ଦକ୍ଷିଣ ଆଫ୍ରିକାରୁ ବିଶ୍ୱକୁ ସନ୍ଦେଶ 

ସୌମେନ୍ଦ୍ର ଜେନା : ଜି୨୦ ଆଲୋଚନାରେ ୧୨୨ଟି ବିନ୍ଦୁର ମିଳିତ ଘୋଷଣାନାମା ପ୍ରକାଶ ପାଇଛି । ଏଥିରେ ବିଶ୍ୱରେ ସମାନତା, ବିବିଧ କ୍ଷେତ୍ରରେ ସଂସ୍କାର, ନିରନ୍ତର ବିକାଶକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି । ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ କୁହାଯାଇଛି ଯେ ଖାଦ୍ୟ ଶସ୍ୟର ମୂଲ୍ୟକୁ ରୋକିବା, ଛୋଟ·ଷୀମାନଙ୍କୁ ସହାୟତା ଯୋଗାଇଦେବା, ପୁଷ୍ଟିକର ଖାଦ୍ୟ ସହ ମୂଲ୍ୟକୁ ନିୟନ୍ତ୍ରଣ କରାଯିବା ଉପରେ ଗୁରୁତ୍ୱ ଦିଆଯିବ । ଆର୍ଥିକ ସଂସ୍କାର ଏବଂ ଋଣରୁ ମୁକ୍ତିପାଇଁ ଆନ୍ତର୍ଜାତିକ ଅର୍ଥ ବ୍ୟବସ୍ଥାକୁ ପୁନର୍ଗଠନ କରିବା, ମଧ୍ୟମ ଓ ଦୁର୍ବଳ ଆର୍ଥିକ ସ୍ଥିତିରେ ଥିବା ଦେଶଗୁଡିକ ପାଇଁ ଋଣ ପରି·ଳନା କଷ୍ଟ ଲାଘବ ପାଇଁ ମାର୍ଗଦର୍ଶନ ଦେବା ଉପରେ ଜୋର ଦିଆଯିବ । ଠିକ୍‌ ସେହିପରି ଜଳବାୟୁ ପରିବର୍ତ୍ତନ ଏବଂ ଶକ୍ତିର ଯୋଗାଣ କ୍ଷେତ୍ରରେ ପ୍ରଦୂଷଣକୁ ଦୂର କରିବା ଉପରେ ଜୋର ଦିଆଯିବ । ଜଳବାୟୁ ପରିବର୍ତ୍ତନ ଯୋଗୁ ହେଉଥିବା କ୍ଷୟକ୍ଷତିର ସାମ୍‌ନା କରିବା ପାଇଁ ଅର୍ଥ ଯୋଗାଇ ଦେଇ କ୍ଷୟକ୍ଷତି  ହ୍ରାସ କରିବାକୁ ଜୋର ଦିଆଯିବ । ଅସମାନତା ଦୂର କରିବା ପାଇଁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି, ଉନ୍ନୟନ ବ୍ୟାଙ୍କଗୁଡିକରେ ସଂସ୍କାର ଆଣି ଦକ୍ଷିଣ ବିଶ୍ୱର ଦାବିକୁ ଗ୍ରହଣ କରି ଆର୍ôଥକ ଅସମାନତା ଦୂର କରିବାକୁ ପ୍ରୟାସ କରାଯିବ । ଆଫ୍ରିକାରେ ଥିବା ମୂଲ୍ୟବାନ ଖଣିଜ ପଦାର୍ଥର ଉପଯୁ୍‌କ୍ତ ବିନିଯୋଗ, ଯୋଗାଣକୁ ପ୍ରୋତ୍ସାହନ ଦେବାଲାଗି ପ୍ରୟାସ କରାଯିବାକୁ କୁହାଯାଇଥିଲା । କେବଳ ଆଫ୍ରିକାରୁ ବିଦେଶକୁ ଖଣିଜ ଦ୍ରବ୍ୟ ରପ୍ତାନୀକୁ ଲକ୍ଷ୍ୟ ରଖିବା ଅନୁଚିତ ବୋଲି ମତପ୍ରକାଶ ପାଇଥିଲା । ପାଲେଷ୍ଟାଇନ, ୟୁକ୍ରେନ, ସୁଦାନ ଏବଂ କଙ୍ଗୋ ପରି ରାଷ୍ଟ୍ରରେ ସଂଘର୍ଷକୁ ବନ୍ଦ କରାଯାଇ ଶାନ୍ତି ସ୍ଥାପନା ଲାଗି ପ୍ରୟାସ କରାଯିବା ଉପରେ ଜୋର ଦେବାକୁ କୁହାଯାଇଥିଲା । କୃତ୍ରିମ ବୁଦ୍ଧିମତ୍ତାକୁ ଆର୍ôଥକ  ଓ ସାମାଜିକ ବିକାଶରେ ବିନିଯୋଗ କରାଯିବା ଉପରେ ଜୋର ଦେବାକୁ ମତପ୍ରକାଶ ପାଇଥିଲା । 


