ନିଆଁ ଲାଗି ଜଳିଗଲା ଆଖୁ ଚାଷ: ସ୍ଥିତି ସମୀକ୍ଷା କଲେ ବିଧାୟକ
ନବରଙ୍ଗପୁର: କୋଷାଗୁମୁଡା ବ୍ଲକ୍ ଚିର୍ମା ପଞ୍ଚାୟତ ଅନ୍ତର୍ଗତ ପଡେଇଗୁଡା ସ୍ଥାନୀୟ ଆଖୁବାଡଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସୂଚନାନୂଯାୟୀ ଚିର୍ମା, ପଡେଇଗୁଡା, ଡୁକଲାହାଣ୍ଡି, ଜାଗ୍ନିଗୁଡାର ୧ ଶହ ଏକରରୁ ଉର୍ଦ୍ଧ୍ୱ ଜମିରେ ଆଖୁଚାଷ ହୋଇଥିବା ଜମିକୁ ଏହି ଅଗ୍ନିକାଣ୍ଡ ଘଟିଥିବା ଦେଖାଯାଇଛି । ବର୍ଷ ବର୍ଷ ଧରି ଧାନ ଚାଷ ପରେ ଆଖୁ ଉପରେ ନିର୍ଭର କରି ଚଳିଆସୁଥିବା ଚାଷୀଙ୍କ ଭାଗ୍ୟ ଉପରେ ଚଡକ ପଡିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ସ୍ଥାନୀୟ ଚାଷୀଙ୍କ ଠାରୁ ଖବର ଶୁଣିବା ସଙ୍ଗେ ସଙ୍ଗେ ଦମକଳ ବାହିନୀ କାର୍ଯ୍ୟାଳୟକୁ ଯୋଗାଯୋଗ କରିଥିଲେ । ଶ୍ରୀ ମାଝୀ ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକ୍ ଗସ୍ତକୁ ବାତିଲ କରି ପଡେଇଗୁଡା ଠାରେ ପହଞ୍ଚିଥିଲେ । ଏଥିପୂର୍ବରୁ କୋଷାଗୁମୁଡା ଦମକଳ ବାହିନୀ ଓ ୧୧୨ ଫୋନ କଲରେ କୋରାପୁଟ ଜିଲ୍ଲା କୋଟପାଡ ଅଞ୍ଚଳରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ସଫଳ ହୋଇଥିଲେ ।