ନିଶା ଦେଇ କ୍ୟାମେରାମ୍ୟାନଙ୍କୁ ଲୁଟ୍
ବୁଗୁଡ଼ା: ନିଶା ନେଇ କ୍ୟାମେରା ମ୍ୟାନଙ୍କଠୁ ଲୁଟି ନେଲେ ଦୁର୍ବୃତ୍ତ । ସ୍ଥାନୀୟ ସିନେମା ହଲ ଛକ ଠାରେ ଫଟୋ ଷ୍ଟୁଡିଓ କରିଥିବା କୁଶପଲ୍ଲୀ ଗ୍ରାମର ଯୁବକ ସଙ୍ଗମ କୁମାର ବିଷୋୟୀ(୩୨)ଙ୍କୁ ଯୋଜନା କରି ଦୁଇ ଜଣ ଅଜଣା ବ୍ୟକ୍ତି ଥଣ୍ଡା ପାନୀୟରେ ନିଶା ଦେଇ ଅଚେତ ଅବସ୍ଥାରେ ତାଙ୍କ ଠାରୁ ଏକ ଦାମିକିଆ କ୍ୟାମେରା ସହ ସୁନା ମୁଦି ଓ ମନିପର୍ସ ଲୁଟି ନେଇଛନ୍ତି । ଏ ନେଇ ସେ ବୁଗୁଡା ଥାନାରେ ଏତଲା ଦେଇଥିବାବେଳେ ପୁଲିସ ପକ୍ଷରୁ କେସ୍ ନଂ ୧୬/୨୫ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ଗତ ବୁଧବାର ସକାଳେ ସଙ୍ଗମ ନିଜ ଷ୍ଟୁଡିଓରେ ଥିବାବେଳେ ଜଣେ ଲୋକ ଆସି କରଚୁଲି ହରିଜନ ସାହି ବିଦ୍ୟାଳୟରେ ଏକ ପ୍ରୋଗ୍ରାମ୍ ଅଛି କହି ସେଠାକୁ ଯିବା ପାଇଁ ୨୦୦ ଟଙ୍କା ଅଗ୍ରୀମ ଦେଇଥିଲା । କିଛି ସମୟ ପରେ ସଙ୍ଗମ ସେହି ବ୍ୟକ୍ତିଙ୍କ ବାଇକ୍ରେ ବସି ଯାଉଥିବା ବେଳେ ବିରଞ୍ଚିପୁର-ମାଣିତରା ଛକ ଠାରେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ଏକ ଥଣ୍ଡା ପାନୀୟ ଦେଇ ସେହି ବାଇକ୍ରେ ବସିଥିଲେ । ତିନିହେଁ ବସି ବାଇକରେ ଯାଉଥିବା ବେଳେ ଶାଳବଣି ଗାଁ ପାଖରେ ପହଞ୍ଚିବା ବେଳକୁ ସଙ୍ଗମ ଅଚେତ ଅବସ୍ଥାକୁ ଚାଲି ଆସିଥିଲେ ଏବଂ ଏହା ପରେ ଆଉ କିଛି ଜାଣି ପାରିନଥିଲେ । ସନ୍ଧ୍ୟାରେ ତାଙ୍କର ଚେତା ଫେରିଥିଲା ବେଳକୁ ସେ ଉଦୟପୁର ଗ୍ରାମ ନିକଟରେ ନିର୍ମାଣାଧିନ ଏକ ପେଟ୍ରୋଲ ପମ୍ପ ଠାରେ ତଳେ ପଡିଥିଲେ । ସେ ଧରିଥିବା ୧,୫୩,୦୦୦ ଟଙ୍କାର ମୂଲ୍ୟବାନ କ୍ୟାମେରା, ୧୨,୫୦୦ ଟଙ୍କାର ଫ୍ଲାସ୍ ଲାଇଟ୍ , ୫୫୦୦ ଟଙ୍କାର ଏକ ବ୍ୟାଟେରୀ ସହିତ ୪ ଗ୍ରାମ ଓଜନର ଏକ ସୁନା ମୁଦି ଓ ମନିପର୍ସ ଆଉ ତାଙ୍କ ପାଖରେ ନଥିଲା । ଏ ଖବର ପାଇ ତାଙ୍କର ଘର ଲୋକେ ସେଠାରେ ପହଞ୍ଚô ତାଙ୍କୁ ଉଦ୍ଧାର କରିଥିଲେ ଏବଂ ନିଶାର ପ୍ରଭାବରୁ ସେ ସ୍ପଷ୍ଟ ଭାବେ କିଛି ଉଚ୍ଚାରଣ କରିପାରୁନଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବୁଗୁଡା ମେଡିକାଲରେ ଭର୍ତ୍ତି କରିଥିଲେ । ସୁସ୍ଥ ହେବା ପରେ ସେ ଗୁରୁବାର ସକାଳେ ଏ ନେଇ ବୁଗୁଡା ଥାନାରେ ଅଭିଯୋଗ କରିଥିଲାବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।