ପଞ୍ଚାୟତ ସମିତିର ସାଧାରଣ ବୈଠକ

 ନିଆଳି: ନିଆଳି ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ବୈଠକ ଶାନ୍ତିଶୃଙ୍ଖଳା ମଧ୍ୟରେ ଶେଷ ହୋଇଛି । ସମିତିର ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିଆଳି ବିଧାୟକ ଛବି ମଲ୍ଲିକ ଯୋଗ ଦେଇ ନିଆଳି ବ୍ଲକ୍ର ଉନ୍ନତି ପାଇଁ ଦଳକୁ ପଛରେ ପକାଇ ସମସ୍ତେ ଏକତ୍ରିତ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ । ନିଆଳି ପଞ୍ଚାୟତ ସମିତି ଅଷ୍ଟମ ସାଧାରଣ ବୈଠକ ବ୍ଲକ୍ ସମ୍ମିଳନୀ ଗୃହ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପରେ ପୂର୍ବ ବୈଠକର ବିବରଣୀ ପାଠ କରିବା ପରେ ବିଧାୟକ ଛବି ମଲ୍ଲିକ ଉପସ୍ଥିତ ସଭାକୁ ସମ୍ବର୍ଦ୍ଧନା କରିଥିଲେ । ବିଧାୟକ ତାଙ୍କ ବକ୍ତବ୍ୟରେ ନିଆଳି ପଞ୍ଚାୟତ ସମିତିର ସମସ୍ତ ସଦସ୍ୟ ଦଳଗତ ମନୋଭାବକୁ ଭୁଲି ସାଧାରଣ ଲୋକଙ୍କ କାମ କରିବାକୁ ପରାମର୍ଶ ଦେଇଥିଲେ । ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଯୋଗାଣ ବିଭାଗ, ଭତ୍ତା ବିଭାଗ, ମିଶନ ଶକ୍ତି ବିଭାଗ, ଉନୟକ ବିଭାଗ, ପାନୀୟ ଜଳ ଯୋଗାଣ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ପାନୀୟଜଳ ବିଭାଗ ଉପରେ ବହୁ ସରପଞ୍ଚ ସମିତି ସଭ୍ୟ ଅଭିଯୋଗ ଆଣିବା ପରେ ଅଭିଯୋଗରେ ସତ୍ୟତା ଥିଲେ ଭିଜିଲାନ୍ସ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସିଡିପିଓଙ୍କ କାର୍ଯ୍ୟକୁ ନେଇ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ତୀବ୍ର ବିରୋଧ କରିଥିଲେ । ସିଡିପିଓ ସଞ୍ଜୁକ୍ତା ଘଡେଇ ଆଗକୁ ଏଭଳି ମନମୁଖୀ କାର୍ଯ୍ୟ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ଗୃହ ଶାନ୍ତ ପଡିଥିଲା । ବିଭିନ୍ନ ପଞ୍ଚାୟତରେ ଲାଗି ରହିଥିବା ଏହି ସବୁ କାର୍ଯ୍ୟକାରିତା ଉପରେ ସଦସ୍ୟମାନେ ପ୍ରଶ୍ନ କରିଥିବାବେଳେ ବିଭାଗୀୟ ଅଧିକାରୀମାନେ ତାର ଉତ୍ତର ରଖିଥିଲେ । ବୈଠକରେ ନିଆଳି ବିଡିଓ ଜଗଦୀଶ ଷଢଙ୍ଗୀ, ଜିଲ୍ଲା ପରିଷଦ ଦେବାଶିଷ ଷଢଙ୍ଗୀ, ନିଆଳି ବ୍ଲକ୍ ସାଂସଦଙ୍କ ଜ୍ୟୋତି ରଞ୍ଜନ ମହାନ୍ତି, ବ୍ଲକ୍ ଉପାଧ୍ୟକ୍ଷ ସ୍ୱର୍ଣ୍ଣପ୍ରଭା ରାଉତ ପ୍ରମୁଖ ଉପସ୍ଥିତ ଥିବାବେଳେ ବିଡିଓ ଜଗଦୀଶ ଷଢଙ୍ଗୀ ବୈଠକ ସଞ୍ଚାଳତା କରିଥିଲେ । ବିଭିନ୍ନ ପ୍ରସଙ୍ଗ ଉପରେ ସରପଞ୍ଚ ତ୍ରିନାଥ ମହାନ୍ତି, ବିଜୟରାମ ପଣ୍ଡା, ସୁରେଶ ପଟ୍ଟନାୟକ, କବିତାରାଣୀ ବେହେରା, ଜିଲ୍ଲା ପରିଷଦ ସୌଦାମିନୀ ମହାପାତ୍ର, ସରପଞ୍ଚ ନମିତା ବାରିକଙ୍କ ସମେତ ଅନେକ ସରପଞ୍ଚ, ସମିତି ସଭ୍ୟସଭ୍ୟା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।