  ଜି୨୦ ବୈଠକ ସମୟରେ ଭାରତ ଗଠନମୂଳକ ସକ୍ରିୟ ଭୂମିକା ନେଇଥିଲା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋହାନ୍ସବର୍ଗ ବିମାନ ବନ୍ଦରରେ ପହଞ୍ôଚବାପରେ ତାଙ୍କୁ ପାରମ୍ପାରିକ ଢଙ୍ଗରେ ଆଫ୍ରିକୀୟ ନୃତ୍ୟ-ସଂଗୀତ ସହ ସ୍ୱାଗତ କରାଯାଇଥିଲା । ମୋଦିଙ୍କ ସ୍ୱାଗତ ପାଇଁ ସେଠାରେ ଭାରତୀୟ ଲୋକେ ମଧ୍ୟ ବିବିଧ ପ୍ରକାର କାର୍ଯ୍ୟକ୍ରମମାନ ଆୟୋଜନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଜି୨୦ ଅବସରରେ ଅନେକ ବିଶ୍ୱନେତାଙ୍କୁ ସାକ୍ଷାତକରି ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଯେମିତିକି ୨୩ ନଭେମ୍ବର ଦିନ ଭାରତ -ବ୍ରାଜିଲ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୬ଷ୍ଠ ବୈଠକ ହୋଇଥିଲା । ଜୋହାନ୍ସବର୍ଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବ୍ରାଜିଲର ରାଷ୍ଟ୍ରପତି ଲୁଲା ଏବଂ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସା ମିଳିତଭାବେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୂର୍ବଥର ୨୦୧୧ରେ ଏହି ଗୋଷ୍ଠୀର ବୈଠକ ପ୍ରିଟୋରିଆଠାରେ ହୋଇଥିଲା । ୨୦୦୩ରେ ଏହି ଗୋଷ୍ଠୀର ଜନ୍ମ ସେ ସମୟର ପ୍ରଧାନମନ୍ତ୍ରୀ ଅଟଳ ବିହାର ବାଜପେୟୀଙ୍କ ଆଲୋଚନାକ୍ରମେ ହୋଇଥିଲା । ପୃଥିବୀର ତିନୋଟି ଜନବହୁଳ ଏବଂ ବଡ ଅର୍ଥନୀତି ସଂପନ୍ନ ରାଷ୍ଟ୍ରଙ୍କ ମଧ୍ୟରେ ଗଣତନ୍ତ୍ର, ବିକାଶଶୀଳ ଅର୍ଥନୀତି ଏବଂ ସମାନ ମୂଲ୍ୟବୋଧକୁ ଆଧାରକରି ଆଗକୁ ବଢିବାଲାଗି ଏହି ଗୋଷ୍ଠୀ  ଗଠିତ (ଇବସା)ହୋଇଥିଲା । ଏକତା, ସହଯୋଗ ଏବଂ ମାନବିକତା ହେଉଛି ଇବସାର ବିଶ୍ୱକୁ ବାର୍ତ୍ତା