ବିକ୍ରମ କେଶରୀ ବିଶ୍ୱାଳ : ଦୁଃଖସୁଖର ୨୦୨୫ ସରିଲା । ଉକ୍ତ ବର୍ଷକୁ ବିଦାୟ ଦେବା ପାଇଁ ଦେଶ ଓ ରାଜ୍ୟରେ କାହିଁ ନା କେତେ ଉତ୍ସବମୁଖର ହୋଇଉଠିଥିବ ୩୧ର ରାତି । ହୋଟେଲ, ରେସ୍ତୋରାଁ, କ୍ଲବ ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ ଗହଣ ଓ ପରିବାର ମଧ୍ୟରେ ଭିନ୍ନ ଭିନ୍ନ ବାଗରେ ବିଦାୟ ମହୋତ୍ସବ ପାଳିତ ହୋଇଥାଏ । ରାତି ପାହିଲା ବେଳକୁ ପୂର୍ବାକାଶ ରକ୍ତିମ ସୂର୍ଯ୍ୟର ଆହ୍ୱାନ । ଏ ସବୁ କିଛି ମାନେରଖେନା ଚାଳଘରେ ଓଳିଏ ଖାଇ ଦିନେ ବଞ୍ଚୁଥିବା ଲୋକମାନଙ୍କ ପାଖରେ । ଦୁଃଖି, ରଙ୍କି, ଅଭାବୀଙ୍କ ପାଇଁ ସୂର୍ଯ୍ୟ ସବୁବେଳେ ନିଷ୍ପ୍ରଭ ଓ ନିସ୍ତେଜ । ସେମାନଙ୍କ ପାଇଁ କ'ଣ ମାନେଥାଏ ମତୁଆଲା ମଧ୍ୟ ରାତ୍ରୀର ମହକ! ବା ସକାଳର ରଜନୀଗନ୍ଧା, ଗୋଲାପ, ଗେଣ୍ଡୁର ବାସ୍ନା । ମେହନତୀ ମଣିଷ ପାଇଁ ଦିନ, ମାସ, ବର୍ଷର ସ୍ୱତନ୍ତ୍ର ପରିଚୟ କିଛି ମାନେରଖେନା । ମାନେରଖେନା ଈଶ୍ୱର ଅନ୍ୱେଷୀ ନିସଙ୍ଗ ସନ୍ନ୍ୟାସୀର ଶୂନ୍ୟତାବୋଧ ପାଇଁ ।
ତଥାପି ମଣିଷ ସ୍ୱପ୍ନ, ଆଶାକୁ ନେଇ ଅନେକ ସଂକଳ୍ପ ବାଛି ନେଇଥାଏ ୩୧ ରାତ୍ରି ଓ ୧ ସକାଳ ପାଇଁ । ଭାଙ୍ଗି ପଡ଼ୁଥିବା ପ୍ରେମର ପୁନଃ ମିଳନ ପାଇଁ ସଂକଳ୍ପ, ନିଶାଶକ୍ତ ନ ହେବା ପାଇଁ ସଂକଳ୍ପ, ଦୁର୍ନୀତିଗ୍ରସ୍ତ ନ ହେବା ପାଇଁ ସଂକଳ୍ପ, ଚୋରି ଲୁଟତରାଜ ନ ଭିଆଇବାର ସଂକଳ୍ପ, ହିଂସା, କ୍ରୋଧ, ଲୋଭ, ମୋହ ଆଦିରୁ ମୁକ୍ତି ହେବାର ସଂକଳ୍ପ ଇତ୍ୟାଦି ନାନା ପ୍ରକାର ନିଷ୍ପତ୍ତି ମଣିଷ ନେଇଥାଏ । ଯଦିଓ ତାହା କେତେ ଘଣ୍ଟା ପରେ ଭାଙ୍ଗି ଯାଇଥାଏ ତଥାପି କେଇ ମୁହୂର୍ତ୍ତର ସଂକଳ୍ପ ମାନବ ଚେତନାକୁ ଊଦ୍ଧ୍ୱର୍ଗାମୀ କରିଥାଏ । ଭଗବାନ କହିଛନ୍ତି ଯେ ଯଦି ମଣିଷ ମତେ ଅନାସକ୍ତ ଭାବେ ଗୋଟିଏ ମୁହୂର୍ତ୍ତ ସ୍ମରଣ କରିପାରିଲା ତେବେ ମୁଁ ତାକୁ ଜୀବନଯାକର ପାପରୁ ମୁକ୍ତି ଦେବି । ସେହିପରି ଆମେ ଆମର ସଚେତନ ମନରେ ଚଳିତ ବର୍ଷ ପାଇଁ କିଛି ସଂକଳ୍ପ ନେବାର ଆବଶ୍ୟକତା ରହିଛି । ଦେଶ ଆମର ତେଣୁ ଦେଶ ପାଇଁ ଆମେ ପ୍ରଥମେ ଉତ୍ସର୍ଗୀକୃତ ମନଭାବ ନେଇ କିଛି ସେବାକରିବା । ଦେଶ ଓ ଯୁବଗୋଷ୍ଠୀ ନିଜର ଅନ୍ତର୍ନିହିତ ଶକ୍ତିକୁ ଏକାଠି କରି ଦେଶ ଗଠନରେ ହାତ ବଢ଼ାଇବା । ମା' ମାତୃଭୂମି ଓ ମାତୃଭାଷାର ଉନ୍ନତି କଳ୍ପେ ନିସଙ୍କୋଚରେ ସ୍ୱାର୍ଥ ତ୍ୟାଗ କରିବା । ଦେଶ ଓ ଜାତିର କ୍ଷତି ହେଲା ଭଳି କୌଣସି ଚିନ୍ତା ବା କାର୍ଯ୍ୟ କରିବା ନାହିଁ । ଧନୀ, ନିର୍ଧନ ନିର୍ବିଶେଷରେ ସମାଜସେବା ପ୍ରତି ବ୍ରତୀହେବା । କାରଣ ମାନବ ସେବା, ମାଧବ ସେବା । ପ୍ରକୃତିର ସୌନ୍ଦର୍ଯ୍ୟକୁ କୌଣସି ପ୍ରକାରେ ନଷ୍ଟ କରିବା ନାହିଁ । ଗ୍ରାମାଞ୍ଚଳରେ ଜାତି, ଧର୍ମ, ବର୍ଣ୍ଣନିର୍ବିଶେଷରେ ସଂପ୍ରୀତି ଓ ସଂହତି ବଜାୟ ରଖିବା । ଗୋଟିଏ ଜାତିର ଏକତା ତାର ପରମ୍ପରା ଉପରେ ପର୍ଯ୍ୟବେଷିତ । ତେଣୁ ଅପସୃୟମାଣ ସଂସ୍କୃତିକୁ ବଞ୍ଚାଇ ରଖିବା ଆମର ପ୍ରଧାନ କର୍ତ୍ତବ୍ୟ । ଯେଉଁ ବାତାବରଣ ଆମର ଚିନ୍ତନ ଓ ଚୈତନ୍ୟକୁ ପ୍ରତ୍ୟକ୍ଷରେ ବା ପରୋକ୍ଷରେ ପ୍ରଦୂଷିତ କରୁଛି ତାହା ଠାରୁ ଦୂରେଇ ରହିବା । ନୈତିକତା ମଣିଷର ସବୁଠାରୁ ବଡ଼ ଅନର୍ନ୍ତିନିହିତ ଶକ୍ତି । ତାକୁ ସବୁବେଳେ ଯେପରି ସୁରକ୍ଷିତ ରଖିବା ସେଥିପ୍ରତି ଯତ୍ନବାନ ହେବା । ଭାରତ ସବୁବେଳେ ନୈତିକତା ଓ ଆଧ୍ୟାତ୍ମିକତାକୁ ଗୁରୁତ୍ୱ ଦେଇଆସିଛି । ଯେଉଁ ବ୍ୟକ୍ତି ନିଜର ନୈତିକତା ଓ ଆଧ୍ୟାତ୍ମିକତା ହରାଏ ସେ ଆପଣାଛାଏଁ ଦୁର୍ବଳ ହୋଇପଡେ଼ ।
