ପରିବହନ ବିଭାଗର ଉନ୍ନତିମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ
ପାରାଦୀପ : ଲୋକସଭା ଭବନ କନଭେନସନ ହଲରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଭାସି ଜରିଆରେ ଏକ ବୈଠକ ପାରାଦୀପ ସ୍ଥିତ ଓଡ଼ିଶା ମାରିଟାଇମ୍ ଏକାଡେମୀରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହାର ପ୍ରତିକାର ପାଇଁ ସର୍ବଦା ଗାଡ଼ି ନେଇ ଗଲାବେଳେ ହେଲମେଟ ପିନ୍ଧିବା, ନିଶାସକ୍ତ ହୋଇ ଗାଡ଼ି ନ ଚଳାଇବା, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନ ବ୍ୟବହାର ନ କରିବା, ଚାରି ଚକିଆ ଯାନ ଚଳାଇବା ବେଳେ ସିଟ ବେଲ୍ଟ ବାନ୍ଧିବା ଇତ୍ୟାଦି ଦିଗ ଉପରେ ଆଲୋଚନା କରିଥିଲେ ଏବଂ ଦୁର୍ଘଟଣାକୁ ଶୂନ୍ୟ କରିବା ପାଇଁ ମାସ୍କଟ "ସୁରକ୍ଷା'ର ଲୋକାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜଗତସିଂହପୁର ଜିଲ୍ଲାର ପାରାଦୀପସ୍ଥିତ "ଓଡ଼ିଶା ମାରିଟାଇମ୍ ଏକାଡେମୀ'ରେ ସିମୁଲେଟର ଦ୍ୱାରା ପ୍ରଶିକ୍ଷଣ ବ୍ୟବସ୍ଥା ଏବଂ ପାରାଦ୍ୱୀପ-କଟକ, ପାରାଦ୍ୱୀପ-ଦୈତାରୀ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ, ଜଗତି ଭୂତୁମୁଣ୍ଡାଇଠାରେ ସ୍ୱୟଂକ୍ରିୟ ପରୀକ୍ଷଣ ବ୍ୟବସ୍ଥା, ୪୮୫ କିମି ଦୈର୍ଘ୍ୟର ଦିଶା-୨ ପ୍ରକଳ୍ପ (କଟକ-ପାରାଦୀପ ଏନଏଚ ୫୫ ଥ୮୩ କିମିର ଶୁଭ ଉଦଘାଟନ କରିଥିଲେ । ଏହି ଆଭାସି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଜେ ସୋନାଲ, ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ପାରାଦୀପ ପୌର ପରିଷଦ ବସନ୍ତ ବିଶ୍ୱାଳ, ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି, ବନ୍ଦର ପ୍ରାଧିକରଣ ଅଲେଖ ଚନ୍ଦ୍ର ସାହୁ, ମାରିଟାଇମ ଏକାଡେମୀ ପାରାଦୀପ ମାନସ ରଞ୍ଜନ ବେହେରା, ଲକ୍ଷ୍ମୀକାନ୍ତ ବେହେରା, କାଉନସିଲର (୯ ନଂ) ସୁବ୍ରତ ପ୍ରଧାନ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂହ, ଛାତ୍ର ଛାତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।