ଅଣ ବିଜେଡ଼ି ବିଧାୟକଙ୍କ ସମୀକ୍ଷା  ଆରମ୍ଭରୁ କଠୋର ହିମାଂଶୁ


 ଯାଜପୁର: ରାଜ୍ୟରେ ନଗଦା ନଗଦି ହୋଇଥିବା ସାଧାରଣ ନିର୍ବାଚନରେ ରାଜନୈତିକ ପଟ ପରିବର୍ତ୍ତନ ହୋଇଛି । ନବୀନ ସରକାର ପରିବର୍ତ୍ତନ ହୋଇ ମୋହନ ସରକାର ଆରମ୍ଭ ହୋଇଛି । ମୋହନ ସରକାର ଗଢିବାର ସଂଖ୍ୟା ଖେଳରେ ଯାଜପୁର ଜିଲାରୁ ୩ଜଣ ଦଳୀୟ ବିଧାୟକ ଯୋଡ଼ି ହୋଇଛନ୍ତି । ଏହା ସହ ଧର୍ମଶାଳାର ସ୍ୱାଧୀନ ବିଧାୟକ ମଧ୍ୟ ବିଜେପି ଶିବିିରକୁ ଫେରିଛନ୍ତି । ସରକାର ପରିବର୍ତ୍ତନ ପରେ ନବ ନିର୍ବାଚିତ ବିଜେପି ଏବଂ ସ୍ୱାଧୀନ ବିଧାୟକ ଇତିମଧ୍ୟରେ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଞ୍ଚାୟତ ସମିତିରେ ସମୀକ୍ଷା ବୈଠକ ଶେଷ କରିଛନ୍ତି । ଅଣ ବିଜେଡ଼ି ବିଧାୟକଙ୍କ ସମୀକ୍ଷା ବୈଠକର ସମୀକ୍ଷା ବେଳେ ଗୋଟିଏ କଥା ସ୍ପଷ୍ଟ ହୋଇଛି କି ଧର୍ମଶାଳା ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ କଠୋର ଆଭିମୁଖ୍ୟ ରଖିଥିବା ବେଳେ ବଡ଼ଚଣା ବିଧାୟକ ଅମର ନାୟକ ଏବଂ ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ ସହନଶୀଳ ଆଭିମୁଖ୍ୟ ଗ୍ରହଣ କରି ନିଜର ରାଜନୈତିକ ପରିପକ୍ୱତାର ପରିଚୟ ଦେଇଛନ୍ତି । ବିଜେପିରୁ ଲଢିବାର ସୁଯୋଗ ନପାଇ ସ୍ୱାଧୀନ ଭାବେ ଲଢି ବିଜୟଟିକା ପିନ୍ଧିଥିବା ହିମାଂଶୁ ଧର୍ମଶାଳା ବ୍ଲକରେ ଗଲାମାସ ୨୪ତାରିଖରେ କରିଥିଲେ ସମୀକ୍ଷା ବୈଠକ । ଯେଉଁ ସମୀକ୍ଷା ବୈଠକ ପରେ ଧର୍ମଶାଳାରେ ତୁମ୍ଭିତୋଫାନ ଆରମ୍ଭ ହୋଇଯାଇଛି । ଯଦି ଗୋଟିଏ କଥା ଦେଖିବା ତେବେ ସମୀକ୍ଷା ବୈଠକରେ ବିଧାୟକଙ୍କ ସହ ବିଭିନ୍ନ ପ୍ରଶାସନୀକ ଅଧିକାରୀ, ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଭିତରେ ଜଣାଶୁଣା କେଇଜଣ ବିଜେପି ନେତା ମଞ୍ଚାସୀନ ହୋଇଥିଲେ । ଏହା ସେଭଳି କିଛି ଝଡ଼ ସୃଷ୍ଟି କଲାନି । କିନ୍ତୁ ସମୀକ୍ଷା ବୈଠକରେ ବିଧାୟକ ଉଠାଇଥିବା କିଛି କଥା ଆଜି ହାଟରେ ଗଡ଼ି ଦାଣ୍ଡରେ ଗଡ଼ୁଛି । ଗଡ଼ିବାର ମାଧ୍ୟମଟି ହୋଇଛି ବଲେ ବଲେ ଢାବା । ଧର୍ମଶାଳା ଭବନ କ୍ୟାମ୍ପସରେ ଖୋଲିଥିବା ଢାବା ପାଇଁ ସରକାରୀ ଅର୍ଥ ବିନିଯୋଗ ହୋଇଥିବା ବେଳେ ତାହା କିନ୍ତୁ ବିନା କୈାଣସି ଚୁକ୍ତିନାମାରେ ଜନୈକ ବିଜେଡ଼ି ନେତ୍ରୀଙ୍କ ଦ୍ୱାରା ସଞ୍ଚାଳିତ ହେଉଥିବା କଥା ପଦାକୁ ଆସିଲା । ବିଧାୟକ ସମୀକ୍ଷା ବୈଠକରେ ଦେଉଳି ଭବନ, ଷ୍ଟାଡ଼ିୟମ, ସିଭିକ ସେଣ୍ଟର ସହ ଏକାଧିକ ସରକାରୀ କୋଠା ଆଡ଼କୁ ଅଙ୍ଗୁଳି ଉଠାଇ ବ୍ଲକ ଅଧିକାରୀଙ୍କୁ ଘାଇଲା କରି ଦେଇଥିଲେ । ସମୀକ୍ଷା ପରେ ବି ବିଧାୟକ ଏଯାବଦ କଠୋର ଆଭିମୁଖ୍ୟ ଗ୍ରହଣ କରି ଚାଲିବା ଘଟଣାର ସମୀକ୍ଷା ସାଧାରଣରେ ହେବାରେ ଲାଗିଛି । ସ୍ୱାଧୀନ ବିଧାୟକଙ୍କ କଠୋର ଆଭିମୁଖ୍ୟ ଧର୍ମଶାଳା ରାଜନୀତିକୁ ଉଷ୍ମ କରି ରଖିଛି । କିନ୍ତୁ ତା ପୂର୍ବରୁ ବଡ଼ଚଣା ବ୍ଲକରେ ବିଧାୟକ ଅମର ନାୟକ ସମୀକ୍ଷା ବୈଠକରେ ମାର୍ଜିତ ଆଭିମୁଖ୍ୟ ରଖିଥିଲେ । କହିଥିଲେ ସରକାର ବଦଳିଛି, ମନସିକତା ବଦଳିବା ଦରକାର । ଏହା ଥିଲା ତାଙ୍କର ପ୍ରଶାସନୀକ କଳରେ କାର୍ଯ୍ୟ କରୁଥିବା ଅଧିକାରୀ ଏବଂ କର୍ମଚାରୀଙ୍କ ଉଦ୍ୟେଶ ପ୍ରମୂଖ ବାର୍ତ୍ତା ବିଜେଡ଼ି ଶାସନ ସମୟରେ ବଡ଼ଚଣାରେ ଯାବତୀୟ ଦୁର୍ନୀତି ହୋଇଛି । ଯାହାକୁ ବିରୋଧୀ ଦଳରେ ଥାଇ ଅବଗତ ଥିବା ଅମର ବିଧାୟକ ଭାବେ ନିର୍ବାଚିତ ହେବା ପରେ ଅକ୍ସନମୁଡ଼ ଆଶଙ୍କାରେ ଥିଲେ ପ୍ରଶାସନୀକ ଅଧିକାରୀ । ହେଲେ ଅମର ସେଭଳି କିଛି କଠୋର ନହୋଇ ସରକାରୀ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଁଚାଇବାର ନିଦେ୍ର୍ଦଶ ଦେଇଥିଲେ । ଏଭଳି କରି ଅମର ନିଜର ପରିପକ୍ୱତାର ପରିଚୟ ଦେଇଥିିଲେ । ଯାହା ଆଜିବି ଚର୍ଚ୍ଚାରେ ରହିଛି । ସେହିପରି ସୁକିନ୍ଦା ବିଧାୟକ ପ୍ରଦୀପ ବଳ ସାମନ୍ତ ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକ୍ ସୁକିନ୍ଦା ଓ ଦାନଗଦୀରେ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ମାନଙ୍କୁ ସାମିଲ କରି ବ୍ଲକରେ କାର୍ଯ୍ୟ କିପରି ଢଙ୍ଗରେ ଚାଲିଥିଲା ଅଥବା ଆଗକୁ ଚାଲିବ ତାହା ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ସମୀକ୍ଷା ବୈଠକରେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ନିର୍ବାଚନ ଏକ ହୋଲିର ରଙ୍ଗ ଖେଳ ସମାନ । ଯେମିତି ହୋଲି ଖେଳିବାର ସମୟ ଗଡିଗଲା ପରେ ରଙ୍ଗ ଦେହରୁ ଛଡାନ୍ତି ଠିକ୍ ସେହିପରି ନିର୍ବାଚନ ସରିଯାଇଛି । ବର୍ତମାନ ସମସ୍ତ ଦଳର ଲୋକଙ୍କୁ ନେଇ ଏକ ଗଠନ ମୂଳକ କାର୍ଯ୍ୟ କରିବାକୁ ପଡ଼ିବ । ପୂର୍ବ ସରକାର କଣ କରିଛନ୍ତି ସେ କଥା ଆଲୋଚନା ନକରି ଏବେ କିପରି ସାଧାରଣ ଲୋକଙ୍କୁ ସହଯୋଗ କରାଯାଇପାରିବ ସେଥି ପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନୀକ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଉଭୟ ଅମର ଏବଂ ପ୍ରଦୀପ ପରିପକ୍ୱ ରାଜନେତାର ପରିଚୟ ଦେଇଥିଲେ ଏହାକୁ ଅସ୍ୱିକାର କରାଯାଇନପାରେ । ଧର୍ମଶାଳା ହେଉ କି ବଡ଼ଚଣା ବା ସୁକିନ୍ଦା ବିଧାୟକ ପ୍ରଥମ କରି ନିର୍ବାଚିତ ହୋଇଛନ୍ତି ସତ ହେଲେ ବଡ଼ଚଣା ବିଧାୟକ ଅମର ହୁଅନ୍ତୁ କି ସୁକିନ୍ଦାର ପ୍ରଦୀପ ଦୁଇଥର କରି ପରାଜିତ ପରେ ତୃତୀୟଥରରେ ନିର୍ବାଚିତ ହୋଇଛନ୍ତି । କିନ୍ତୁ ଧର୍ମଶାଳା ବିଧାୟକ ପ୍ରଥମ ଲଢେଇରେ ବିଜୟଲାଭ କରିଛନ୍ତି । ଯିଏ କି କେହି ହୁଅନ୍ତୁ ସାଧାରଣ ଲୋକ ବିଧାୟକ ମାନଙ୍କ କାର୍ଯ୍ୟକୁ ନିରିଖେଇ ଦେଖିଛନ୍ତି ।