ଦଲାଲ କବଳିତ ଡାକ୍ତରଖାନା
ରାଜ୍ୟରେ ଥିବା ସରକାରୀ ଡ଼ାକ୍ତରଖାନା ଗୁଡ଼ିକରେ ଗରିବ ଏବଂ ମଧ୍ୟବିତ୍ତ ରୋଗୀଙ୍କର ଭିଡ଼ ଲାଗି ରହୁଥିବା ବେଳେ ଏହିସବୁ ଡ଼ାକ୍ତରଖାନା ଗୁଡ଼ିକରେ ଘରୋଇ ଡାକ୍ତରଖାନାର ଦଲାଲ୍ମାନେ ରୋଗୀମାନଙ୍କୁ ବିଭ୍ରାନ୍ତ କରି ନେଇ ଯାଉଛନ୍ତି । ଏଭଳି ଅନେକ ଅଭିଯୋଗ ପ୍ରତିଦିନ ଆସୁଛି । ଏହି ଅଭିଯୋଗ ଗୁଡ଼ିକ ଉପରେ ସରକାର ଆନ୍ତରିକତାର ସହିତ ଦଲାଲ୍ମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେଉନାହାନ୍ତି । ବିଭିନ୍ନ ମେଡ଼ିକାଲ୍ କଲେଜ୍ ଏବଂ ଏମ୍ସରେ ମଧ୍ୟ ଦଲାଲ୍ମାନେ ରୋଗୀମାନଙ୍କୁ ବିଭିନ୍ନ ପରୀକ୍ଷା ପାଇଁ ଘରୋଇ କ୍ଲିନିକ୍କୁ ନେବା ଠାରୁ ଆରମ୍ଭ କରି ଚିକିତ୍ସା ପାଇଁ ଘରୋଇ ଡ଼ାକ୍ତରଖାନା ଗୁଡ଼ିକୁ ମଧ୍ୟ ବିଭିନ୍ନ ବିଭ୍ରାନ୍ତିକର କଥା କହି ରୋଗୀମାନଙ୍କୁ ନେଉଛନ୍ତି । ସେଠାରେ ରୋଗୀମାନେ ଶୋଷଣର ଶିକାର ହେଉଛନ୍ତି ।
ବର୍ତ୍ତମାନ ସରକାରୀ ଡାକ୍ତରଖାନା ଗୁଡିକରେ ଦିନକୁ ଦିନ ଗରିବ ରୋଗୀମାନଙ୍କ ସଂଖ୍ୟା ବଢୁଛି । ଅନ୍ୟପକ୍ଷରେ ରୋଗୀମାନଙ୍କ ତୁଳନାରେ ଡ଼ାକ୍ତରଙ୍କର ସଂଖ୍ୟା ମଧ୍ୟ ବହୁତ କମ୍ ଅଛି । ତେଣୁ ସରକାରୀ ଡ଼ାକ୍ତରଖାନା ଗୁଡ଼ିକରେ ରୋଗୀମାନେ ଭଲ ଚିକିତ୍ସା ପାଇବେ ବୋଲି ଆଶା କରି ଆସି ପହଞ୍ଚିବା ବେଳକୁ ସେଠାରେ ରୋଗୀମାନଙ୍କର ଅସମ୍ଭବ ଭିଡ଼ ହୋଇଯାଉଛି । ରୋଗୀଙ୍କର ଏହି ଭିଡ଼ର ସୁଯୋଗ ନେଇ ଘରୋଇ ଚିକିତ୍ସାଳୟ ଏବଂ ଘରୋଇ ପାଥୋଲଜି କ୍ଲିନିକ୍ ଗୁଡ଼ିକର ଦଲାଲ୍ମାନେ ବିଭ୍ରାନ୍ତିକର କଥା କହି ସରକାରୀ ବ୍ୟବସ୍ଥାର ଚିକିତ୍ସାରୁ ରୋଗୀମାନଙ୍କୁ ନେଇଯିବା ଫଳରେ ଅନେକ ରୋଗୀ ଚିକିତ୍ସା ଖର୍ଚ୍ଚ ତୁଲାଇ ପାରୁନାହାନ୍ତି ଏବଂ ଅସମ୍ପୂର୍ଣ୍ଣ ଚିକିତ୍ସାରେ ଘରକୁ ଯାଉଛନ୍ତି । ଆଉ କେତେକ କ୍ଷେତ୍ରରେ ରୋଗୀମାନେ ମୃତୁ୍ୟମୁଖରେ ପଡୁଛନ୍ତି । ଗରିବ ରୋଗୀମାନଙ୍କ ପାଇଁ ସରକାର ମାଗଣା ଚିକିତ୍ସା ବ୍ୟବସ୍ଥା କରିଥିବାର ସରକାର ଯେଭଳି ପ୍ରଚାର କରୁଛନ୍ତି, ତାହା ସମ୍ପୂର୍ଣ୍ଣ ଭାବରେ ସେହିଭଳି ନୁହେଁ । ଗରିବ ରୋଗୀମାନଙ୍କୁ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ଦିଆଯିବାର ପ୍ରଲୋଭନ ଦେଖାଇ ଥିଲେ ମଧ୍ୟ ଅନେକ ଘରୋଇ ଚିକିତ୍ସାଳୟ ବର୍ତ୍ତମାନ ପର୍ଯ୍ୟନ୍ତ ଏ ପ୍ରକାରର ଏକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିନାହାନ୍ତି । ଅନ୍ୟପକ୍ଷରେ ସରକାରୀ ଚିକିତ୍ସାଳୟ ଗୁଡ଼ିକରେ ବିଭିନ୍ନ ପ୍ରକାରର ପାଥୋଲଜି ପରୀକ୍ଷା କରାଇବା ଖୁବ୍ ବିଳମ୍ବ ଓ ସମୟସାପେକ୍ଷ । ଆଉ କେତେକ କ୍ଷେତ୍ରରେ କେତେକ ନିର୍ଦ୍ଦିଷ୍ଟ ଦାମିକିଆ ପାଥୋଲଜି ପରିକ୍ଷା ସରକାରୀ ଡ଼ାକ୍ତରଖାନା ଗୁଡିକରେ ହେଉନାହିଁ । ତେଣୁ ରୋଗୀମାନେ ବାଧ୍ୟ ହୋଇ ଘରୋଇ କ୍ଲିନିକ୍ରେ ପରୀକ୍ଷା କରିସାରିବା ପରେ ସେହି ରିପୋର୍ଟ୍କୁ ଧରି ପୁଣିଥରେ ସରକାରୀ ଡ଼ାକ୍ତରଖାନାକୁ ଡ଼ାକ୍ତରଙ୍କୁ ଦେଖାଇବାକୁ ଆସୁଛନ୍ତି । ଏହି ବ୍ୟବସ୍ଥା ଏକ ଦଲାଲ୍ କୈନ୍ଦ୍ରୀକ ବ୍ୟବସ୍ଥାରେ ପରିଣତ ହୋଇଯାଇଛି । ସରକାରୀ ଡ଼ାକ୍ତରଖାନାରେ ରୋଗୀଙ୍କୁ ଘରୋଇ କ୍ଲିନିକ୍ ବା ଘରୋଇ ହସ୍ପିଟାଲ୍କୁ ଆଣିବା କ୍ଷେତ୍ରରେ ଦଲାଲ୍ମାନେ ଯେଭଳି ଆତ୍ମୀୟତାର ସହ କଥା ହେଉଛନ୍ତି, ପୁଣିଥରେ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କୁ ଦେଖାଇବା ବେଳେ ସେମାନେ ଆଉ ଧରାଛୁଆଁ ଦେଉନାହାନ୍ତି । ଅନେକ ରୋଗୀ ଆର୍ଥôକ ଭାବରେ ଶୋଷଣର ଶିକାର ହୋଇ ରୋଗ ଯାତନା ସହିତ ଦଲାଲମାନଙ୍କ ଯାତନାର ଶିକାର ହେଉଛନ୍ତି । ଏହି କାରବାରରେ କେବଳ ଯେ ଦଲାଲ୍ମାନେ ରହିଛନ୍ତି ତାହା ନୁହେଁ, ସମୁଦାୟ ଚିକିତ୍ସା ବ୍ୟବସ୍ଥା ବର୍ତ୍ତମାନ ଦଲାଲ୍ କୈନ୍ଦ୍ରିକ ହୋଇଯାଇଛି କହିଲେ ଭୁଲ୍ ହେବନାହିଁ । ବିଶେଷ କରି ରାଜ୍ୟର କଟକ, ବ୍ରହ୍ମପୁର, ବୁର୍ଲା ମେଡ଼ିକାଲ କଲେଜ୍ର ଚିକିତ୍ସା ବ୍ୟବସ୍ଥାକୁ ନେଇ ବିଭିନ୍ନ ସମୟରେ ଗୁରୁତର ଅଭିଯୋଗମାନ ସରକାରୀ ଚିକିତ୍ସାଳୟରେ ରୋଗୀମାନେ ଯେଭଳି ସୁବିଧାରେ ସ୍ୱାସ୍ଥ୍ୟସେବା ପାଇବେ, ଡ଼ାକ୍ତରଖାନାର ପରିଚାଳନା ବ୍ୟବସ୍ଥାକୁ ନିୟନ୍ତ୍ରିତ କରାଯିବା ଆବଶ୍ୟକ । ହେଲେ ସେଦିଗରେ ଡାÿକ୍ତରଖାନାର ପରିଚାଳନା ବ୍ୟବସ୍ଥାରେ କୌଣସି ଉନ୍ନତି ଅଣାଯାଉନାହିଁ । ଆହୁରି ମଧ୍ୟ ପ୍ରତିବର୍ଷ ସରକାର ଚିକିତ୍ସା ବ୍ୟୟ ବଢ଼ାଉଥିଲେ ମଧ୍ୟ ପାଥୋଲଜି କ୍ଷେତ୍ରରେ ବିଭିନ୍ନ ପ୍ରକାରର ପରୀକ୍ଷା ପାଇଁ ଯନ୍ତ୍ରପାତି ଗୁଡ଼ିକୁ କିଣୁନାହାନ୍ତି କିମ୍ବା ଅଚଳ ହୋଇ ପଡ଼ିଥିବା ଯନ୍ତ୍ରପାତିକୁ ସଜାଡୁନାହାନ୍ତି । ଏକ୍ସରେ ଭଳି ନିହାତି ଆବଶ୍ୟକ ଯନ୍ତ୍ରପାତି ମଧ୍ୟ କେତେକ ସରକାରୀ ଡ଼ାକ୍ତରଖାନାରେ ଅଚଳ ହୋଇପଡ଼ିଛି । ଏ ଦିଗରେ ସରକାର ଦୃଷ୍ଟି ଦେଲେ ଗରିବ ରୋଗୀମାନେ ଉପକୃତ ହୋଇପାରିବେ ।