ଢେଙ୍କାନାଳରେ ଇତିହାସ ଗବେଷଣା
ମୋ ଜନ୍ମମାଟି ଢେଙ୍କାନାଳକୁ କେତେକ ବ୍ୟକ୍ତି ନୁ୍ୟନ ବିବେଚନା କରୁଛନ୍ତି ବୋଲି ବ୍ୟଥିତ ହେଲି । ମୋର ହୃଦୟଙ୍ଗମ ହେଲା ଯେ ଏମାନେ ଢେଙ୍କାନାଳର ପ୍ରକୃତ ଇତିହାସ ଓ ସଂସ୍କୃତି ଜାଣିନାହାନ୍ତି । ତେଣୁ ମୁଁ ଢେଙ୍କାନାଳର ଇତିହାସ ଓ ସଂସ୍କୃତି ଉପରେ ଗବେଷଣା ଆରମ୍ଭ କରିଦେଲି । ଢେଙ୍କାନାଳରେ ପ୍ରାଚୀନ ଇତିହାସ ୧୯୧୬ ମସିହାରେ ଆମ ଗାଁର ପଣ୍ଡିତ ଚକ୍ରଧର ଦାଶ ଲେଖିଥିଲେ । ସେଥିରୁ କୋ÷ଣସି ପ୍ରାମାଣିକ ତଥ୍ୟ ପାଇଲେ ନାହିଁ । ୧୯୨୮ ମସିହାରେ ଧଳପୁରର ପଣ୍ଡିତ ରାମଚନ୍ଦ୍ର ନନ୍ଦ ଢେଙ୍କାନାଳର ଇତିହାସ ଲେଖିଥିଲେ । ସେ ବହୁ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନା କରିଥିଲେ ହେଁ ଢେଙ୍କାନାଳ ସଂପର୍କରେ କମ୍ ଲେଖିଛନ୍ତି । ସେ ତଥ୍ୟାଶ୍ରୟୀ ହେବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ଦିଗଭ୍ରଷ୍ଟ ହୋଇଛନ୍ତି । ନବମ ଶତାବ୍ଦୀର ଢେଙ୍କା ଶବରକୁ କୁଆଁଳୋର ଶୁକ୍ଳୀ ବଂଶ ରାଜା କୁଳସ୍ତମ୍ଭ ପରାସ୍ତ ଓ ନିହତ କରି ବିକ୍ରମାଦିତ୍ୟ ଉପାଧିରେ ଭୂଷିତ ହୋଇଥିଲେ । ଅଥଚ ସେ ଲେଖିଛନ୍ତି ଯେ ଅମିତ ବଳଶାଳୀ ଢେଙ୍କା ଶବରକୁ ଷୋଡ଼ଶ ଶତାବ୍ଦୀରେ ବେଶାଳିଆର ଶ୍ରୀଧର ଭଞ୍ଜ ପରାସ୍ତ ଓ ନିହତ କରିଥିଲେ । ଏହାର ପ୍ରମାଣ ଦେବାକୁ ମିଥ୍ୟା ଗଉଡୁଣୀ ଉପାଖ୍ୟାନ ସେ ଅବତାରଣା କରିଛନ୍ତି । ଜଣେ ବ୍ୟକ୍ତି ନବମ ଶତାବ୍ଦୀରୁ ଷୋଡଶ ଶତାବ୍ଦୀରେ ବେଶାଳିଆର ଶ୍ରୀଧର ଭଞ୍ଜ ପରାସ୍ତ ଓ ନିହତ କରିଥିଲେ । ଏହାର ପ୍ରମାଣ ଦେବାକୁ ମିଥ୍ୟା ଗଉଡୁଣୀ ଉପାଖ୍ୟାନ ସେ ଅବତାରଣା କରିଛନ୍ତି । ଜଣେ ବ୍ୟକ୍ତି ନବମ ଶତାବ୍ଦୀରୁ ଷୋଡଶ ଶତାବ୍ଦୀ ଅର୍ଥାତ୍ ସାତଶହ ବର୍ଷ କେବେ ହେଁ ଜୀବିତ ରହିନପାରେ । ଏହିପରି ବହୁ ତଥ୍ୟ ସେ କିମ୍ବଦନ୍ତୀରୁ ସଂଗ୍ରହ କରିଛନ୍ତି । ଇତିହାସ ସବୁବେଳେ ପ୍ରାଚୀନ ମୁଦ୍ରା, ଅଭିଲେଖ, ପ୍ରାଚୀନ ପ୍ରାମାଣିକ ଶାସ୍ତ୍ର ଓ ପ୍ରତ୍ନ ଅବଶେଷ ଉପରେ ନିର୍ଭର କରିଥାଏ । ତେଣୁ ଢେଙ୍କାନାଳ ଇତିହାସ ବର୍ଣ୍ଣିତ ତଥ୍ୟାବଳୀକୁ ଆଧାର କରି ମୁଁ ଅଗ୍ରସର ହୋଇପାରିଲି ନାହିଁ ।
