ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନକୁ ବିରୋଧ


  ବଡମ୍ବା:  ଦୀର୍ଘ ତିରିଶି ବର୍ଷ ଧରି ମାର୍ଚ୍ଚ ପାଞ୍ଚ ତାରିଖକୁ ପଞ୍ଚାୟତିରାଜ ଦିବସ ପାଳନ କରିଆସୁଥିବା ବେଳେ ରାଜ୍ୟରେ ବର୍ତ୍ତମାନର ବିଜେପି ସରକାର ଏହାକୁ ପରିବର୍ତ୍ତନ କରି ଏପ୍ରିଲ ୨୪ ତାରିଖକୁ ଜାତୀୟ ପଞ୍ଚାୟତିରାଜ ଦିବସ ଘୋଷଣା କରିବା ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ବୋଲି ବିରୋଧୀ ବିଜେଡି ଅଭିଯୋଗ କରିଛି । ଉକ୍ତ ପ୍ରତିବାଦକୁ କେନ୍ଦ୍ର କରି ବଡମ୍ବା ବ୍ଲକ ବିଜେଡି ସଭାପତି ରବିନ୍ଦ୍ର ସାହୁଙ୍କ ନେତୃତ୍ୱରେ ଶତାଧିକ ବିଜେଡି ନେତା ଓ କର୍ମୀମାନେ ବିଜେପି ସରକାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବଡମ୍ବା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ବିଜେଡି କର୍ମୀ ପ୍ଲାକାର୍ଡ ଧରି ସଭାସ୍ଥଳରେ ବିକ୍ଷୋଭ କରିବା ସହିତ ବିଜେପି ସରକାରଙ୍କୁ ଏଭଳି ହୀନ କାର୍ଯ୍ୟକଳାପ ପାଇଁ କଡା ଭାଷାରେ ସମାଲୋଚନା କରିଛନ୍ତି । ୧୯୯୪ ମସିହା ଠାରୁ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସରକାର ସମୟରେ ଲାଗୁ କରାଯାଇଥିଲା । ବିଜୁ ପଟ୍ଟନାୟକ ଜନ୍ମତିଥି ଅନୁଯାୟୀ ମାର୍ଚ୍ଚ ପାଞ୍ଚ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରାଯାଉଥିଲା । ଉକ୍ତ ଦିବସରେ ସରକାରୀ ଛୁଟି ଘୋଷଣା ସହିତ ବିଜୁବାବୁଙ୍କ ଜୟନ୍ତୀ ପାଳନ କରାଯାଉଥିଲା । ଉକ୍ତ ଦିବସକୁ ରାଜ୍ୟରେ ବର୍ତ୍ତମାନର ବିଜେପି ସରକାର ସରକାରୀ ଛୁଟି ବାତିଲ କରିବା ସହିତ ପଞ୍ଚାୟତିରାଜ ଦିବସକୁ ଏପ୍ରିଲ ୨୪କୁ ପରିବର୍ତ୍ତନ କରିବା ପରେ ବିରୋଧୀ ବିଜେଡି ଏହାକୁ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନ ଓ ପ୍ରତି ବିଜୁ ପ୍ରେମୀଙ୍କ ମନରେ କୁଠାରାଘାତ ବୋଲି ଅଭିଯୋଗ କରିଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବିଜେଡିର ବିରୁଦ୍ଧାଭାଷ ଦେଖାଦେଇଛି । ଓଡିଆ ଅସ୍ମିତାର ନାରା ଦେଇ ଗତ ଆଠ ମାସର ସରକାର ରାଜ୍ୟକୁ ଠକି ଚାଲିଥିବା ବେଳେ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇ ମନୋମୁଖୀ ଶାସନ ଚଳାଇଛନ୍ତି ବୋଲି ବିଭିନ୍ନ ବକ୍ତାମାନେ ମତ ମତପ୍ରକାଶ କରିଥିଲେ । ଏଥିସହିତ ରାଜ୍ୟ ସରକାର ନେଇଥିବା ଉକ୍ତ ନିଷ୍ପତ୍ତିକୁ ପୂର୍ବପରି ଜାରି ରଖିବା ପାଇଁ ବିଜେଡି ଦଳ ପକ୍ଷରୁ  ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ସ୍ଥାନୀୟ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ନିଷ୍ପତ୍ତିକୁ ରାଜ୍ୟ ସରକାର ଯଦି ବିଚାର ନ କରନ୍ତି ସାରା ଓଡିଶାରେ ଏହିଭଳି ପ୍ରତିବାଦ ଜାରି ରହିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।
ତାଳଚେର:  ମାର୍ଚ୍ଚ ୫କୁ ପଂଚାୟତ ରାଜ ଦିବସକୁ ରାଜ୍ୟ ବିଜେପି ସରକାର ପାଳନ ନ କରିବା ଏହାକୁ ନେଇ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ୱରେ ବିଜେଡ଼ି କର୍ମୀଙ୍କୁ ନେଇ ତାଳଚେର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟରେ ତି୍ରସ୍ତରୀୟ ପଂଚାୟତ ବ୍ୟବସ୍ଥାର ସ୍ରଷ୍ଟା କିମ୍ବଦନ୍ତୀ ପୁରୁଷ ସ୍ୱର୍ଗତ ବିଜୁବାବୁଙ୍କୁ ସମ୍ମାନ ସୂଚକ ତଥା ତାଙ୍କୁ ମନେ ରଖିବାକୁ ବିଜୁପଟ୍ଟନାୟକଙ୍କ ଜନ୍ମ ଦିନକୁ ପଂଚାୟତ ରାଜ ଦିବସ ଭାବେ ପୂର୍ବରୁ ବିଜେଡ଼ି ସରକାର ପାଳନ କରୁଥିଲା । ତେବେ ଏହି ପଂଚାୟତ ଦିବସ ପାଳନ କରାଯାଉନଥିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ଅଗଣିତ ବିଜୁପ୍ରେମୀଙ୍କୁ ଦୁଃଖିତ କରିଛି ବୋଲି ବିଧାୟକ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ ।
 ବଲାଙ୍ଗିର : ବଲାଙ୍ଗିର ବିଜେଡି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସମାବେଶ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନରେ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଥିଲା । ଏହି ଦିନକୁ ସରକାରୀ ଛୁଟି ଘୋଷଣା କରାଯାଉଥିଲା । ମାତ୍ର ରାଜ୍ୟରେ ନୂଆ ଭାଜପା ସରକାର ଆସିବା ପରେ ମାର୍ଚ୍ଚ ୫ ପରିବର୍ତ୍ତେ ଏପ୍ରିଲ ୨୪ ତାରିଖକୁ ପଞ୍ଚାୟତିରାଜ ଦିବସ ପାଳନ କରିବାକୁ ସ୍ଥିର କରାଯାଇଥିବା କୁହାଯାଇଛି । ଏହାକୁ ବିଜେଡି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏହି ଦିବସକୁ ବଦଳାଇବା ପଛର ରହସ୍ୟ କ’ଣ ରହିଛି ବୋଲି ବିଜୁ ଜନତା ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି । ଏହା ବିଜୁବାବୁଙ୍କ ଭଳି କୃତି ସନ୍ତାନଙ୍କ ପ୍ରତି ଘୋର ଅପମାନ ବୋଲି କୁହାଯାଇଛି  । ଭାଜପା ଏଭଳି ହୀନମନ୍ୟତା ପରିତ୍ୟାଗ କରୁ ବୋଲି ବିଜେଡି ନେତା ଓ ନେତ୍ରୀମାନେ ସେମାନଙ୍କ ଭାଷଣରେ ବକ୍ତବ୍ୟ ରଖିଥିଲେ ।
 ସାରସକଣା: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସାରସକଣା ବ୍ଲକ ସଭାପତି ସମୀର କୁମାର ବେରାଙ୍କ ଆବାହନକ୍ରମେ ପାଞ୍ଚଶହରୁ ଊଦ୍ଧ୍ୱର୍ ବିଜେଡି କର୍ମୀ ବ୍ଲକ ସାମ୍ନାରେ ଉପସ୍ଥିତ ହୋଇ ବିଜେପି ସରକାରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ନାରାବାଜି କରିବା ସହିତ ପଞ୍ଚାୟତିରାଜ ଦିବସକୁ ମାର୍ଚ୍ଚ ୫ତାରିଖରୁ ବଦଳ କରି ସରକାରୀ ଛୁଟି ବାତିଲ କରିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିବା ଦେଖିବାକୁ ମିଳିଥିଲା । ସାରସକଣା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ପୂର୍ବତନ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନଏସଡିସି ଚେୟାରମ୍ୟାନ ଦେବାଶିଷ ମାରାଣ୍ଡି, ରାଜ୍ୟ ସମ୍ପାଦକ ଅମରେନ୍ଦ୍ର କର, ଚିନ୍ମୟ ସାହୁ, ବିଶ୍ୱଜିତ ମହାନ୍ତିଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ସେଠାରେ ଶତାଧିକ ବୃଦ୍ଧା ପତାକା ଧରି ଠିଆ ହୋଇ ସରକାରଙ୍କୁ ବିରୋଧ କରୁଥିବାବେଳେ ବିଜେଡି ପୁଣି ସରକାରକୁ ଫେରିବ ଓ ପଞ୍ଚାୟତ ନିର୍ବାଚନରେ ନିଜର ବଳ ଦେଖାଇବ ବୋଲି ଅଭିଭାଷଣରେ ଉପସ୍ଥିତ ନେତାମାନେ ପ୍ରକାଶ କରିଥିଲେ ।
ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ନେତୃତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଆଜିର ପ୍ରତିବାଦ ସଭାରେ ବିଜୁ ଜନତା ଦଳର ସମସ୍ତ ବିଜୁ ପ୍ରେମୀ ଓ ବିଜେଡି ପ୍ରେମୀ ନେତାମାନେ ପ୍ରତିବାଦ କରିବା ସହ ଦୃଢ ନିନ୍ଦା କରିଛନ୍ତି । ରାଜ୍ୟରେ ପଞ୍ଚାୟତିରାଜ ଦିବସ ଗତ ପ୍ରାୟ ୩ ଦଶନ୍ଧି ଧରି ମାର୍ଚ୍ଚ ୫ରେ ପାଳିତ ହୋଇ ଆସୁଥିବାବେଳେ ରାଜ୍ୟ ସରକାର ଏହାକୁ ପରିବର୍ତ୍ତନ କରି ଏପ୍ରିଲ ୨୪ ତାରିଖରେ ପାଳନ କରିବା ନିଷ୍ପତି ଦୁର୍ଭାଗ୍ୟଜନକ । ଏହା ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ପରିଚୟ ବୋଲି ଆଜି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି । ଏ ନେଇ  ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ କରାଯାଉଛି । ତେବେ ଆଜିର ପ୍ରତିବାଦ ସଭାରେ ବିଜେଡି ବରିଷ୍ଠ ନେତା  ଗୋପାଳ କୃଷ୍ଣ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ, କାର୍ଯ୍ୟକାରୀ ସଭାପତି ଦୁର୍ଗା ତ୍ରିପାଠୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ପୌର ଅଧ୍ୟକ୍ଷ ମନୋଜ ବାରିକ, ପୌର ଉପାଧ୍ୟକ୍ଷା କବିତା ମହନ୍ତ, ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ, ଜିଲ୍ଲା ପରିଷଦ ସଭ୍ୟା କୁନି ଭୂମିଆ, ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ, ଜିଲ୍ଲା ଯୁବ ଉପସଭାପତି କଣ୍ଟେଶ ପୋଟଲା, ବିଜେଡି ରାଜ୍ୟ ଯୁବସମ୍ପାଦକ ରବି ରାଜେଶ, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରୀତପଲ ସିଂ, ବିଜେଡି ନିର୍ବାଚନ ଅଧିକାରୀ ଘନଶ୍ୟାମ ମାଡକାମୀ, ଶଙ୍କର ଚନ୍ଦ୍ର ସାହା, ଯୁବ ନେତା କେ ରାହୁଲ, ସର୍ବ ବିଶୋଇ, ଡମ୍ବରୁ ବାଘ, ଯୁବ ସମ୍ପାଦକ ବସନ୍ତ ନାୟକ, ଶରତ ଚନ୍ଦ୍ର ବିଶ୍ୱାଳ, ରୁଦ୍ର ପାତ୍ର, ଡନେଲ ପୋଟଲା, ଗାନ୍ଧୀ ପଣ୍ଡା, ବି.କମେଶ୍ୱର ରାଓ, ଅଖିଳ ମଣ୍ଡଳ, ପ୍ରଶାନ୍ତି ଲତା ବିଶୋଇ, ଦହନା ତାଙ୍ଗୁଲ ପ୍ରମୁଖଙ୍କ ସହ ବିଜୁ ଜନତା ଦଳର ବହୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ ।
ସାଲେପୁର: ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାନଯିବା ନେଇ ଏହାର ପ୍ରତିବାଦରେ ସାଲେପୁର ବିଜେଡି ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମୀ ଏକତ୍ରିତ ହୋଇ ରାଜ୍ୟରେ ଶାସିତ ବିଜେପି ସରକାରର ଏଭଳି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିବା ସହ ଏହାର ଉପଯୁକ୍ତ ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ ଦେବେ ବୋଲି ପ୍ରକାଶ କରିଥିଲେ । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ବିଜେଡି କାର୍ଯ୍ୟକାରୀ ସଭାପତି ନାରାୟଣ ପତି, ଆତ୍ମାର ସଭାପତି ଦିଲ୍ଲୀପ କୁମାର ଦାଶ, ପୂର୍ବତନ ସରପଞ୍ଚ ଗଗନ ବିହାରୀ ମିଶ୍ର, କମଳାକାନ୍ତ ନାୟକ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଚିତ୍ତରଂଜନ ମହାନ୍ତି, ବିଜେଡି ନେତା ନବକିଶୋର କର, ରାଜେଶ ମହାନ୍ତି, ଶିଶୁଆ ପଞ୍ଚାୟତ ସମିତିସଭ୍ୟ ମାନସ କୁମାର ଦାଶ, ବିଜୁ ଯୁବ ଜନତା ସଭାପତି ସଂଜିତ୍ ଦାଶ, ଯୁବନେତା ବିରଞ୍ଚôନାରାୟଣ କର, ଛାତ୍ରଜନତା ସଭାପତି ଶୁଭମ୍ ଦାଶ, ଚନ୍ଦ୍ରାଦେଇପୁର ପଞ୍ଚାୟତ ସମିତିସଭ୍ୟା ପୁଷ୍ପିତା ଭୂୟାଁ, ବିଜେଡି ନେତା ବିଶ୍ୱଜିତ୍ ବିଶ୍ୱାଳ,ପୂର୍ବତନ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା, ନାରିନେତ୍ରୀ ରାଜଶ୍ରୀ ଜେନା, ଜିଲ୍ଲାପରିଷଦ ସଭ୍ୟା ରଂଜିତା ସେଠୀଙ୍କ ସମେତ ବହୁ ଜିଲ୍ଲାପରିଷଦ ସଭ୍ୟସଭ୍ୟା, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ବିଜୁ ଜନତା ଦଳର ଶତାଧିକ କର୍ମୀମାନେ ଯୋଗ ଦେଇ ବିଜେପି ସରକାରର ଅପାରଗତା ସଂପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । 
ନବରଙ୍ଗପୁର: ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାନଯିବା ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ବିଜେଡି  ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡ଼ିଶାର ବରପୁତ୍ର ତଥା ନୂତନ ଓଡିଶାର ନିର୍ମାତା ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଦୀର୍ଘ ବର୍ଷ ଧରି ପାଳିତ ହୋଇ ଆସୁଥିବା ପଞ୍ଚାୟତରାଜ ଦିବସକୁ ଚଳିତ ବର୍ଷ ପାଳନ କରାଯାଇନାହିଁ । ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ତ୍ରିସ୍ତରୀୟ ପଞ୍ଚାୟତକୁ ଅଧିକ ସଶକ୍ତ କରିବା ପାଇଁ ଗଠନମୂଳକ ପଦକ୍ଷେପ ସହ ପଞ୍ଚାୟତସ୍ତରରେ ପ୍ରତ୍ୟେକ ବର୍ଗର ଲୋକଙ୍କୁ ସାମିଲ କରିବା ପାଇଁ ପଦକ୍ଷେପ ନେଇଥିଲେ ।  ସାଧାରଣ ଜନତାଙ୍କ ସ୍ୱର ହୋଇ ଅନ୍ୟାୟର ଦୃଢ଼ ପ୍ରତିବାଦ କରୁଥିଲେ, ନୂତନ ବିକଶିତ ଓଡିଶା ଗଠନ ପାଇଁ ଶିଳ୍ପ ର ପ୍ରତିଷ୍ଠା କରିଥିଲେ । ଯେଉଁଥି ପାଇଁ ଲୋକଙ୍କ ହୃଦୟରେ ବାସ କରିଥିବା ବେଳେ କିନ୍ତୁ ବର୍ତ୍ତମାନ ବିଜେପି ଶାସନକୁ ଆସିବା ପରେ ହୀନ ରାଜନୀତି କରି ପଞ୍ଚାୟତରାଜ ଦିବସ ତାରିଖକୁ ପରିବର୍ତ୍ତନ କରିଛି । ଯାହାକୁ ନେଇ ପ୍ରତିବାଦ କରିଛି ବିଜେଡି । ନବରଙ୍ଗପୁର ସହର ନିକଟ ମାଝୀଗୁଡା ଠାରେ ଅବସ୍ଥିତ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଏହା ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନ ଏହା ଓଡ଼ିଶାର ଅପମାନ  ବୋଲି କହିଛି ଜିଲ୍ଲା ବିଜେଡି ।  ଏହି ପ୍ରତିବାଦ ସଭାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରମ ନାୟକ, ବରିଷ୍ଠ ନେତ୍ରୀ ମଞ୍ଜୁଳା ମାଝୀ, କୌଶଲ୍ୟା ପ୍ରଧାନୀ, ତାପସ ତ୍ରିପାଠୀ, ନଗର ସଭାପତି ପ୍ରମୋଦ କୁମାର ରଥ, ବରିଷ୍ଠ ନେତା ଆଶିଷ ରଞ୍ଜନ ପଟ୍ଟନାୟକଙ୍କ ସହ ଅନେକ ବିଜେଡି କର୍ମୀମାନେ ଯୋଗ ଦେଇଥିଲେ ।