ପ୍ରତିକୂଳ ପରିସ୍ଥିତିର ମାର୍ଗଦ୍ରଷ୍ଟା

“ପିତା ଧର୍ମ ପିତା, ସ୍ୱର୍ଗ ପିତା ହିଁ ପରମ ତପ
ପିତରି ପ୍ରିତିମା ପର୍ଣ୍ଣେ ପି୍ରୟନ୍ତି ସର୍ବ ଦେବତା” ।
ମା’ ସିନା ସନ୍ତାନକୁ ଦଶମାସ ଦଶଦିନ ଗର୍ଭରେ ଧରି ନିଜର ରକ୍ତ, ମାଂସ, ମଜ୍ଜା ଓ ଅସ୍ଥିକୁ ଭାଙ୍ଗି ସନ୍ତାନକୁ ସୃଷ୍ଟି କରେ ହେଲେ ପିତା ସେହି ସନ୍ତାନକୁ ପ୍ରତିପୋଷଣ କରେ । ନିଜ ସନ୍ତାନକୁ ପ୍ରତିପାଳନ ପାଇଁ ପରିଶ୍ରମ କରି ଝାଳବୁହାଇ ମୁଣ୍ଡଝାଳ ତୁଣ୍ଡେ ମାରି ପିଲାଙ୍କୁ ମଣିଷ କରେ । ମା’ ସ୍ନେହ, ଶ୍ରଦ୍ଧା, ପ୍ରେମ, ନିଷ୍ଠା ଦେଇ ସନ୍ତାନକୁ ଜନ୍ମ ଦିଏ ସିନା ହେଲେ ପିତା ସନ୍ତାନକୁ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ । ସନ୍ତାନର ଜୀବନରେ ପ୍ରତ୍ୟେକ ସ୍ତରରେ ଯେଉଁ ବାଧା, ବିପତ୍ତି, କଷ୍ଟ, ଯନ୍ତ୍ରଣା, ଆସେ ସବୁ ପ୍ରତିକୂଳ ପରିସ୍ଥିତିକୁ ଲଢ଼ିବା ପାଇଁ ବାପା ସାହସ ଦେଇଥାନ୍ତି । ସେ ସନ୍ତାନର ପାଳନକର୍ତ୍ତା । କୌଣସି ବାପା କେବେ ଚାହାଁନ୍ତି ନି ତାଙ୍କ ସନ୍ତାନ କୌଣସି କ୍ଷେତ୍ରରେ ହାରିଯାଉ । ଜୀବନ ଯୁଦ୍ଧରେ ଜିତିବା ପାଇଁ ପିତା ପ୍ରତି କ୍ଷେତ୍ରରେ ସନ୍ତାନର କାନେକାନେ ସାହାସର ମନ୍ତ୍ର ଫୁଙ୍କିଥାନ୍ତି । ତାଙ୍କ ଆଶୀର୍ବାଦରେ ପର୍ବତରେ ମଧ୍ୟ କଇଁ ଫୁଟିପାରେ, ଅସମ୍ଭବ ସବୁ ସମ୍ଭବରେ ପରିଣତ ହୁଏ । ସବୁ ମହାପୁରୁଷଙ୍କ ଆଦର୍ଶର ଦ୍ୱାହି ଦେଇ ବାପା ଜୀବନ ଗଢ଼ନ୍ତି । ବିପଦରେ କିଭଳି ଧୈର୍ଯ୍ୟଧରି ରହି ସଫଳତାକୁ ପ୍ରାପ୍ତ କରାଯାଇପାରିବ, ତାହା ବାପା ହିଁ କୁହନ୍ତି । ଯିଏ ନିଜ ସୁଖକୁ ପ୍ରତିମୁହୂର୍ତ୍ତରେ ବଳିପକାଇ ସନ୍ତାନର ସୁଖ ପାଇଁ ସଦା ଚେଷ୍ଟିତ ହୁଏ ସେ ହେଉଛି ବାପା । ବାପା ଗୋଟିଏ ଘରର ଛାତ । ମା’ ଯଦି ଧରିତ୍ରୀ, ମା’ ମାଟି ହୁଏ, ବସୁନ୍ଧରା ହୁଏ ତେବେ ପିତା ସ୍ୱର୍ଗ, ଆକାଶଠାରୁ ଆହୁରି