ମୁଁ ଇତିହାସର ଛାତ୍ର ନଥିଲି, ଅଥଚ ବିଭିନ୍ନ ପତ୍ର ପତ୍ରିକାରେ ଇତିହାସ ଉପରେ ଯେଉଁ କେତେଗୋଟି ପ୍ରବନ୍ଧ ପ୍ରକାଶିତ ହୋଇଥିଲା ସେଗୁଡିକ ପାଠକୀୟ ଆଦୃତି ଲାଭ କରିଥିଲା । ତଥାପି ମୁଁ ମୋର କକେୟୀ ଇତିହାସ ପ୍ରଫେସର ନବକିଶୋର ମିଶ୍ର, କକେୟୀଙ୍କ ଅନ୍ତରଙ୍ଗ ବନ୍ଧୁ ଇତିହାସ ପ୍ରଫେସର କରୁଣା ସାଗର ବେହେରା, ଇତିହାସ ପ୍ରଫେସର ହେମନ୍ତ କୁମାର ପରିଜା, ଢେଙ୍କାନାଳ ଉପରେ ବହୁତ କିଛି ଜାଣିଥିବା ମୋର ଅନ୍ୟ ଜଣେ ମାମୁଁ ନୃସିଂହ ଚରଣ ମିଶ୍ର, ରାଜାଙ୍କର କାକା ଶ୍ରୀଶେଶ ପ୍ରତାପ ସିଂହଦେଓ ପ୍ରଭୃତିଙ୍କ ସାହାଯ୍ୟ ନେଇ ଗବେଷଣା ଆରମ୍ଭ କଲି । ଜାଣିବାକୁ ପାଇଲି ଯେ, ଏହି ଭୂଖଣ୍ଡ ଢେଙ୍କାନାଳ ନାମରେ ଷୋଡ଼ଶ ଶତାବ୍ଦୀରୁ ନାମିତ ହେଲା । ତତ୍ ପୂର୍ବରୁ ଏହା ଦଶାର୍ଣ୍ଣ ପ୍ରଦେଶ, ଝାଡ଼ଖଣ୍ଡ, ଓଡ୍ର ବିଷୟ, କୋଦାଳକ ମଣ୍ଡଳ, ଯମଗର୍ତ୍ତ ମଣ୍ଡଳ, କରମ୍ବଳ ମଣ୍ଡଳ, ଭୀମନଗରୀ ଦଣ୍ଡପାଟ ପ୍ରଭୃତି ବହୁ ନାମରେ ପରିଚିତ ଥିଲା । ଏହି ପ୍ରାଚୀନ ଭୂଖଣ୍ଡ ସଂପର୍କରେ ଯାହା କିଛି ସୂଚନା ତଥ୍ୟ ମୁଁ ପାଉଥାଏ ତାହା ଟିପିରଖେ ଓ ଇତିହାସର କଷଟି ପଥରରେ ପରୀକ୍ଷା କରିଥାଏ । ବ୍ରାହ୍ମଣୀ ନଦୀର ପୂର୍ବନାମ ଶଙ୍ଖଜ୍ୟୋତି ଥିଲା ମୁଁ ଅଭିଲେଖରୁ ପାଇଲି । ମୋ ପୂର୍ବରୁ ଯେଉଁମାନେ ଢେଙ୍କାନାଳର ଇତିହାସ ଲେଖିଥିଲେ ସେମାନେ ବ୍ରାହ୍ମଣୀ ଅବବାହିକାର ପ୍ରାଚୀନ ଇତିହାସ, ଢେଙ୍କାନାଳର ନଦୀ, ପର୍ବତ ଓ ବନାଞ୍ଚଳ, ଢେଙ୍କାନାଳ ଅଞ୍ଚଳରେ ପୂର୍ବରୁ ରାଜତ୍ୱ କରୁଥିବା ଗଣ୍ଡ ଦଳପତି, ଡମରାଜା, ଶବର ରାଜାମାନଙ୍କ ସଂପର୍କରେ ବିଶେଷ ସୂଚନା ଦେଇନଥିଲେ । ମୁଁ ବିଭିନ୍ନ ସ୍ଥାନକୁ ଯାଇ ସେମାନଙ୍କ ରାଜତ୍ୱ, ରାଜା ଓ ବଂଶାବଳୀ ସଂପର୍କରେ ତଥ୍ୟ ସଂଗ୍ରହ କଲି । ବ୍ରାହ୍ମଣୀ ନଦୀ ଢେଙ୍କାନାଳ ଭୂଖଣ୍ଡକୁ ଦୁଇଭାଗରେ ବିଭକ୍ତ କରୁଅଛି । ତେଣୁ ମୁଁ ଉତ୍ତର ବ୍ରାହ୍ମଣୀୟ ଓ ଦକ୍ଷିଣ ବ୍ରାହ୍ମଣୀୟ ଭୂଖଣ୍ଡର ସଭ୍ୟତା ଓ ସଂସ୍କୃତି ସଂପର୍କରେ ଅନୁସନ୍ଧାନ କଲି । ଅନୁସନ୍ଧାନ କାଳରେ ବ୍ରାହ୍ମଣୀ ଅବବାହିକାର ସଭ୍ୟତା, ସଂସ୍କୃତି, ଧାର୍ମିକ ପରମ୍ପରା, ପ୍ରାକୃତି ସଂପଦ, ଖଣିଜ ସଂପଦ, ପ୍ରତ୍ନ ଅବଶେଷ, ପ୍ରାପ୍ତ ତାମ୍ରପତ୍ର ଓ ଶିଳାଲେଖ, ନିବାସ କରୁଥିବା ଜନଜାତି ଓ ସେମାନଙ୍କ ପ୍ରଥା, ପରମ୍ପରା ଓ ଜୀବନଶୈଳୀ ମୋତେ ବହୁତ ଆକୃଷ୍ଟ କଲା ।