ଆମେ ଆଶା କରୁଛୁ ଚଳିତ ବର୍ଷ ରାଜ୍ୟରେ ରାଜନୈତିକ ଦଳଗୁଡ଼ିକ ସମାଜୋଚିତ ଆଚରଣ ପ୍ରଦର୍ଶନ କରନ୍ତୁ । ନିଜକୁ ପ୍ରକୃତ ସମାଜସେବୀ ଭାବେ ପ୍ରତିପାଦିତ କରି ବ୍ୟକ୍ତି ସମ୍ମାନ ଲାଭ କରନ୍ତୁ । ତଦନୁରୂପ ଯୁବ ସମାଜ କୌଣସି ଅସାମାଜିକ କାର୍ଯ୍ୟ ଓ ହିଂସ୍ର କାମ ନକରନ୍ତୁ । ନୂଆବର୍ଷ ପରେ ପରେ ଆରମ୍ଭ ହୋଇଯାଏ ବିଦ୍ୟାର୍ଥୀ ମାନଙ୍କର ପରୀକ୍ଷାର ଋତୁ । ବିଦ୍ୟାର୍ଥୀମାନେ କାୟ ମନୋକାର୍ଯ୍ୟରେ ଅଧ୍ୟୟନ ପ୍ରତି ଦୃଷ୍ଟି ଦେଇ ପରୀକ୍ଷାରେ କୃତକାର୍ଯ୍ୟ ହୁଅନ୍ତୁ । ଜଣେ ମଣିଷ ଜଟିଳ ଓ ଅଭଦ୍ର ହେବା ସହଜ କିନ୍ତୁ ସରଳ ଓ ଭଦ୍ର ହେବା କଠିନ କାର୍ଯ୍ୟ । ତେଣୁ ସମସ୍ତେ ଭଦ୍ର ହେବା ପାଇଁ ଓ ସରଳ ହେବା ପାଇଁ ଉଦ୍ୟମ ଜାରି ରଖନ୍ତୁ । ପ୍ରତ୍ୟେକ ମଣିଷ ପାଇଁ ପୁନଶ୍ଚ ଭଲ ହେବାର ଓ ଭଦ୍ର ହେବାର ବାଟଟିଏ ଅପେକ୍ଷା କରିଥାଏ । ହତୋତ୍ସାହିତ ନ ହୋଇ ସେଇ ବାଟର ଅନୁସନ୍ଧାନରେ ଗତି କରିବା ବାଞ୍ଛନୀୟ । ମନେରଖନ୍ତୁ ପ୍ରତ୍ୟେକ ମୁହୂର୍ତ୍ତରେ କେହି ନା କେହି ଜଣେ ଆପଣଙ୍କ କାର୍ଯ୍ୟକଳାପକୁ ଫଟୋ ଉଠାଉଛି ଯାହା ଦିନେ ଇତିହାସର ଅଂଶ ହୋଇପାରେ । ସେଥିପାଇଁ ମହାପୁରୁଷମାନେ ଇତିହାସକୁ ଡରନ୍ତି । କାରଣ ଇତିହାସର ଆଖିରେ ପତା ନଥାଏ । ସମାଜ ଯେହେତୁ ବ୍ୟକ୍ତିବିଶେଷଙ୍କ ସଂଗୋଷ୍ଠୀ ତେଣୁ ବ୍ୟକ୍ତି ପବିତ୍ରତାରେ ସମାଜର ପବିତ୍ରତା ପ୍ରତିଷ୍ଠିତ ହୋଇଥାଏ । ୨୦୨୬ରେ ଆସନ୍ତୁ ଆମେ ସମସ୍ତେ ସକାରାତ୍ମକ ଚିନ୍ତାଧାରା ନେଇ ଓଡ଼ିଶା ଗଢ଼ିବା । ମାତୃଭାଷାକୁ ସମ୍ମାନଦେବା । ସଂକଳ୍ପ କରିବା ନୂଆ ବର୍ଷ ଅବସରରେ କେବଳ ନିଜ ଜୀବନ ନୁହେଁ ବା ନିଜ ପରିବାର ନୁହେଁ ଏହା ସହିତ ଏ ରାଜ୍ୟ, ଏ ଦେଶ, ଏ ଜାତି ପାଇଁ ଆମ ଦାୟିତ୍ୱ ସୂଚାରୁରୂପେ ନିର୍ବାହ କରିବା । ଜଗତର ସର୍ବାଙ୍ଗୀନ ଉନ୍ନତିକଳ୍ପେ ଆମ୍ଭମାନଙ୍କର ଦାୟିତ୍ୱକୁ ନିଷ୍ଠାପର ଭାବେ, ନିଃସ୍ୱାର୍ଥପର ଭାବେ ନିର୍ବାହ କରି ଅନ୍ତତଃ ଜଣେ ଭଲ ମଣିଷ ହେବାର ସଂକଳ୍ପବଦ୍ଧ ଜୀବନ ପାଇଁ ଆଜିର ଦିନଟିକୁ ସ୍ମରଣୀୟ କରିବା ।
ଯାଜପୁର
ମୋ:: ୯୯୩୮୫୩୬୦୭୬