ଥାନାରୁ ଚୋରି ଟ୍ରାକ୍ଟର ଘଟଣା : ଦୁଇ ଗିରଫ; ସନେ୍ଦହ ଘେରରେ ପୁଲିସ 

ଧର୍ମଶାଳା : ଥାନା ପରିସରରୁ ଜବଦ ହୋଇ ଥିବା ବାଲି ବୋଝେଇ ଟ୍ରାକ୍ଟରକୁ ନେଇଯିବା ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଦୁର୍ବୃତ୍ତ ଚୋରାମୁହାଁ ପଞ୍ଚାୟତ ମଙ୍ଗଳପୁର ଗ୍ରାମର ସୁବାସ ଦାସ ପୁଅ ପ୍ରିୟବ୍ରତ (୩୩)ଓ ଉତରପ୍ରତାପ ପଞ୍ଚାୟତର ଚାନ୍ଦମହିନୀ ଗ୍ରାମର ପ୍ରତାପ ବେହେରାଙ୍କ ପୁଅ ବିକ୍ରମ (୨୪) ହୋଇଥିବା ବେଳେ ଥାନା ମାମଲା ନଂ ୩୩୮/୨୫ରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ସୂଚନା ଦେଇଛନ୍ତି । ତେବେ ଥାନା କ୍ୟାମ୍ପସରୁ ଦୁର୍ବୃତ୍ତ ଟ୍ରାକ୍ଟରକୁ ନେଇଯିବା ଘଟଣାରେ ପୁଲିସର ଭୁମିକା ସନେ୍ଦହ ଘେରକୁ ଆସିଛି । ଥାନାରେ କିଛି ବାହାର ଲୋକ ଦଲାରୀ କରି ପୁଲିସ ପକେଟ ଗରମ କରିବା ସହ ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶୟ ଦେବାରେ ସାହାଯ୍ୟ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏଠି ଥାନା ପରିସରରୁ ଫୋର୍ସ ମହଜୁତ ଥିବା ସମୟରେ କିପରି ଭାବରେ ମାଫିଆ ଟ୍ରାକ୍ଟରଟିକୁ ଥାନାରୁ ନେଇଗଲେ ତାହା ହିଁ ପୁଲିସର ଭୁମିକାକୁ ସନେ୍ଦହ ଘେରକୁ ଟାଣି ନେଇଛି । ଖବର ଥାଉକି ୬ତାରିଖ ଭୋର ସମୟରେ ଭବାନୀପୁର ଘାଟରୁ ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ପୁଲିସ ଜବତ କରି ଥାନା ପରିସରରେ ରଖିଥିଲା । କିନ୍ତୁ ସେଇ ରାତିରେ ବାଲି ମାଫିଆ ଟ୍ରାକ୍ଟରଟିକୁ ଥାନାରୁ ନେଇ ଯାଇଥିଲେ । ରାତିରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଟ୍ରାକ୍ଟରଟିକୁ ସନେ୍ଦହରେ ପିଛାକରି ବ୍ରାହ୍ମଣୀ ନଦୀ ବନ୍ଧରୁ ଜବତ କରିଥିଲା ।