ଢେଙ୍କାନାଳ ଅଞ୍ଚଳରୁ ଭୋ÷ମକର ରାଜା ଓ ରାଣୀଙ୍କର କେତେଖଣ୍ଡ ତାମ୍ରପତ୍ର ମିଳିଅଛି । ସେହି ତାମ୍ରପତ୍ରରୁ ମୁଁ ଭୋ÷ମକର ରାଜତ୍ୱରେ ଢେଙ୍କାନାଳ ସଂପର୍କରେ ଅନେକ ତଥ୍ୟ ଜାଣିଲି । ଭୋ÷ମକରମାନଙ୍କ ଅଧୀନରେ କୋଦାଳକ ମଣ୍ଡଳରେ ରାଜତ୍ୱ କରୁଥିବା ଶୁକ୍ଳୀବଂଶର ପ୍ରାୟ ସାତଗୋଟି ତାମ୍ରପତ୍ର ଢେଙ୍କାନାଳ ଅଞ୍ଚଳରୁ ମିଳିଅଛି । ତହିଁରୁ ବହୁ ଅଜ୍ଞାତ ତଥ୍ୟ ଜାଣିହେଲା । ଐରାବତ ମଣ୍ଡଳରେ ରାଜତ୍ୱ କରୁଥିବା ନନେ୍ଦାଦ୍ଭବ ବଂଶର କେତେଗୋଟି ତାମ୍ରପତ୍ର ଢେଙ୍କାନାଳ ଅଞ୍ଚଳରୁ ପ୍ରାପ୍ତ ହୋଇଅଛି । ସେଗୁଡିକ ଅନୁଧ୍ୟାନ କରିବା ପରେ କେତେକ ଅଜ୍ଞାତ ତଥ୍ୟ ହୃଦ୍ବୋଧ ହେଲା । ଭୋ÷ମକର ବଂଶ ପରେ ସୋମବଂଶୀମାନେ ଓଡ଼ିଶାରେ ରାଜତ୍ୱ କରିଥିଲେ । ଏହି ବଂଶର ଚନ୍ଦ୍ରକେଶରୀ ଢେଙ୍କାନାଳର ପ୍ରାଚୀନ ରାଜଧାନୀ କରମୂଳ ପାଟଣାରେ ରାଜଧାନୀ ସ୍ଥାପନ କରି ଢେଙ୍କାନାଳ ଅଞ୍ଚଳକୁ ଶାସନ କରିଥିଲେ । ସେ କପିଳାସର ପ୍ରଥମ ମନ୍ଦିର ଓ ଚନ୍ଦ୍ରପୁର (ଚାନ୍ଦପୁର)ର ହରିପୁର ମନ୍ଦିର ନିର୍ମାଣ କରାଇଥିଲେ । ସେହି ମନ୍ଦିର ଦୁଇଟି ଭାଙ୍ଗି ଯାଇଥିଲେ ମଧ୍ୟ ହରିହର ମୂର୍ତ୍ତି ନାଧରା ରାମଚଣ୍ଡୀ ପୀଠରେ ରହିଛି । ଚନ୍ଦ୍ରକେଶରୀଙ୍କ ବୃଷଭ ଶିଳାଲେଖ କପିଳାସରେ ରହିଛି । ତାଙ୍କ ରାଜତ୍ୱ ସଂପର୍କରେ ଅନେକ କଥା ଜାଣିହେଲା । ସୋମବଂଶୀ ପରେ ଗଙ୍ଗବଂଶୀମାନେ ଏହି ଭୂଖଣ୍ଡରେ ଆଧିପତ୍ୟ ବିସ୍ତାର କରିଥିଲେ । ଗଙ୍ଗବଂଶୀ ତୃତୀୟ ଅଙ୍ଗ ଭୀମଦେବ ମୋ÷ମକର ମାନେ ବ୍ରାହ୍ମଣୀ ତଟରେ ନିର୍ମାଣ କରିଥିବା ଭୋ÷ମନଗରୀ ଦୁର୍ଗକୁ ଭୀମନଗରୀ ନାମ ଦେଇ ଗୋଟିଏ ଦଣ୍ଡପାଟର ମାନ୍ୟତା ପ୍ରଦାନ କଲେ । ଅନଙ୍ଗ ଭୀମ ଦେବ ମଧ୍ୟ ଭୀମନଗରୀ ଦୁର୍ଗରେ କିଛି କାଳ ନିବାସ କରିଥିଲେ । ତଳମୂଳ ଠାରେ ପୂଜା ପାଉଥିବା ଶ୍ରୀବଳଦେବ ଜୀଉଙ୍କୁ ସେ ପୁରୀ ନେବାକୁ ଉଦ୍ୟମ କରିଥିଲେ ହେଁ ଘଟଣାକ୍ରମେ ଏହି ଠାକୁର ସଂପ୍ରତି ଢେଙ୍କାନାଳଠାରେ ଭବ୍ୟ ମନ୍ଦିରରେ ପୂଜା ପାଉଛନ୍ତି । ତଦୀୟ ପୁତ୍ର ଲାଙ୍ଗୁଳା ନରସିଂହ ଦେବ ୧୨୪୬ ଖ୍ରୀଷ୍ଟାବ୍ଦରେ କପିଳାସ ମନ୍ଦିିର ନିର୍ମାଣ କରାଇଥିବା ପୀଠସ୍ଥିତ ଦଧିନଉତି ଶିଳାଲେଖରୁ ପ୍ରମାଣିତ । ସେ ମଧ୍ୟ କୋଣାର୍କ ମନ୍ଦିର ନିମିତ୍ତ ଲୋ÷ହକଡ଼ି ପରଜଙ୍ଗ ସନ୍ନିକଟ ରଙ୍ଗଥଳୀ ଗ୍ରାମରୁ ନେଇଥିଲେ । ଗଙ୍ଗସମ୍ରାଟମାନେ କପିଳାସ ପର୍ବତରେ ଗୋଟିଏ ଦୁର୍ଗ ନିର୍ମାଣ କରିଥିଲେ, ଯାହା ବିଲଙ୍କାଗଡ଼ ନାମରେ ପରିଚିତ । ଅନଙ୍ଗଭୀମ ଦେବ ନାଗନା ଶିବମନ୍ଦିର ନିର୍ମାଣ କରାଇଥିଲେ । ଗଙ୍ଗ ରାଜତ୍ୱରେ ଜଗଦ୍ଗୁରୁ ଶ୍ରୀଧର ସ୍ୱାମୀ କପିଳାସର ବ୍ରହ୍ମଚାରୀ ମଠରେ ସାଧନାରତ ରହି ଶ୍ରୀ ନୃସିଂହଙ୍କ କୃପାରୁ ଶ୍ରୀମଦ୍ ଭାଗବତ ଶ୍ରୀମଦ ଭଗବତଗୀତା ଓ ବିଷ୍ଣୁପୁରାଣର ଟିକା ପ୍ରଣୟନ କରିଥିଲେ ।
ସୂର୍ଯ୍ୟବଂଶ ରାଜତ୍ୱରେ ଏହି ଭୂଖଣ୍ଡ କେତେକ ସ୍ଥାନୀୟ ଭୂମ୍ୟାଧିକାରୀ ଦ୍ୱାରା ଅଧିକୃତ ହୋଇଥିଲା । କରମୂଳ ପାଟଣାର ସାମନ୍ତ ରାଜା ଗଜପତିଙ୍କ ବଶ୍ୟତା ସ୍ୱୀକାର କରୁଥିଲେ ହେଁ ଅନ୍ୟାନ୍ୟ ଭୂମ୍ୟାଧିକାରୀମାନେ ସର୍ବଦା ପରସ୍ପର ମଧ୍ୟରେ ଯୁଦ୍ଧରେ ବ୍ୟାପୃତ ଥିଲେ । ପ୍ରତାପରୁଦ୍ରଦେବଙ୍କ ରାଜତ୍ୱରେ କରମୂଳ ସାମନ୍ତ ଅପୁତ୍ରିକ ଅବସ୍ଥାରେ ପରଲୋକ ଗମନ କଲେ । ତେଣୁ ପ୍ରତାପରୁଦ୍ର ଦେବ ସ୍ୱୀୟ ସେନାପତି ହରିସିଂହ ବିଦ୍ୟାଧରଙ୍କୁ କରମୂଳ ପାଟଣା ରାଜ୍ୟର ରାଜା ପଦବୀରେ ଅଧିଷ୍ଠିତ କରାଇଥିଲେ । ଉଦୀୟମାନ ବୀର ହରିବିଦ୍ୟାଧର ସ୍ଥାନୀୟ ଭୂମ୍ୟାଧିକାରୀଙ୍କୁ ପରାସ୍ତ କରି ଅଭିନବ ଢେଙ୍କାନାଳ ରାଜ୍ୟ ପ୍ରତିଷ୍ଠା କଲେ ଓ ଶବର ବୀର ଢେଙ୍କା ନାମରେ ଏହି ରାଜ୍ୟର ନାମ ଢେଙ୍କାନାଳ ରଖିଲେ । ୧୫୩୧ରୁ ୧୯୪୭ ପର୍ଯ୍ୟନ୍ତ ହରିବିଦ୍ୟାଧରଙ୍କ ବଂଶର ୧୯ଜଣ ରାଜା ଢେଙ୍କାନାଳରେ ରାଜତ୍ୱ କରିଛନ୍ତି । ସ୍ୱାଧୀନତା ପରେ ଭାରତ ସହିତ ଢେଙ୍କାନାଳର ମିଶ୍ରଣ ଘଟିଲା ଓ ଓଡ଼ିଶା ପ୍ରଦେଶରେ ଏହା ପ୍ରମୁଖ ଜିଲାର ମାନ୍ୟତା ଲାଭ କଲା ।