ବୋଲି ଶ୍ରୀ ମୋଦି ପ୍ରକାଶ କରିଥିଲେ । ସେ କହିଥିଲେ ଯେ ବିଶ୍ୱ ଏବେ ବହୁଧା ବିଭକ୍ତ ଏବଂ ଅନେକ ଦିଗରେ ଗତିଶୀଳ । ତେଣୁ ଇବସା ଗୋଷ୍ଠୀର ଦାବି ହେଉଛି ଜାତିସଂଘରେ ସାଂଗଠନିକ ପରିବର୍ତ୍ତନ ଏକ ବିଷୟ ନୁହେଁ ଏବେ ଆବଶ୍ୟକତାରେ ପରିଣତ ହୋଇଛି । ତେଣୁ ତିନୋଟି ସଦସ୍ୟଭୁକ୍ତ ରାଷ୍ଟ୍ରର ସୁରକ୍ଷା ପରାମର୍ଶଦାତାଙ୍କ ମଧ୍ୟରେ ନିୟମିତ ବୈଠକ ସୁରକ୍ଷାଗତ ସହଯୋଗ ପାଇଁ ଆବଶ୍ୟକ ।

   ସେ ଇବସା ଡିଜିଟାଲ ଇନୋଭେସନ ଆଲାଏନ୍ସ ଗଠନ ଦ୍ୱାରା ପରସ୍ପରକୁ ବିକାଶରେ ସାହାଯ୍ୟ କରିବା ସହ ଦକ୍ଷିଣ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡିକ ପାଇଁ ସୁରକ୍ଷିତ, ବିଶ୍ୱସନୀୟ ଏବଂ ମାନବ ଆଧାରିତ କୃତ୍ରିମ ବୁଦ୍ଧିମତାର ନିୟମାବଳୀ ପ୍ରସ୍ତୁତ କରିବାକୁ ଆହ୍ୱାନ ଦେଇଥିଲେ । ଜଳବାୟୁ ସହନକାରୀ କୃଷି ପାଇଁ ଇବସା ପାଣ୍ଠି ଗଠନପାଇଁ ଶ୍ରୀ ମୋଦି ପ୍ରସ୍ତାବ ଦେଇଥିଲେ । କାରଣ ୨୦୦୬ରେ ଯେଉଁ ଇବସା  (ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା) ପାଣ୍ଠି ଗଠନ କରାଯାଇଥିଲା ସେଥିରେ ୪୦ଟି ଦେଶରେ ୫୦ଟି ପ୍ରକଳ୍ପ ନିର୍ମାଣ କରାଯାଇସାରିଛି । ତନ୍ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ସୋରଶକ୍ତି ଉତ୍ପାଦନ ଆଦି ରହିଛି । ଇବସା ଆଲୋଚନାରେ ଯୋଗଦାନ କରି ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସା ବହୁ ପ୍ରତିନିଧିମୂଳକ ଏବଂ ଦାୟିତ୍ୱ ତୁଲାଇପାରୁଥିବା ବହୁପକ୍ଷୀୟ ବ୍ୟବସ୍ଥା ନିର୍ମାଣ ଦିଗରେ କାର୍ଯ୍ୟକରିବା ପାଇଁ କହିଥିଲେ । ଆର୍ôଥକ ବିକାଶର ସହଯୋଗରେ ପୃଥିବୀରେ ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ରହିଥିବା ଫରକ ଦୂର କରାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ବ୍ରାଜିଲର ରାଷ୍ଟ୍ରପତି ଲୁଇସ ଇନାସିଓ ଲୁଲା ଦା ସିଲଭା କହିଥିଲେ ଯେ ଏହି ଗୋଷ୍ଠୀର ତିନିରାଷ୍ଟ୍ର