ନୂଆପଡ଼ାରେ ରେକର୍ଡ ମତଦାନ : ନେତା ବାଛିଲେ ୨ ଲକ୍ଷ ଭୋଟର

ନୂଆପଡ଼ାରେ ରେକର୍ଡ ମତଦାନ : ନେତା ବାଛିଲେ ୨ ଲକ୍ଷ ଭୋଟର
  • ୮୦.୬୫% ଦେଲେ ଭୋଟ୍‌
  • ମାଓ ଉପଦ୍ରୁତ ଅଞ୍ଚଳରେ ବି ଭଲ ମତଦାନ
  • ବିଜେଡ଼ି ଓ କଂଗ୍ରେସରେ ଛନକା
  • ଦୁଇ ପ୍ରିଜାଇଡ଼ିଂ ଅଧିକାରୀ ନିଲମ୍ବିତ

ନୂଆପଡ଼ା : ସରିଲା ବହୁ ପ୍ରତୀକ୍ଷିତ ନୂଆପଡ଼ା ଭୋଟ୍‌ । ରେକଡର଼୍ ମତଦାନ ବି ହେଲା ।  ପ୍ରାୟ ୨ ଲକ୍ଷ ଭୋଟର ମତଦାନ କରିଥିବାରୁ ଏବେ ବିରୋଧୀ ଶିବିରରେ କମ୍ପନ ସୃଷ୍ଟିହୋଇଛି । ସମସ୍ତେ ୧ ଲକ୍ଷ ୮୦ ହଜାର ବା ଆଉ କିଛି ଅଧିକ ମତଦାନ ହେବବୋଲି ଆକଳନ କରୁଥିଲେ । କିନ୍ତୁ ଭୋଟ୍‌ ହାର ପାଖାପାଖି ୮୦% ଛୁଇଁଯାଇଛି । ଫଳରେ ବିରୋଧୀଙ୍କ ଅଙ୍କ ଗଡ଼ବଡ଼ ହୋଇଯାଇଛି । ଅପରପକ୍ଷରେ ରେକଡର଼୍ ମତଦାନକୁ ନେଇ ଶାସକ ଦଳ କିନ୍ତୁ ବେଶ୍‌ ଖୁସ୍‌ । ଏହାଦ୍ୱାରା ବିଜେପିର ବିଜୟ ମାର୍ଜିନ୍‌ ବଢ଼ିବ ବୋଲି ଦଳ ଆକଳନ କରିଛି ।

         କ’ଣ କହୁଛି ଆକଳନ ?

  • ବିଜେପି : ୯୦ ହଜାରରୁ ଉଦ୍ଧ୍ୱର୍
  • ବିଜେଡ଼ି : ୬୦ରୁ ୭୦ ହଜାର
  • କଂଗ୍ରେସ : ୪୦ରୁ ୫୦ ହଜାର


        ଅପରପକ୍ଷରେ ଆମର ଆକଳନ ଅନୁଯାୟୀ, ବିଜେପି ୯୦ ହଜାରରୁ ଉଦ୍ଧ୍ୱର୍ ଭୋଟ୍‌ ପାଇବ । ଯେତେବେଳେକି ବିଜେଡ଼ି ୬୦ରୁ ୭୦ ହଜାର ଓ କଂଗ୍ରେସ ୪୦ରୁ ୫୦ ହଜାର ଭୋଟରେ ସୀମିତ ରହିବ । ଅର୍ଥାତ୍‌ ବିଜୟ ବ୍ୟବଧାନ ୨୦ରୁ ୩୦ ହଜାର ରହିବ ବୋଲି କୁହାଯାଇପାରିବ । ତିନି ଦଳର ୱାର ରୁମ୍‌ରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେପି ୧ ଲକ୍ଷରୁ ଉଦ୍ଧ୍ୱର୍ ଭୋଟ୍‌ ପାଇବାକୁ ଲକ୍ଷ୍ୟ ରଖିଛି । ବିଜୟ ବ୍ୟବଧାନ ୭୦ ହଜାର ରହିବ ବୋଲି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ସୂଚନା ଦେଇଛନ୍ତି । ଚଳିତ ନିର୍ବାଚନରେ ଶ୍ରୀ ମହାପାତ୍ର ଦଳର ୱାରରୁମ୍‌ ଦାୟିତ୍ୱରେ ମଧ୍ୟ ଥିଲେ । ସେହିପରି କଂଗ୍ରେସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଦଳର ଭୋଟ୍‌ ୪୦ରୁ ୫୦ ହଜାର ଭିତରେ ରହିବ । ସେହିପରି ବିଜେଡ଼ି ୬୦ରୁ ୭୦ ହଜାର ଭୋଟ୍‌ ପାଇବ ବୋଲି ଆକଳନ କରିଥିଲା । ସେତିକି ଭୋଟ୍‌ ପାଇଁ ଦଳ ଶେଷ ପର୍ଯ୍ୟନ୍ତ ପ୍ରାଣମୂର୍ଚ୍ଛା ଉଦ୍ୟମ ବି କରିଥିଲା । ଅପରପକ୍ଷରେ ଗ୍ରାଉଣ୍ଡ ଜିରୋରୁ ମିଳିଥିବା ଖବର ଅନୁଯାୟୀ, କେତେକ ସ୍ଥାନରେ କଂଗ୍ରେସର ଭୋଟ୍‌ ବିଜେଡ଼ିକୁ ଯାଇଛି । ଆଉ କିଛି ଭୋଟ୍‌ ବିଜେପିକୁ ମଧ୍ୟ ଯାଇଛି । ଯାହାକି କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିପାରେ । ସେହିପରି ବିଜେପିର କିଛି ଭୋଟ୍‌ ବିଜେଡ଼ି କରାୟତ୍ତ କରିବାରେ ସଫଳ ହୋଇଥିବା ଚର୍ଚ୍ଚା ହେଉଛି । ଯଦି ବିଜେଡ଼ିର ରଣନୀତି କାମ କରେ ତେବେ ଦଳ ୭୦ରୁ ଅôଧକ ଭୋଟ୍‌ ପାଇବାରେ ସଫଳ ହେବ, ଏବଂ ବିଜେପିର ଟାର୍ଗେଟ୍‌ କମିଯିବ । ଯଦି ବିଜେଡ଼ିର ଭିତରିଆ ରଣନୀତି କାମ କରିନଥିବ ତେବେ ବିଜେପି ଲକ୍ଷେ ଭୋଟ୍‌ ପାଇଲେ ବି ଆଶ୍ଚର୍ଯ୍ୟ ହେବାର ନାହିଁ । ବିଜେପୁର, ପଦ୍ମପୁରରେ ଏଭଳି କଡ଼ା ଫାଇଟ ଦୃଶ୍ୟମାନ ହେଉଥିଲେବି ତତ୍କାଳୀନ ଶାସକ ଦଳ ବିଜେଡ଼ି ଲକ୍ଷେ ଭୋଟ୍‌ ପାଇବାରେ ସଫଳ ହୋଇଥିଲା ।


       ନୂଆପଡ଼ାରେ ୭୯.୯୩% ମତଦାନ ହୋଇଛି । ଅର୍ଥାତ୍‌ ୨ ଲକ୍ଷ ୩ ହଜାରରୁ ଅଧିକ ମତଦାନ ହୋଇଛି । ମାଓ ଉପଦ୍ରବ ଅଞ୍ଚଳରେ ବି ଭଲ ମତଦାନ ହୋଇଛି । ବୁଥ ନମ୍ବର ୩୨୦ରେ ୭୪.୬୭%, ୩୨୧ରେ ୬୫.୮୦%, ୩୨୨ରେ ୮୩.୧୮%, ୩୨୪ରେ ୮୪.୬୭%, ୩୨୫ରେ ୮୨.୫୯%, ୩୨୬ରେ ୮୬.୬୮%, ୩୨୭ରେ ୯୦.୨୨%, ୩୨୮ରେ ୯୨.୬୩% ମତଦାନ ହୋଇଛି । ଏହି ଅତି ସମ୍ବେଦନ ଶୀଳ ବୁଥରୁ ପୋଲିଙ୍ଗ ଓ ପ୍ରିଜାଇଡିଙ୍ଗ ଅଧିକାରୀମାନେ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ୮ ଗୋଟି ଅତି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ସମୁଦାୟ ୪୦ ଜଣ ପୋଲିଙ୍ଗ ଓ ପ୍ରିଜାଇଡିଙ୍ଗ ଅଧିକାରୀ ଏବଂ ଦୁଇ ଜଣ ସେକ୍ଟର ଅଧିକାରୀ ଯାଇଥିଲେ । ପଡୋଶୀ ରାଜ୍ୟ ଛତିଶଗଡରୁ ବାୟୁସେନାର ଦୁଇ ଗୋଟି ହେଲିକପ୍ଟରରେ ମାଓ ପ୍ରବଣ ସୁନାବେଡ଼ା ଓ ସୋଷେଙ୍ଗ ଅଞ୍ଚଳରୁ ସୁରକ୍ଷିତ ଭାବେ ଅଧିକାରୀଙ୍କୁ ଅଣାଯାଇଛି । ଗୋଟିଏ ହେଲିକପ୍ଟର ୫ ଘଣ୍ଟା ୧୦ ମିନିଟ ରେ ଅବତରଣ କରିଥିବା ବେଳେ ଅନ୍ୟ ଏକ ହେଲିକପ୍ଟର ୫ ଘଣ୍ଟା ୨୫ ମିନିଟରେ ଅବତରଣ କରିଥିଲା ।

  
        ନୂଆପଡ଼ା ଉପନିର୍ବାଚନରେ ଦୁଇ ପ୍ରିଜାଇଡିଂ ଅଧିକାରୀ କାର୍ଯ୍ୟରୁ ନିଲମ୍ୱିତ ହୋଇଛନ୍ତି । ବୁଥ ନମ୍ୱର୍‌ ୩୬ କୂଳିଆବନ୍ଧାର ପ୍ରିଜାଇଡିଂ ଅଧିକାରୀ ଧନଞ୍ଜୟ ମଲ୍ଲିକ ନିର୍ବାଚନରେ ଗୋପନୀୟତା ଉଲ୍ଲଙ୍ଘନ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି । ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲରେ ଧନଞ୍ଜୟ ମଲ୍ଲିକ ଶିକ୍ଷକତା କରୁଛନ୍ତି । ସେହିପରି ୪୬ ବୀରୋମାଲର ପ୍ରିଜାଇଡିଂ ଅଧିକାରୀ ସନ୍ଦୀପ ସ୍ୱାଇଁ କାର୍ଯ୍ୟରେ ଅବହେଳା ନେଇ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ କାର୍ଯ୍ୟରୁ ନିଲମ୍ୱିତ କରିଥିବା ଜଣାପଡିଛି । ପ୍ରିଜାଇଡିଙ୍ଗ ଅଧିକାରୀ ସନ୍ଦୀପ ସ୍ୱାଇଁ ସିନାପାଲି ଟିମନପୁର ଆଦର୍ଶ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି ।