ଥାନାରେ ପହଞ୍ଚିଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ମାମଲା  

ଥାନାରେ ପହଞ୍ଚିଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ମାମଲା  

ଭୁବନେଶ୍ୱର : ଥାନାରେ ପହଞ୍ଚିଲା ମକର ସଂକ୍ରାନ୍ତି ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ଓ ଉପବାସ ରଖିବା ମାମଲା । ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ କରିବା ଓ ଉପବାସ ରଖିବା ନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ ଲିଙ୍ଗରାଜ ଥାନାରେ ଏତଲା ହୋଇଛି । ଅମରେନ୍ଦ୍ର ଗରାବଡୁ କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତିଙ୍କ ନାଁରେ ଲିଙ୍ଗରାଜ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

   ସୂଚନାଯୋଗ୍ୟ ଯେ, ପବିତ୍ର ମକର ସଂକ୍ରାନ୍ତିରେ  ଉପାସ ରହିଥିଲେ ଲିଙ୍ଗରାଜ ମହାପ୍ରଭୁ। ମଙ୍ଗଳବାର ସଞ୍ଜ ବେଶ ପରଠାରୁ ଏଭଳି ଅଚଳାବସ୍ଥା ଦେଖାଦେଇଥିଲା । ମକର ସଂକ୍ରାନ୍ତିରେ ଲାଗିହେବାକୁ ଥିବା ଘୃତ କମ୍ବଳ ନୀତିରେ ବିବାଦ ଯୋଗୁଁ ଠାକୁରଙ୍କ ପୂଜାର୍ଚ୍ଚନା ବନ୍ଦ କରିଦେଇଥିଲେ । ମକର ସଂକ୍ରାନ୍ତି ପୂର୍ବ ଦିନ ନବାଙ୍କ ବେଢ଼ା ନୀତିରେ କ୍ଷୀର କିଏ ଆଉଟିବେ ତାକୁ ନେଇ ବିବାଦ ଉପୁଜିଥିଲା । ଗୋଟିଏ ପଟେ ବଢୁ ନିଯୋଗ କହୁଥିଲେ କ୍ଷୀର ଆଉଟିବା ତାଙ୍କ ସେବା ତ ଅନ୍ୟପଟେ ବ୍ରାହ୍ମଣ ନିଯୋଗଏହାକୁ ବିରୋଧ କରୁଥିଲେ । ଗତବର୍ଷ ଦିଅଁଙ୍କ ନୀତି ୩ ଦିନ ବନ୍ଦ ରହିଥିଲା । ୧୦ ମାସ ବିତିଯିବା ପରେ ଡିସେମ୍ବର ୨୦୨୫ରେ ସୁଆରମାନେ ଏହି ସେବା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ବଢୁ ନିଯୋଗ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ତେବେ ନୀତି କିଏ କରିବ ଏହି ପ୍ରସଙ୍ଗରେ ରହିତାଦେଶ ଜାରି ହୋଇଛି ଯାହାକି ଫେବୃଆରୀ ୨୬ ପର୍ଯ୍ୟନ୍ତ ବଳବତ୍ତର ରହିଛି । ପ୍ରଶାସନ ବା ଦେବୋତ୍ତର କମିଶନ ଏ ଦିଗରେ ହସ୍ତକ୍ଷେପ ନ କରିବାରୁ ଏହି ବିବାଦ ଦେଖାଦେଲା ବୋଲି ସେବାୟତମାନେ କହିଛନ୍ତି ।