ଆଦିବାସୀ ସଂସ୍କୃତି ଢେଙ୍କାନାଳର ମୋ÷ଳିକ ସଂସ୍କୃତି ହୋଇଥିଲେ ହେଁ ଓଡ୍ରମାନେ ଏହି ଭୂଖଣ୍ଡରେ ନିବାସ କରିବା ପରେ ଆଦିବାସୀ ସଂସ୍କୃତି ଓ ଆର୍ଯ୍ୟ ସଂସ୍କୃତିର ମହାମିଳନ ଏହି ଭୂଖଣ୍ଡରେ ଘଟିଥିଲା । ତତ୍ପରେ ଶୈବ ସଂସ୍କୃତି, ବୈଷ୍ଣବ ସଂସ୍କୃତି ଓ ଶାକ୍ତ ସଂସ୍କୃତିର ସମନ୍ୱୟାତ୍ମକ ଧାରା ଏହି ମାଟିରେ ପ୍ରବାହିତ ହୋଇଥିଲା । ମଧ୍ୟଯୁଗରେ ଏହି ମାଟିରେ ଶ୍ରୀଜଗନ୍ନାଥ ସଂସ୍କୃତିର ବ୍ୟାପକ ପ୍ରଚାର ଓ ପ୍ରସାର ଘଟିଲା । ଗୋ÷ରବର କଥା, ଉନବିଂଶ ଶତାବ୍ଦୀରେ ଢେଙ୍କାନାଳରୁ ମହିମାଧର୍ମ ଜନ୍ମ ନେଇ ଆବିଶ୍ୱ ପ୍ରସାରିତ ହୋଇଥିଲା । ବେଦ ଭାଷ୍ୟକାର ସ୍କନ୍ଦସ୍ୱାମୀ, ମହେନ୍ଦ୍ର ସ୍ୱାମୀ, ବାମନ ସ୍ୱାମୀ, ଚିତ୍ରରଥ, ଜଗଦାର ଭଟ୍ଟ ପ୍ରଭୃତି ଅଗଣିତ ବୈଦିକ ବିଦ୍ୱାନ ଏହି ଭୂଖଣ୍ଡରେ ନିବାସ ପୂର୍ବକ ବୈଦିକ ଶିକ୍ଷାର ପ୍ରସାର ଘଟାଇଥିଲେ । ମଧ୍ୟଯୁଗରେ ଢେଙ୍କାନାଳରେ ସତାଇଶି ଗୋଟି ବ୍ରାହ୍ମଣ ଶାସନ ଓ ବତିଶି ଗୋଟିଏ କରବାଡ଼ ପ୍ରତିଷ୍ଠିତ ହୋଇ ଅଣଅନୁଷ୍ଠାନିକ ଶିକ୍ଷାର ବ୍ୟାପକ ପ୍ରସାର ଘଟିଥିଲା । ଉନବିଂଶ ଶତାବ୍ଦୀରେ ଗଡ଼ଜାତମାନଙ୍କ ମଧ୍ୟରେ ପ୍ରଥମେ ଢେଙ୍କାନାଳରେ ଇଂରାଜୀ ଶିକ୍ଷାର ପ୍ରଚଳନ ହେଲା । ୧୮୬୨ରେ ଢେଙ୍କାନାଳରେ ମଧ୍ୟଇଂରାଜୀ ବିଦ୍ୟାଳୟ ସହିତ ଗୋଟିଏ ସଂସ୍କୃତ ଟୋଲ୍ ପ୍ରତିଷ୍ଠିତ ହୋଇଥିଲା । ପରେ ପରେ ଢେଙ୍କାନାଳରେ ବିଭିନ୍ନ ଗ୍ରାମମାନଙ୍କରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା ହୋଇ ଆଧୁନିକ ଶିକ୍ଷାର ବିସ୍ତାର ଘଟିଥିଲା । ୧୮୯୬ରେ ମଧ୍ୟ ଇଂରାଜୀ ବିଦ୍ୟାଳୟଟି ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପରିଣତ ହୋଇଥିଲା । ସଂପ୍ରତି ଏହି ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ନାମରେ ପରିଚିତ ତଥା ଓଡ଼ିଶାର ଏକ ପ୍ରାଚୀନ ତଥା ପ୍ରମୁଖ ଶିକ୍ଷାନୁଷ୍ଠାନ ରୂପେ ମର୍ଯ୍ୟାଦାବନ୍ତ । ସ୍ୱାଧୀନତା ପରେ ଢେଙ୍କାନାଳ ଠାରେ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ସାନ୍ଧ୍ୟ ମହାବିଦ୍ୟାଳୟ, ଆଇନ ମହାବିଦ୍ୟାଳୟ, ଇଞ୍ଜିନିୟରିଂ ମହାବିଦ୍ୟାଳୟ ଓ ସମଗ୍ର ଉପରେ ଅନ୍ୟାନ୍ୟ ବତିଶି ଗୋଟି ମହାବିଦ୍ୟାଳୟ ପ୍ରତିଷ୍ଠିତ ହୋଇଛି । ଏତଦ୍ଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନ, ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ ସରସ୍ୱତୀ ବିଦ୍ୟାମନ୍ଦିର ସଂଖ୍ୟାଧିକ ଭାବରେ ପ୍ରତିଷ୍ଠିତ ।
ଭାରତର ସ୍ୱାଧୀନତା ସଂଗ୍ରାମକୁ ଢେଙ୍କାନାଳର ଦାନ ଅତୁଳନୀୟ । ବିଶ୍ୱର ସର୍ବକନିଷ୍ଠ ସହିଦ ବାଜି ରାଉତ ଏହି ମାଟିର ଗର୍ବ । ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ, ମହେଶ ଚନ୍ଦ୍ର ସୁବାହୁସିଂହ, ମୂଷା ମଳିକ, ଲକ୍ଷ୍ମୀଧର ସାହୁ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ହରମୋହନ ପଟ୍ଟନାୟକ, ବ୍ରଜକିଶୋର ଧଳ, ବୈଷ୍ଣବ ଚରଣ ପଟ୍ଟନାୟକ, ନରୋତ୍ତମ ଦାସ, ସତ୍ୟବାଦୀ ମିଶ୍ର, ଶ୍ରୀକାନ୍ତ ରାଉତ, ଲାଲୁ ମହମ୍ମଦ, ଭଜମନ ସାହୁ, ମହନ୍ତ ପ୍ରଧାନ, କୃତ୍ତିବାସ ପ୍ରଧାନ, କୁଳମଣି ବିଶ୍ୱାଳ, ଅନୁକୂଳ ସାହୁ, ଆନନ୍ଦ ସ୍ୱାଇଁ, ହୃଷୀ ପ୍ରଧାନ, ନଟ ମଳିକ, ଲକ୍ଷ୍ମଣ ମଳିକ, ଗୁରି ନାଏକ, ଦାସିଆ ସାହୁ, ନରହରି ତନ୍ତୀ, ଶମ୍ଭୁନାଏକ, କାଶୀ ନାଏକ, ଧୋବେଇ ନାଏକ, ନାଥ ବିଶ୍ୱାଳ, କାଳିଆ ବିଶ୍ୱାଳ, ପଦନ ବିଶ୍ୱାଳ, ବୀର ସାହୁ ଓ ବେନୁ ସାହୁ ପ୍ରଭୃତିଙ୍କ ଭୂମିକା ଉଲ୍ଲେଖନୀୟ । ସଂଗ୍ରାମୀଙ୍କ ବ୍ୟତୀତ ଡାକ୍ତର ରାଧାନାଥ ମିଶ୍ର, ବୈଜ୍ଞାନିକ ଡକ୍ଟର ଦାଶରଥି ମିଶ୍ର, ପ୍ରଫେସର ଦୟାନିଧି ପଟ୍ଟନାୟକ, ଧ୍ୱନିବିଜ୍ଞାନୀ ଗୋଲୋକ ବିହାରୀ ଧଳ, ପ୍ରଶାସକ ରାଜକିଶୋର ତିପ୍ରାଠୀ, ପ୍ରଶାସକ ବିମଳ କିଶୋର ମିଶ୍ର, ନ୍ୟାୟମୂର୍ତ୍ତି ଜୟକୃଷ୍ଣ ମିଶ୍ର, ନ୍ୟାୟ ମୂର୍ତ୍ତି ଗତିକୃଷ୍ଣ ମିଶ୍ର, ନ୍ୟାୟମୂର୍ତ୍ତି ଶରତ ଚନ୍ଦ୍ର ମହାପାତ୍ର, ନ୍ୟାୟମୂର୍ତ୍ତି ଦେବେନ୍ଦ୍ର ମୋହନ ପଟ୍ଟନାୟକ, ନ୍ୟାୟମୂର୍ତ୍ତି ଶଶୀକାନ୍ତ ମିଶ୍ର, ନ୍ୟାୟମୂର୍ତ୍ତି ଅମୀୟ କୁମାରୀ ପାଢୀ, ସାହିତି୍ୟକ ଅନ୍ନଦା ଶଙ୍କର ରାୟ, ମହାମହୋପାଧ୍ୟାୟ ରଙ୍ଗାଧର ଷଡଙ୍ଗୀ, ପ୍ରଫେସର ନୃସିଂହ ଚରଣ ପଣ୍ଡା, ବାବାଜୀ ବଳରାମ ଦାସ, ସ୍ୱାମୀ ଜୀବନ ମୁକ୍ତାନନ୍ଦ ସରସ୍ୱତୀ, ମହାଲେଖାକାର ସନତ କୁମାର ମିଶ୍ର, ଡାକ୍ତର ହୃଦାନନ୍ଦ ମିଶ୍ର, ଏଭରେଷ୍ଟ ବିଜୟିନୀ କଳ୍ପନା ଦାସ ପ୍ରଭୃତି ଢେଙ୍କାନାଳର ଯଶସ୍ୱୀ ସନ୍ତାନ । ଏମାନଙ୍କ ବ୍ୟତୀତ ଢେଙ୍କାନାଳର ବହୁ କୃତି ସନ୍ତାନ ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଶାସନ, ପ୍ରଯୁକ୍ତି ବିଦ୍ୟା, ବିଜ୍ଞାନ ପ୍ରଭୃତି କ୍ଷେତ୍ରରେ ଅନ୍ତର୍ଜାତୀୟ ଜାତୀୟ ପ୍ରସିଦ୍ଧି ଲାଭ କରିଛନ୍ତି, ଯାହା ଏକ ସ୍ୱତନ୍ତ୍ର ଆଲୋଚନା ପ୍ରତୀକ୍ଷା କରିଥାଏ । ଢେଙ୍କାନାଳର ବିପୁଳ ଐତିହାସିକ ବିଭବ, ଗୋ÷ରବୋଜ୍ଜ୍ୱଳ ସାଂସ୍କୃତିକ ଧାରା, ଉଚ୍ଚକୋଟିର ଶିଳ୍ପନୈପୁଣ, ଉଚ୍ଚାଙ୍ଗ ସାହିତ୍ୟ ଓ ସୃଜନଶୀଳ ପରମ୍ପରା ସଂପର୍କରେ ଅନେକ ଅବଗତ ନୁହନ୍ତି । ତେଣୁ ସେମାନେ ଢେଙ୍କାନାଳକୁ ନୁ୍ୟନ ଦୃଷ୍ଟିରେ ଦେଖୁଛନ୍ତି । ଅନେକ ବ୍ୟକ୍ତି ମଧ୍ୟ କିମ୍ଭୂତ କିମାକାର କାଳ୍ପନିକ କାହାଣୀ ସଂଯୋଜିତ କରି ଢେଙ୍କାନାଳର ଐତିହ୍ୟ ଓ ସଂସ୍କୃତିକୁ ବିକୃତ କରୁଛନ୍ତି । ଏପରିକି ଢେଙ୍କାନାଳର ରାଜବଂଶର ଇତିହାସ ସଂପର୍କରେ ତଥ୍ୟ ପ୍ରଦାନ କରିବାକୁ ଯାଇ ଜିଲାପାଳଙ୍କ କାର୍ଯ୍ୟାଳୟର ୱେବ ସାଇଟ (ଏନଆଇସି)ରେ ମହାରାଜା ଭଗୀରଥଙ୍କ ପରେ ପୀତାମ୍ବର ଦେବଙ୍କ ନାମ ରହିଛି, ଯାହା ସଂପୂର୍ଣ୍ଣ ଭ୍ରମାତ୍ମକ । ଏହି ୱେବ ସାଇଟ୍ରେ ଅନେକ ପ୍ରଥିତଯଶା ସ୍ୱାଧୀନତା ସଂଗ୍ରାମୀଙ୍କ ନାମ ନାହିଁ । ଢେଙ୍କାନାଳର ବିଭିନ୍ନ ଅଞ୍ଚଳରୁ ପ୍ରାପ୍ତ ଶିଳାଲେଖ, ତାମ୍ରପତ୍ର, ପ୍ରଥିତଯଶା ସ୍ୱାଧୀନତା ସଂଗ୍ରାମୀଙ୍କ ନାମ ନାହିଁ । ଢେଙ୍କାନାଳର ବିଭିନ୍ନ ଅଞ୍ଚଳରୁ ପ୍ରାପ୍ତ ଶିଳାଲେଖ, ତାମ୍ରପତ୍ର, ପ୍ରାଚୀନ ମୁଦ୍ରା ଓ ପ୍ରତ୍ନ ଅବଶେଷ ସଂପର୍କରେ ବିଧିବଦ୍ଧ ଗବେଷଣା ହୋଇନାହିଁ । ଏହି ଦୃଷ୍ଟିକୋଣରୁ ଐତିହ୍ୟ ଓ ସଂସ୍କୃତି ଉପରେ ଗବେଷଣା କରିଥିଲି । ଜିଲା କାର୍ଯ୍ୟାଳୟର ଅଭିଲେଖାଗାର, ରାଜପ୍ରାସାଦ, ବ୍ରଜନାଥ ବଡଜେନା ଉଚ୍ଚବିଦ୍ୟାଳୟ ପୁସ୍ତକାଳୟ, ରେଭେନ୍ସାର କନିକା ପାଠାଗାର, ପଢିଆରୀ ପାଠାଗାର, ରାଜ୍ୟ ହରେକୃଷ୍ଣ ପାଠାଗାର, ରାଜ୍ୟ ଅଭିଲେଖାଗାର, ରାଜ୍ୟ ସଂଗ୍ରହାଳୟ, ବାଣୀବିହାର ପରିଜା ପାଠାଗାର, ପୁରୀର ରଘୁନନ୍ଦନ ପାଠାଗାର, କଟକର ରାଜସ୍ୱ ପର୍ଷଦ ଭୁବନେଶ୍ୱର କେଦାରନାଥ ଗବେଷଣା ପରିଷଦ, କଲିକତା ବିଶ୍ୱବିଦ୍ୟାଳୟ, କଲିକତା ସଂଗ୍ରହାଳୟ, ପାଟନା ବିଶ୍ୱବିଦ୍ୟାଳୟ, ପାଟନା ସଂଗ୍ରହାଳୟ, ନାଗପୁର ସଂଗ୍ରହାଳୟ ପ୍ରଭୃତିରୁ ଅନେକ ତଥ୍ୟ ସଂଗ୍ରହ କଲି । ଏତଦ୍ଭିନ୍ନ ବାବାଜୀ ରାମ ଦାସଙ୍କ ବଳଭଦ୍ର ବୋଲି, ଆବିକଳ ଅବଧାନଙ୍କ ଭଞ୍ଜବୋଲି, ପଣ୍ଡିତ ନଗେନ୍ଦ୍ର ନାଥ ମହାପାତ୍ରଙ୍କ ସେବକାଳର କଥା, ଡକ୍ଟର ହରେକୃଷ୍ଣ ମହାତାବଙ୍କ ଓଡ଼ିଶା ଇତିହାସ, ଜଷ୍ଟିସ ରାଜକିଶୋର ଦାସଙ୍କ ଅନେକ ଦିନର ଅନେକ କଥା, ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାଶଙ୍କ ଉନବିଂଶ ଶତାବ୍ଦୀର ଓଡ଼ିଶା, ଜଗନ୍ନାଥ ପ୍ରସାଦ ଦାସଙ୍କ ଦେଶକାଳ ପାତ୍ର, ରାଜମାତା ରତ୍ନପ୍ରଭା ଦେବୀଙ୍କ ‘୧୯୦୯ରୁ ଏପର୍ଯ୍ୟନ୍ତ’, ଗୋକୁଳ ପଟ୍ଟନାୟକଙ୍କ ମଧୁପୁର କୋଇଲି, ବ୍ରଜନାଥ ବଡଜେନାଙ୍କ ସମରତରଙ୍ଗ, ଶ୍ରୀଧର ମହାପାତ୍ରଙ୍କ ଓଡ଼ିଶା ପ୍ରକାଶନ ଓ ପ୍ରସାରଣର ଇତିହାସ, ପଣ୍ଡିତ ଗଙ୍ଗାଧର ମିଶ୍ରଙ୍କ ଆମ ଘରର କଥା, ପଦ୍ମଶ୍ରୀ ଲକ୍ଷ୍ମୀ ନାରାୟଣ ସାହୁଙ୍କ ଓଡ଼ିଶାର ଗଡଜାତ, ହରମୋହନ ପଟ୍ଟନାୟକଙ୍କ ଢେଙ୍କାନାଳ ପ୍ରଜାମଣ୍ଡଳ ଆନେ୍ଦାଳନ ଓ ପ୍ରାୟ ପଚାଶ ଖଣ୍ଡ ଇଂରାଜୀ ବହିରୁ ଅନେକ ତଥ୍ୟ ପାଇଲି । ଏସବୁ ସଂଗ୍ରହ କରିବା ନିମିତ୍ତ ଏକଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେଲା ଓ ପାଞ୍ଚ ଛଅ ବର୍ଷ ଲାଗିଗଲା । ଦୁର୍ଭାଗ୍ୟକୁ ମୁଁ ଦୁର୍ଘଟଣା ଗ୍ରସ୍ତ ହୋଇ ଦୀର୍ଘଦିନ ପଡିରହିଲି । ଭଲ ହେବା ପରେ କଟକର ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନକୁ ଗ୍ରନ୍ଥଟିକୁ ପ୍ରକାଶ କରିବାକୁ ଦେଲି । ଗ୍ରନ୍ଥଟିର ନାଁ ରଖିଲି ‘ଢେଙ୍କାନାଳର ଐତିହ୍ୟ ଓ ସଂସ୍କତି । ପାଠକୀୟ ଆଦୃତି ଲାଭ କରି ଗ୍ରନ୍ଥଟି ତୃତୀୟ ସଂସ୍କରଣ ହେଲାଣି ।
ଆନନ୍ଦନଗର , କାଠଗଡା, ଢେଙ୍କାନାଳ, ୮୮୯୫୨୩୦୭୨୨