ପାନୀୟଜଳ ସଙ୍କଟ, ଲୋକେ ହନ୍ତସନ୍ତ
ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲାର କେନ୍ଦୁଆ ବଜାର ଉପକଣ୍ଠ ଡାକ୍ତରଖାନା ନିକଟରେ ପନ୍ଦର ବର୍ଷ ପୂର୍ବ କେନ୍ଦୁଆ ଓ ବୈଶିଙ୍ଗା ଗ୍ରାମର ଜନସାଧାରଣଙ୍କ ପାନୀୟ ଜଳ ସଙ୍କଟର ସମାଧାନ ନିମନ୍ତେ ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ନିର୍ମିତ ହେବା ସହିତ ପାଇପ୍ ଲାଇନ ମଧ୍ୟ ସଂଯୋଗ ଦିଆଯାଇଛି । ମାତ୍ର ଟାଙ୍କିକୁ ପାଣି ଯାଉ ନାହିଁ, ସିଧାସଳଖ ପାଣି ପମ୍ପରୁ ପାଇପ ଲାଇନ ସହିତ ସଂଯୋଗ କରି ଜଳଯୋଗାଣ ଚାଲିଛି । ପାଣି ଚାଲିଛି ସତ କିନ୍ତୁ କୈାଣସି କାରଣରୁ ବିଦୁ୍ୟତ ବିଭ୍ରାଟ ହେଲେ ଜଳ ଯୋଗାଣ ବନ୍ଦ ରହୁଛି । ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ବଜାର ଅଞ୍ଚଳରେ ପିଇବା ପାଣିର ଆବଶ୍ୟକତା ମଧ୍ୟ ବଢିଯାଇଥାଏ । ତେବେ ବିଜୁଳି ଯୋଗାଣ ବନ୍ଦ ରହିଥିବା ସମୟରେ ଜଳଯୋଗାଣ ବନ୍ଦ ହୋଇଯାଉଥିବା ଯୋଗୁଁ ପାଣି ଟ୍ୟାପ୍ ନିକଟକୁ ପାଣି ବୋତଲ ଧରି ଯାଇଥିବା ଲୋକେ ନିରାଶରେ ଫେରି ଆସୁଥିବା ଲକ୍ଷ କରାଯାଉଛି । ବସଷ୍ଟାଣ୍ଡରେ ଦୀର୍ଘ ସମୟ ଧରି ପିଲାଛୁଆଙ୍କୁ ଧରି ବସ୍ ଅପେକ୍ଷାରେ ଥିବା ଯାତ୍ରୀ ମାନଙ୍କୁ ମଧ୍ୟ ଠିକ୍ ସମୟରେ ପାଣି ଟୋପାଏ ମିଳୁନାହିଁ । ହେଲେ ଅନ୍ୟ ପକ୍ଷରେ କେତେକ ଯାଗାରେ ମୁଖ୍ୟ ପାଇପ୍ ଲାଇନ ଫାଟିଯାଇ ପ୍ରଚୁର ମାତ୍ରାରେ ପିଇବା ପାଣି ଡ୍ରେନରେ ବହି ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି ।
ଏ ବାବଦରେ ବାରମ୍ୱାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସୁଫଳ ମିଳିପାରୁ ନାହିଁ । ଏଭଳି ଜଳସଙ୍କଟ ସ୍ଥିତିରେ ବେତନଟୀ ସ୍ଥିତ ଗ୍ରାମ୍ୟ ପାନୀୟଜଳ ଓ ପରିମଳ ବିଭାଗର ଉପଖଣ୍ଡ ଅଧିକାରୀ ଶୁଭସ୍ମିତା ଖମାରୀଙ୍କୁ ପଚାରିବାରୁ ଏହା ଗ୍ରାମପଞ୍ଚାୟତ ଅଧିନରେ ଆସୁଥିବା ଯୋଗୁଁ କେନ୍ଦୁଆ ସରପଞ୍ଚ ଏଦିଗରେ ପଦକ୍ଷେପ ନେଇପାରିବେ ବୋଲି କହି ନିଜ ଦାୟିତ୍ୱକୁ ଏଡ଼ାଇ ଯାଇଥିଲେ । ଅନ୍ୟ ପକ୍ଷରେ ବେତନଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସୂତାରଙ୍କୁ ପଚାରିବାରୁ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରି ଖୁବ୍ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ ଲୋକଙ୍କ ସମସ୍ୟା ସମାଧାନ ହେବାକୁ କେତେ ସମୟ ଲାଗିବ ତାହା ଦେଖିବାକୁ ବାକି ରହିଲା ।