ସବୁବେଳେ ଜାତିସଂଘ, ଜି୨୦ ଏବଂ ବ୍ରିକ୍ସରେ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଆସିଛନ୍ତି । ବିଶ୍ୱ ଶୃଙ୍ଖଳାରେ ଏମାନେ ଦକ୍ଷିଣ ବିଶ୍ୱର ପ୍ରଭାବକୁ ଶକ୍ତିଶାଳୀ କରିଛନ୍ତି । ଏକଥା ସତ ଯେ ବ୍ରିକ୍ସର ସକ୍ରିୟତା ପରେ ଇବସା କିଛିଟା ଦୁର୍ବଳ ହୋଇଛି । କାରଣ ଏହି ତିନିରାଷ୍ଟ୍ର ବ୍ରିକ୍ସର ମଧ୍ୟ ସଦସ୍ୟ ରହିଛନ୍ତି। 


  ଜୋହାନ୍ସବର୍ଗରେ ଇବସା ସଦୃଶ ଅନ୍ୟ ଏକ ଗୋଷ୍ଠୀ ଏସିଆଇ (ଅଷ୍ଟ୍ରେଲିଆ-କାନାଡା- ଭାରତ) କାର୍ଯ୍ୟକରିବା ଲାଗି ଆଲୋଚନା ହୋଇଥିଲା । ଭାରତର ପ୍ରଧାନମନ୍ତ୍ରୀ ମୋଦି, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଅଲବାନିସ ଏବଂ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି ମିଳିତ ଭାବେ ଏକାଠି ହୋଇ ଆଲୋଚନା କରିଥିଲେ । ଏହି ତିନୋଟି ଗଣତାନ୍ତ୍ରିକ ରାଷ୍ଟ୍ର ଟେକ୍ନୋଲୋଜୀ ନବସର୍ଜନାରେ ସହଯୋଗ, ପରସ୍ପରକୁ ବିକାଶ କ୍ଷେତ୍ରରେ ସାହାଯ୍ୟ କରିବାପାଇଁ ସ୍ଥିର ହୋଇଥିଲା । ପ୍ରଦୂଷଣମୁକ୍ତ ଶକ୍ତି ଉତ୍ସ ଯୋଗାଣ ପାଇଁ ଏକ ମୁକ୍ତ ଶୃଙ୍ଖଳା, ବହୁକ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାକୁ ଗ୍ରହଣକରି ବିକାଶ କାର୍ଯ୍ୟ କରିବା ପାଇଁ ସହମତି ପ୍ରକାଶ ପାଇଥିଲା । ଏଥିପାଇଁ ତିନିରାଷ୍ଟ୍ର ଆସନ୍ତାବର୍ଷ ଏକାଠି ହୋଇ ସହଯୋଗର କାର୍ଯ୍ୟଧାରା ପ୍ରସ୍ତୁତ କରିବେ । ୨୦୨୦ରୁ ଅଷ୍ଟ୍ରେଲିଆ ସହ ଭାରତର ରଣନୀତିକ ସହଯୋଗ ରହିଆସିଛି । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ କାନାଡା ଏବଂ ଅଷ୍ଟ୍ରେଲିଆ ସୁରକ୍ଷା ଦୃଷ୍ଟିରୁ ଭାରତ ସହ ମିଶି ଅଧିକ କାର୍ଯ୍ୟ କରିପାରିବେ । ଦୁଇଦେଶ ମଧ୍ୟରେ ପୁଞ୍ଜିନିବେଶ, ପ୍ରତିରକ୍ଷା, ଶିକ୍ଷା, ଗବେଷଣା, ନବସର୍ଜନା, ବିଜ୍ଞାନ ଓ ଟେକ୍‌ନୋଲୋଜୀ, ମହାକାଶ ଓ ଶକ୍ତି କ୍ଷେତ୍ରରେ ସହଯୋଗ ପରିବ୍ୟାପ୍ତ ।


  ଠିକ୍‌ ସେମିତି କାନାଡା ସହ ଭାରତର ସଂପର୍କ କାନାଡର ପୂର୍ବତନ ପ୍ରଧାନମନ୍ତ୍ରୀ ଟ୍ରୁଡେଉଙ୍କ ପାଇଁ ଅସ୍ଥିର ହୋଇଥିଲେ ହେଁ ମାର୍ଚ୍ଚ ୨୦୨୫ରେ କାର୍ଣ୍ଣି ପ୍ରଧାନମନ୍ତ୍ରୀ ହେବାପରେ ଦୁଇଦେଶ ମଧ୍ୟରେ ସଂପର୍କରେ ସୁଧାର ହେଉଛି । ଜି ୭ ବୈଠକ ସମୟରେ ଭାରତର ପ୍ରଧାନମନ୍ତ୍ରୀ ମୋଦି ଏବଂ କାର୍ଣ୍ଣିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ଜି୨୦ ସମୟରେ ଦୁଇନେତା ଦ୍ୱିପାକ୍ଷିକ ବାଣିଜ୍ୟକୁ ବର୍ତ୍ତମାନର ୩୦ ବିଲିଅନ ଡଲାରରୁ ବଢାଇ ୫୦ ବିଲିଅନ ପର୍ଯ୍ୟନ୍ତ ନେବାଲାଗି ଲକ୍ଷ୍ୟ ରଖିଥିବା ବିଷୟରେ ଆଲୋଚନା କରିଛନ୍ତି । ଏକଥା ସତ ଯେ ଟ୍ରମ୍ପଙ୍କ ଶୁଳ୍କ କଟକଣା ଯୋଗୁ କାନାଡା ଯେଉଁ କ୍ଷତି ସହୁଛି ସେଥିରେ ଭାରତ ତାକୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିପାରିବ ବୋଲି ଆଶାକରୁଛି । ତେଣୁ ଦୁଇଦେଶ ମଧ୍ୟରେ କୂଟନୀତିଜ୍ଞ ସଂଖ୍ୟା ହ୍ରାସ କରାଯାଇଥିଲା ବର୍ଷକ ଆଗରୁ । ଆଗାମୀ ଦିନରେ ଅଧିକସଂଖ୍ୟକ କୂଟନୀତିଜ୍ଞଙ୍କୁ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରାଯିବାର ସମ୍ଭାବନା ରହିଛି । କାର୍ଣ୍ଣି ଆସନ୍ତାବର୍ଷ ଭାରତ ଗସ୍ତରେ ଆସିବାର ଯୋଜନା ରହିଛି । 


    ଜୋହାନ୍ସବର୍ଗଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଛଅଗୋଟି ପ୍ରସ୍ତାବ ଦେଇଥିଲେ । ତନ୍ମଧ୍ୟରେ ପାରମ୍ପରିକ ଜ୍ଞାନର ବିଶ୍ୱସ୍ତରୀୟ ଉତ୍ସ କେନ୍ଦ୍ର ସ୍ଥାପନ, ଆଫ୍ରିକା ଦକ୍ଷତା ବିକାଶ  କାର୍ଯ୍ୟକ୍ରମ, ବିଶ୍ୱ ସ୍ୱାସ୍ଥ୍ୟ ସେବା ଦଳ ଗଠନ, ନିଶା-ସନ୍ତ୍ରାସ ମେଣ୍ଟ ବିରୁଦ୍ଧରେ ପଦକ୍ଷେପ, ମୁକ୍ତ ଉପଗ୍ରହ ତଥ୍ୟ ସହଯୋଗ, ମୂଲ୍ୟବାନ ଖଣିଜଦ୍ରବ୍ୟ ଯୋଗାଣ ନିମନ୍ତେ ପଦକ୍ଷେପ । ଜି୨୦ ବିଶ୍ୱ ପାରମ୍ପରିକ ଜ୍ଞାନ ଉତ୍ସ କେନ୍ଦ୍ର ବିଶ୍ୱର ଆଗାମୀ ପିଢିଗୁଡିକ ପାଇଁ ଜ୍ଞାନ ସଂଗ୍ରହରେ ସାହାଯ୍ୟ କରିବ । ଆଫ୍ରିକାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ୧୦ଲକ୍ଷ ପ୍ରଶିକ୍ଷିତ ଯୁବଶକ୍ତି ନିର୍ମାଣ କରାଯିବ, ଯାହାକି ପ୍ରମାଣପତ୍ର ସହ ଦକ୍ଷ ଯୁବଶକ୍ତି ନିର୍ମାଣ କରିବ,  ଯାହା ମହାଦେଶ ପାଇଁ ଦୀର୍ଘକାଳୀନ ବିକାଶ ପାଇଁ ସହାୟକ ହେବ । ଜି୨୦ ବିଶ୍ୱ ସ୍ୱାସ୍ଥ୍ୟସେବା ଦଳ ନିର୍ମାଣ ପାଇଁ ମୋଦି ପ୍ରସ୍ତାବ ଦେଇ କହିଲେ ଯେ ଜି୨୦ ରାଷ୍ଟ୍ର ସମୂହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆସୁଥିବା ଆହ୍ୱାନର ସମ୍ମୁଖୀନ ହେବାଲାଗି ସ୍ୱତନ୍ତ୍ର ପ୍ରଶିକ୍ଷିତ ଦଳ ନିର୍ମାଣ କରିବା ଦରକାର । ଯେଉଁମାନେ ବିଶ୍ୱର ସ୍ୱାସ୍ଥ୍ୟସେବା ପାଇଁ କାର୍ଯ୍ୟକରିପାରିବେ, ଆବଶ୍ୟକ ସମୟରେ ଯାଇ ପୃଥିବୀର ଯେ କୋଣସି କୋଣରେ କାର୍ଯ୍ୟ କରିବେ । ନିଶା-ସନ୍ତ୍ରାସ ମେଣ୍ଟ ଯୋଗୁ ସାରା ବିଶ୍ୱରେ ନିଶା ବ୍ୟବସାୟ ଏବଂ ସନ୍ତ୍ରାସବାଦକୁ ଅର୍ଥ ମିଳୁଛି, ଯାହାକୁ ଭଙ୍ଗାଯିବା ଆବଶ୍ୟକ ।

    କୃତ୍ରିମ ବୁଦ୍ଧିମତ୍ତାର ଉପଯୁକ୍ତ ବ୍ୟବହାର, ଲୋକଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ଏବଂ ଏହାର ଉପଯୁକ୍ତ ଉପଯୋଗ ଉପରେ ଶ୍ରୀ ମୋଦି ଜୋର ଦେଇଥିଲେ । ଫେବୃଆରୀ ୨୦୨୬ରେ ଭାରତରେ କୃତ୍ରିମ ବୁଦ୍ଧିମତ୍ତା ସଂପର୍କରେ ଆନ୍ତର୍ଜାତିକ ଶିଖର ସ୍ତରୀୟ ଆଲୋଚନାରେ ପୃଥିବୀର ନେତାମାନେ ଯୋଗଦେବେ ବୋଲି ଶ୍ରୀ ମୋଦି ପ୍ରକାଶ କରିଥିଲେ । ମୂଲ୍ୟବାନ ଖଣିଜ ପଦାର୍ଥ ଯୋଗାଣର ଏକ ନେଟକ୍ୱାର୍କ ନିର୍ମାଣ କରାଯିବା ପାଇଁ ସେ ଜୋରଦେଇ ରିସାଇକ୍ଲିଂ, ସହରାଞ୍ଚଳରେ ଖଣିଜ ଦ୍ରବ୍ୟ ଉତ୍‌ଖନନ, ବ୍ୟାଟେରୀର ପୁନଃ ଉପଯୋଗ ପ୍ରକଳ୍ପ ଆଦି·ଲୁ କରାଯିବା ଉପରେ କହିଥିଲେ । ବିଶ୍ୱରେ ଖାଦ୍ୟସୁରକ୍ଷା ଏବଂ ବିପର୍ଯ୍ୟୟକୁ ପ୍ରତିହତ କରିପାରିବା ଶକ୍ତି ଥିବା ନିର୍ମାଣକାର୍ଯ୍ୟ ଉପରେ ସେ ଜୋର ଦେଇଥିଲେ । ଜଳବାୟୁ ପରିବର୍ତ୍ତନ ହିଁ ବିଶ୍ୱ ଖାଦ୍ୟ ସୁରକ୍ଷା ଏବଂ କୃଷି ପ୍ରତି ବଡ ଆହ୍ୱାନ । ତେଣୁ ଭାରତ ମିଲେଟଯୁକ୍ତ ଖାଦ୍ୟ ବା ଶ୍ରୀଅନ୍ନ ଯୋଜନା ଆରମ୍ଭ କରିଛି । ବିକାଶ ଏବଂ ପ୍ରକୃତି ମଧ୍ୟରେ ସନ୍ତୁଳନ ରକ୍ଷାକରି କାର୍ଯ୍ୟକରାଯିବା ଦରକାର ବୋଲି ଶ୍ରୀମୋଦି ପ୍ରକାଶ କରିଥିଲେ । ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ମୋଦି ୧୨ଥର ଜି୨୦ ଆଲୋଚନାରେ ଅଂଶଗ୍ରହଣ କରିସାରିଲେଣି । ସେ ୨୦୧୪ରେ ବ୍ରିସବେନ (ଅଷ୍ଟ୍ରେଲିଆ), ୨୦୧୫ରେ ଆଣ୍ଟାଲିଆ (ତୁର୍କୀ), ୨୦୧୬ରେ ହାଙ୍ଗ ଝାଉ (ଚୀନ), ୨୦୧୭ରେ ହାମବର୍ଗ (ଜର୍ମାନୀ), ୨୦୧୮ରେ ବୁଏନସ୍‌ ଏୟାର୍ସ (ଆର୍ଜେଣ୍ଟିନା), ୨୦୧୯ରେ ଓସାକା (ଜାପାନ), ୨୦୨୦ରେ ସାଉଦି ଆରବ, ୨୦୨୧ରେ ରୋମ (ଇଟାଲୀ), ୨୦୨୨ରେ ବାଲି (ଇଣ୍ଡୋନେସିଆ),୨୦୨୩ରେ ନୂଆଦିଲ୍ଲୀ, ୨୦୨୪ରେ ବ୍ରାଜିଲ ଏବଂ ୨୦୨୫ରେ ଜୋହାନ୍ସବର୍ଗ (ଦକ୍ଷିଣ ଆଫ୍ରିକା) ଆଲୋଚନାରେ ସାମିଲ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାରେ ଜି୨୦ ବୈଠକ ସଫଳତାର ସହ ଶେଷ ହେବାପରେ ଏବେ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିଛନ୍ତି ଯେ ୨୦୨୬ରେ ହେବାକୁ ଥିବା ଆମେରିକା ବୈଠକରେ ସେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିବେ ନାହିଁ । ମିଆମିଠାରେ ଆସନ୍ତାବର୍ଷ ଜି୨୦ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ସୋସିଆଲ ମିିଡିଆରେ ଟ୍ରମ୍ପ ଲେଖିଛନ୍ତି ଯେ ସେମାନଙ୍କ ଦେଶ କେବେହେଲେ ସଦସ୍ୟତା ପାଇବା ପାଇଁ ଯୋଗ୍ୟ ନୁହେଁ ବୋଲି ସେମାନେ ବିଶ୍ୱକୁ ଦର୍ଶାଇଛନ୍ତି । ଆମେରିକାରୁ ଦକ୍ଷିଣ ଆଫ୍ରିକା ପାଉଥିବା ସମସ୍ତ ସବସିଡି ଅନୁଦାନକୁ ବନ୍ଦ କରିବାକୁ ସେ ଘୋଷଣା କରିଛନ୍ତି । ଟ୍ରମ୍ପଙ୍କର ଏହି ସଂକୀର୍ଣ୍ଣ, ଝଗଡାପ୍ରଧାନ ବକ୍ତବ୍ୟକୁ ସମସ୍ତେ ଶୁଣି ଉପହାସ କରିବେ, ତାହା ମଧ୍ୟ ହୋଇଛି । ଜୋହାନ୍ସବର୍ଗର କଡା ସନ୍ଦେଶ ବିଶ୍ୱକୁ ଯିବା ପରେ ଆମେରିକାରେ ଗାତ୍ରଦାହ ଆରମ୍ଭ ହୋଇଛି, ଯାହା ଆଗାମୀ ଦିନରେ ଅତି ପ୍ରବଳତର ହେବ । 


ଭାରତୀୟ ସାହିତ୍ୟ ସେବା (ଭାସ୍‌)
ଭୁବନେଶ୍ୱର-୭୫୧୦୦