୩.୨୮ଲକ୍ଷ ଶିଶୁ ଖାଇଲେ କୃମି ବଟିକା

 ନବରଙ୍ଗପୁର : ନବରଙ୍ଗପୁର ସହରର ଆର୍ସିଡି ଉଚ୍ଚବିଦ୍ୟାଳୟରେ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଯୋଗ ଦେଇ ପିଲାଙ୍କୁ କୃମି ବଟିକା ଖୁଆଇଛନ୍ତି । ସେଭଳି କୃମି ଯୋଗୁ ରକ୍ତହୀନତା, ଖାଦ୍ୟ ସାର ଅଭାବ, କ୍ଷୁଧାହୀନତା, ଦୁର୍ବଳ, ପେଟବିନ୍ଧା, ଝାଡା ଓ ବାନ୍ତି ସମେତ ଓଜନ ହ୍ରାସ ଭଳି ବିଭିନ୍ନ ପ୍ରଭାବ ଶରୀର ଉପରେ ପଡିଥାଏ । ତେଣୁ କୃମି ନାଶନ ପାଇଁ ବଟିକା ଓ ସିରଫ ନିୟମିତ ସେବନ କରିବା ଜରୁରୀ । ଏହାଦ୍ୱାରା ଶରୀର ସୁସ୍ଥ ଓ ନିରୋଗ ରହିବ ବୋଲି ସେ କହିଛନ୍ତି । ଜିଲ୍ଲାର ୨ହଜାର ୩୦୬ଟି ଅଙ୍ଗନବାଡି କେନ୍ଦ୍ର ଓ ୧୯୬୫ ବିଦ୍ୟାଳୟରେ ୬ବର୍ଷରୁ ୧୯ ବର୍ଷର ୩ଲକ୍ଷ ୨୮ହଜାର ୯୬୦ଜଣ ଛାତ୍ରୀଛାତ୍ରଙ୍କୁ ଗୋଟିଏ ଦିନରେ କୃମି ବଟିକା ପ୍ରଦାନ କରାଯାଇଥିବା କହିଛନ୍ତି । ଯେଉଁମାନେ ଏଥିରୁ ବାଦ ପଡ଼ିବେ ସେମାନଙ୍କୁ ପୁଣି ଆସନ୍ତା ୧୯ ତାରିଖରେ ଔଷଧ ଦିଆଯିବ । ଏହାର ତଦାରଖ ପାଇଁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗଠନ ହୋଇଥିବା ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଏଡିଏମଓ ମଳୟ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।