକୁ ପାଇଥିଲେ । ପରେ ଘରେ ରହୁଥିବା ଚାକରାଣୀ ପୁଷ୍ପା ମଧ୍ୟ ଦୁଇଦିନ ତଳୁ ବାହାନା କରି ଘରକୁ ପଳାଇଥିବା ଜାଣିବାକୁ ପାଇଥିଲେ । ପରେ ଏନେଇ ପାହାଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିବା ସହ ଡାକ୍ତରାଣୀଙ୍କ ଘରେ ପହଞ୍ଚିଥିଲା । ସେଠାରୁ ଅଭିଯୁକ୍ତା ପୁଷ୍ପାଙ୍କୁ ଅଟକ ରଖିବା ସହ ପଚରାଉଚରା କରିବାରୁ ସେ ହିଁ ସୁନା ଅଳଙ୍କାର ଚୋରି କରିଥିବା ଜଣାପଡ଼ିିଥିଲା । ଲୋଭର ବଶବର୍ତ୍ତୀ ହୋଇ ପୁଷ୍ପା ଏଭଳି କାମ କରିଥିବା ବେଳେ, ଅନ୍ୟପକ୍ଷରେ ଚୋରି ସୁନାକୁ ନେଇ ପୁଷ୍ପା ଗଞ୍ଜାମ ଅଞ୍ଚଳରେ ଥିବା ବିଭିନ୍ନ ବ୍ୟାଙ୍କରେ ବନ୍ଧକ ରଖି ଟଙ୍କା ଋଣ ନେଇଥିବା ଜଣାପଡ଼ିଛି । ପରେ ପୁଲିସ ସମସ୍ତ ଚୋରିି ସୁନା ଅଳଙ୍କାର ଜବତ କରିବା ସହ ପୁଷ୍ପାକୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି ।