ପଞ୍ଚାୟତ ବଢାଇବାକୁ ରାଜ୍ୟପାଳଙ୍କ ପରାମର୍ଶ


 ଭୁବନେଶ୍ୱର :  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପଂହଚାଇବା ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି । ଆଜି ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା ଅବସରରେ ରାଜ୍ୟପାଳ ଏହି ଗୁରୁତ୍ୱାରୋପ କରିଛନ୍ତି । ଏତଦ୍ବ୍ୟତୀତ ପ୍ରତ୍ୟେକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ଉପରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟପାଳ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ରାଜ୍ୟପାଳ ରାଜ୍ୟରେ ଜଳ ଜୀବନ ମିଶନ ଯୋଜନାର କାର୍ଯ୍ୟକାରିତା ଏବଂ ଏହି ଯୋଜନା ଅନ୍ତର୍ଗତ ଗ୍ରାମୀଣ କାର୍ଯ୍ୟକ୍ରମରେ ଘରୋଇ ପାଇପ୍ ଜଳ ସଂଯୋଗ କ୍ଷେତ୍ରରେ ଅଗ୍ରଗତି ସଂପର୍କରେ ବିଶଦଭାବେ ସମୀକ୍ଷା କରିଥିଲେ । ଏତଦ୍ବ୍ୟତୀତ ରାଜ୍ୟପାଳ କହିଥିଲେ ଯେ, ପଂଚାୟତ ବ୍ୟବସ୍ଥା ଲୋକଙ୍କ ନିକଟତର ହେବା ଆବଶ୍ୟକ । ବିକେନ୍ଦ୍ରୀକରଣ କାର୍ଯ୍ୟକ୍ରମଗୁଡ଼ିକ ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରେ ଏବଂ ଉତ୍ତମ ତଦାରଖକୁ ସୁଗମ କରେ । ଏଣୁ ଏହି ଦୃଷ୍ଟିରୁ ରାଜ୍ୟରେ ଗ୍ରାମ ପଂଚାୟତ  ସଂଖ୍ୟା ବୃଦ୍ଧି କରିବା ଦିଗରେ ଅନୁଧ୍ୟାନ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ପଂଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପଂଚାୟତିରାଜ ସଂସ୍ଥାକୁ ସୁଦୃଢ କରିବା ଓ ଗ୍ରାମୀଣ ବିକାଶକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ସଂପର୍କରେ ଆଲୋକପାତ କରିଥିଲେ । ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟ ସରକାର କିଭଳି ଭାବରେ ବିକଶିତ ଓଡ଼ିଶା ଗଠନରେ ବ୍ରତୀ ରହିଛନ୍ତି ସେ ସଂପର୍କରେ ମନ୍ତ୍ରୀ ଶ୍ରୀ ନାଏକ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ବିଭାଗୀୟ କମିଶନର-ତଥା-ଶାସନ ସଚିବ ଏସ.ଏନ୍.ଗିରୀଶ ବିଭାଗର ସମସ୍ତ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ । ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ  ରୂପା ରୋଶନ ସାହୁ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।  ଏହାପୂର୍ବରୁ ମନ୍ତ୍ରୀ ରବିନାରାୟଣ ନାୟକ ଏକ ସମୀକ୍ଷା ବୈଠକ କରିଥିଲେ । ସମଗ୍ର ଓଡିଶାବାସୀଙ୍କୁ ସ୍ୱଚ୍ଛ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ସରକାର ସଙ୍କଳ୍ପବଦ୍ଧ  ଅଛନ୍ତି  । ରାଜ୍ୟରେ ଗ୍ରାମାଞ୍ଚଳରେ ଏହି କାର୍ଯ୍ୟକୁ ଉଚିତ ଭାବରେ କାର୍ଯ୍ୟକାରୀ କରି ସମସ୍ତ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବୃହତ  ପାନୀୟ ଜଳ ପ୍ରକଳ୍ପଗୁଡିକର ସମୀକ୍ଷା କରି  ନିଦେ୍ର୍ଦଶ ଦେଇଥିଲେ । ରାଜ୍ୟରେ ୨୦୭ଟି ମେଗା ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୮ ଟି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି । ବର୍ତ୍ତମାନ ରାଜ୍ୟରେ ୧୦୦୦୦ ରୁ ଉର୍ଦ୍ଧ୍ୱ ଗ୍ରାମ ଓ ୫୫୨ଟି ଗ୍ରାମପଞ୍ଚାୟତ ସମ୍ପୂର୍ଣ୍ଣ ରୂପେ ‘ହର ଘର ଜଳ’ଯୋଜନାରେ ଅନ୍ତର୍ଭୁକ୍ତ ହୋଇସାରିଛନ୍ତି  । ନୂଆପଡା ଜିଲ୍ଲାର ସମସ୍ତ ଗ୍ରାମ ‘ହର ଘର ଜଳ ଯୋଜନା’ରେ ଅନ୍ତର୍ଭୁକ୍ତ ହୋଇ ପାରିଛି, ଯାହା ଗ୍ରାମୀଣ ଜୀବନରେ ପାନୀୟ ଜଳ ସୁବିଧାକୁ ସୁନିଶ୍ଚିତ କରିବା  ଦିଗରେ ଏକ ଐତିହାସିକ ପଦକ୍ଷେପ  । ସରକାରୀ ସ୍ତରରେ ଏହି ପ୍ରକଳ୍ପଗୁଡିକୁ ଯଥାଶୀଘ୍ର ସମ୍ପନ୍ନ କରିବା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି  । ସେହି ଅନୁସାରେ, ଡିସେମ୍ବର ୨୦୨୫ ସୁଦ୍ଧା ଆଉ ୫୪ ଟି ପ୍ରକଳ୍ପ ସମ୍ପନ୍ନ କରିବା ଲକ୍ଷ୍ୟ ସ୍ଥିର କରାଯାଇଛି । ଏହି ସମସ୍ତ ପ୍ରକଳ୍ପର ନିର୍ମାଣ ସ୍ଥିତି ସମୀକ୍ଷା କରି ମନ୍ତ୍ରୀ ସ୍ଥିରୀକୃତ ସମୟ ମଧ୍ୟରେ କାର୍ଯ୍ୟ ସାରିବାକୁ ନିଦେ୍ର୍ଦଶ ଦେଇଥିଲେ ।