ଦୁଇ ପଞ୍ଚାୟତର ନୂତନ ଗୃହ ନିର୍ମାଣ ନେଇ ଶିଳାନ୍ୟାସ
ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ କେନ୍ଦୁଆ ଏବଂ ହାତୀଝୁରୀ ଗ୍ରାମ ପଞ୍ଚାୟତର ନୂତନ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ ଦେଲେ ବଡସାହି ବିଧାୟକ ସନାତନ ବିଜୁଳି । ବୈଶିଙ୍ଗା ପଞ୍ଚାୟତ ୨୨ଗୋଟି ରାଜସ୍ୱ ଗ୍ରାମକୁ ନେଇ ଚାଲିଥିବାବେଳେ ୨୦୧୭ମସିହା ପଞ୍ଚାୟତ ନିର୍ବାଚନ ବେଳକୁ ଏହି ପଞ୍ଚାୟତ ଭାଙ୍ଗି ଦୁଇଟି ପଞ୍ଚାୟତ କେନ୍ଦୁଆ ଏବଂ ବୈଶିଙ୍ଗା ସୃଷ୍ଟି ହୋଇଥିଲା । ବୈଶିଙ୍ଗା ପଞ୍ଚାୟତର ନିଜସ୍ୱ ପଞ୍ଚାୟତ ଗୃହ ଥିବାବେଳେ କେନ୍ଦୁଆ ପଞ୍ଚାୟତର ନିଜସ୍ୱ ପଞ୍ଚାୟତ ଗୃହ ନିର୍ମାଣ ହୋଇ ପାରିନଥିଲା । ଏହାର ନିର୍ମାଣ ପାଇଁ ଅର୍ଥ ବ୍ୟୟବରାଦ ହୋଇଥିଲେ ମଧ୍ୟ ରାଜନୈତିକ ଏବଂ ପ୍ରଶାସନିକସ୍ତରରେ ନିର୍ମାଣ ପାଇଁ ଜାଗା ସ୍ଥିର ହୋଇ ପାରୁ ନଥିଲା । ଫଳରେ ବୈଶିଙ୍ଗା ପଞ୍ଚାୟତ ଅଫିସର ପୁରୁଣା ଗୃହରେ କାର୍ଯ୍ୟାଳୟ ଚାଲୁଥିଲା । ଶେଷରେ ବର୍ତ୍ତମାନ ଚାଲୁଥିବା ଅସ୍ଥାୟୀ ପଞ୍ଚାୟତ କାର୍ଯ୍ୟାଳୟ ପଛ ପଟ ପ୍ଲଟରେ ନୂତନ ପଞ୍ଚାୟତ ଗୃହ ନିର୍ମାଣ ପାଇଁ ସରପଞ୍ଚ ମନମୋହନ ମାଝୀଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ ବିଧାୟକ ସନାତନ ବିଜୁଳି ଯୋଗ ଦେଇ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝୀ , ସମିତିସଭ୍ୟ ଶ୍ରୀଧର ପଣ୍ଡିତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପୀନାଥ ଖାଖା ପ୍ରମୁଖ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉତ୍ସର୍ଗ ବେହେରା, ବିବେକାନନ୍ଦ ପଣ୍ଡା, ନାଏବ ସରପଞ୍ଚ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ରବି ନାରାୟଣ ପଣ୍ଡା ଏବଂ ଅନ୍ୟ ଶତାଧିକ ସଂଖ୍ୟାରେ କେନ୍ଦୁଆ ପଞ୍ଚାୟତବାସୀ ଯୋଗ ଦେଇଥିଲେ ।
ସେହିପରି ଯୁଗୋଳ ଏବଂ ସନ୍ତରା ଗ୍ରାମପଞ୍ଚାୟତକୁ ଭାଙ୍ଗି ହାତୀଝୁରୀ ପଞ୍ଚାୟତ ଗଠନ ହୋଇଥିଲା । ପଞ୍ଚାୟତ ଗଠନର ୭ବର୍ଷ ପରେ ମଧ୍ୟ ନିଜର ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ହୋଇ ପାରୁନଥିଲା । ଉଡା ଘରେ ପଞ୍ଚାୟତ କାର୍ଯ୍ୟାଳୟ ଚାଲୁଥିଲା । ଏନେଇ ରାଜନୀତି ଜୋର ଚାଲିଥିଲେ ମଧ୍ୟ ଏହାର ନିର୍ମାଣ ପାଇଁ କାହାରି ନଜର ପଡୁନଥିଲା । ଯାହାକୁ ନେଇ ଉପଭୋକ୍ତା ରାସନ ସାମଗ୍ରୀ ଏବଂ ଭତ୍ତା ପାଇଁ ୫ କି.ମି ପର୍ଯ୍ୟନ୍ତ ଚାଲି ଚାଲି ଯାଉଥିଲେ । ବହୁ ପ୍ରତୀକ୍ଷା ପରେ ୧୮ ନଂ ଜାତୀୟ ରାଜପଥର ହାତୀଝୁରୀ ଛକ ପାର୍ଶ୍ୱରେ ଥିବା ବସୁଧା ପାଣି ଟାଙ୍କି ସଂଲଗ୍ନ ପ୍ଲଟରେ ପଞ୍ଚାୟତର ନୂତନ ପଞ୍ଚାୟତ ଗୃହ ନିର୍ମାଣ ପାଇଁ ସ୍ଥିର ହୋଇଥିଲା । ଆଜି ହାତୀଝୁରୀ ସରପଞ୍ଚ ସନାତନ ସିଂଙ୍କ ଓ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ ବିଧାୟକ ସନାତନ ବିଜୁଳି ଯୋଗ ଦେଇ ଶିଳାନ୍ୟାସ କରିଥିଲେ । ଅନ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝୀ, ସମିତି ସଭ୍ୟ କୃପା ମାଣ୍ଡି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପୀନାଥ ଖାଖା, ସ୍ୱରୁପ ପଟ୍ଟନାୟକ, ପିତାମ୍ବର ମହାପାତ୍ର, ରଶ୍ମିତା ମହାପାତ୍ର, ଦେବବ୍ରତ ପରିଡା, ମନୁ ମହାପାତ୍ର, କ୍ଷୀତିଶ ପାଢୀ ଏବଂ ଶତାଧିକ ପଞ୍ଚାୟତବାସୀ ଯୋଗ ଦେଇଥିଲେ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବୈଶିଙ୍ଗା ଥାନାଧିକାରୀ ତପନ କୁମାର ପ୍ରଧାନ ଦୁଇଟି ପଞ୍ଚାୟତ ନିକଟରେ ପୁଲିସ ମୁତୟନ ମଧ୍ୟ କରିଥିଲେ ।