ନୌସେନା ଦିବସ ପାଇଁ ଚୂଡ଼ାନ୍ତ ଫୁଲ୍ ଡ୍ରେସ୍ ରିହର୍ସଲ

ପୁରୀ : ସୋମବାର ଚୂଡାନ୍ତ ଫୁଲ୍ ଡ୍ରେସ୍ ରିହର୍ସଲ ଅନୁଷ୍ଠିତ ହୋଇଛି । ନୌସେନା ଦିବସ ଉପଲକ୍ଷେ ପୁରୀ ସହର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ କରାଯାଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ରାଷ୍ଟ୍ରପତିଙ୍କ ଗସ୍ତ ଓ ନୌସେନା ଦିବସ ଉପଲକ୍ଷେ ୮୦ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ସହରକୁ ଆସୁଥିବା ଓ ଚଳାଚଳ କରୁଥିବା ଲୋକମାନଙ୍କ ଗତିବିଧି ଉପରେ ସତର୍କ ଦୃଷ୍ଟି ରଖିବେ କେନ୍ଦ୍ର ଓ ରାଜ୍ୟ ଗୋଇନ୍ଦା ସଂସ୍ଥା । ଆସନ୍ତା ୪ତାରିଖ ଦିନ ନୌବାହିନୀ ଦିବସ ପାଳନ ଉପଲକ୍ଷେ ଆୟୋଜିତ ସମରାଭ୍ୟାସରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନୌବାହିନୀ ଚାରି ଦିନ ଧରି ଯୁଦ୍ଧ କୌଶଳ ପ୍ରଦର୍ଶନ କରୁଛନ୍ତି ନୌବାହିନୀର ଯବାନ ଓ ଅଧିକାରୀ । ନୌବାହିନୀ ଦିବସ ସମରାଭ୍ୟାସରେ ଅଂଶଗ୍ରହଣ କରୁଛନ୍ତି ୧୫ଟି ଯୁଦ୍ଧ ଜାହାଜ ଓ ୪୦ଟି ବିମାନ ।  ସମୁଦ୍ରର ଗର୍ଜନ ସାଙ୍ଗକୁ ନୌସେନା ହେଲିକପ୍ଟରର କାନଫଟା ଶବ୍ଦ, ନୌବୀରମାନଙ୍କ ଚିତ୍ତାକର୍ଷକ ରଣକୌଶଳ ପ୍ରଦର୍ଶନ, ନୌବାହିନୀ ମୁ୍ୟଜିକାଲ ବ୍ୟାଣ୍ଡ ବାଦନ, ଗଭୀର ସମୁଦ୍ରରେ ରଣତରୀ, ସ୍ପିଡ୍ ବୋଟ୍, ଡ୍ରୋନ୍ ସୋ’ ଓ ଲେଜର ସୋ’ ସାଙ୍ଗକୁ ବେଳାଭୂମିରେ ଟ୍ୟାଙ୍କର ସମରସଜ୍ଜା ଓ ଗର୍ଜନ ସୃଷ୍ଟି କରିଥିଲା ଯୁଦ୍ଧ ଭୂମିର ଭ୍ରମ । ଘଣ୍ଟାଘଣ୍ଟା ଧରି ସମୁଦ୍ର କୂଳରେ ସମବେତ ହଜାର ହଜାର ଦର୍ଶକ ନିଷ୍ପଲକ ନୟନରେ ନିର୍ବାକ ଭାବେ ଉପଭୋଗ କରିଥିଲେ ନୌସେନା ଦିବସର ଅବ୍ୟବହିତ ପୂର୍ବରୁ ସମରାଭ୍ୟାସର ଦୃଶ୍ୟ । ଅବସର ଥିଲା ନୌସେନା ଦିବସ ଉପଲକ୍ଷେ ସମୁଦ୍ର କୂଳରେ ଫୁଲ୍ ଡ୍ରେସ୍ ରିହର୍ସଲ୍ । ନୌବାହିନୀ ଦିବସ ଉପଲକ୍ଷେ ଆୟୋଜିତ ଟ୍ରାକ୍ ସମରାଭ୍ୟାସର ଦୃଶ୍ୟ ସମବେତ ଦର୍ଶକମାନଙ୍କୁ ଚମକ୍ରୃତ କରିଥିଲା । ବର୍ତ୍ତମାନ ସମୁଦ୍ରରେ ଲଙ୍ଗର ପକାଇଛନ୍ତି ନୌସେନାର ବିଶାଳ ଯୁଦ୍ଧ ଜାହାଜ ବିକ୍ରାନ୍ତ ଓ ଅନ୍ୟ ରଣତରୀ । ଯୁଦ୍ଧ ଜାହାଜ ଉପରେ ଚକ୍କର କାଟୁଛି ନୌବାହିନୀର ଲଢୁଆ ହେଲିକପ୍ଟର । ରଣତରୀରେ ପ୍ରଦର୍ଶିତ ହେଉଛି ଲେଜର ସୋ’ । ବ୍ଲୁ ଫ୍ଲାଗ୍ ବିଚ୍ ସମ୍ମୁଖ ସମୁଦ୍ରରେ ସ୍ପିଡ଼ ବୋଟ୍ର ଚଳାଚଳ, ପାରାସେଲିଂ, ହେଲିକପ୍ଟରରୁ ନୌସୈନିକମାନେ ଅବତରଣ କରି ଦୁଃଶାହାସିକ ସମର କୌଶଳ ପ୍ରଦର୍ଶନ ପାଲଟିଛି ଆକର୍ଷଣ ।