ବିଶାଳ । ସବୁ ଦୁଃଖ ଯାତନା ଭୁଲିଯିବା ପାଇଁ ପିତା ସନ୍ତାନକୁ ପଡ଼ୁ ପଡ଼ୁ ଭୂମିରୁ ଉଠାଇ ଦେଇ ମନରେ ସାହସ ବାନ୍ଧି ଦିଅନ୍ତି । ବାପ ଥିବା ପୁଅ ସଭାରେ ହାରେନା । ଏହା ନିଶ୍ଚିତ ସତ । କୌଣସି ବାପା କେବେ ଚାହାଁନ୍ତିନି ତାଙ୍କ ପୁଅ ହାରିଯାଉ । ସେ ସବୁବେଳେ ଚାହାଁନ୍ତି ତାଙ୍କ ସନ୍ତାନ ଉନ୍ନତିର ଶିଢ଼ି ଚଢ଼ି ଚଢ଼ି ଯାଉ । ଜୀବନରେ କେବେ ହାରିନଯାଉ । ପିତାର ଛତ୍ରଛାୟା ତଳେ ସନ୍ତାନ ସନ୍ତୋଷ ଲାଭ କରି ନିର୍ବିଘ୍ନରେ ଆଶ୍ରୟ ନେଇ ଶାନ୍ତିଲାଭ କରେ । ସୁରକ୍ଷାର କବଚ ପିତା । ନିଜେ ଦୁଃଖ କଷ୍ଟକୁ ସାଉଁଟି ଦେଇ ସନ୍ତାନ ମୁଖରେ ହସ ଫୁଟାନ୍ତି ବାପା । ଏ ପୃଥିବୀରେ ବାପା ଏକୁଟିଆ ଲୋକ ଯିଏକି ସନ୍ତାନର ଉନ୍ନତିର ପ୍ରଗତିରେ ଈର୍ଷାନ୍ୱିତ ନହୋଇ ଖୁସିରେ ଗଦ୍ଗଦ୍ ହୋଇ ଆତ୍ମହରା ହୋଇଯାଆନ୍ତି । ସନ୍ତାନ ମନରେ ସବୁବେଳେ ଉଚ୍ଚ ଆଶାଆକାଂକ୍ଷାର ବୀଜରୋପଣ କରି ଅପାର ଆନନ୍ଦ ଲାଭକରନ୍ତି ବାପା । ସେ କୌଣସି ବ୍ୟକ୍ତି କୈନ୍ଦ୍ରିକ ନୁହେଁ, ସେ ବିଶାଳ ବିରାଟମୟ ବ୍ୟକ୍ତିତ୍ୱ । ବାପାଙ୍କ ହୃଦୟର ବିଶାଳତା ଓ ମନର ଗଭୀରତା ହିମାଳୟଠାରୁ ଆହୁରି ସ୍ନିଗ୍ଧ, ଶାନ୍ତ ଭାବଗର୍ଭକ । ତାଙ୍କ ବ୍ୟକ୍ତିତ୍ୱକୁ ସାଧାରଣ ତରାଜୁରେ ମାପିବା ଏତେ ସହଜ ନୁହେଁ ।
ଯଦି ଆମେ ବୈଦିକ ଯୁଗର ସାମାଜିକ ଜୀବନକୁ ଦେଖିବା ଏବଂ ପିତାର ସ୍ଥାନକୁ ନିରୂପଣ କରିବା ତେବେ ଦେଖାଯାଇଛି ଆର୍ଯ୍ୟମାନଙ୍କର ପରିବାର ଥିଲା ପିତା କୈନ୍ଦ୍ରିକ । ପିତା ଥିଲେ ପରିବାରର ମୁଖ୍ୟ । ତାଙ୍କୁ କୁଳତା, କୁଳପତି ଅଥବା ଗୃହପତି ଅଭିହିତ କରାଯାଉଥିଲା । ପରିବାରର ପ୍ରତିପୋଷଣ, ପିଲାମାନଙ୍କୁ ଶିକ୍ଷା ପ୍ରଦାନ, ଶାନ୍ତି, ଶୃଙ୍ଖଳା, ରକ୍ଷା, କନ୍ୟାଦାନ, ସମ୍ପତ୍ତିକ୍ରୟ ଏବଂ ବିକ୍ରୟ ତଥା ବିଭିନ୍ନ ସମସ୍ୟାର ସମାଧାନ ଆଦି କର୍ତ୍ତବ୍ୟମାନ ପିତା ହିଁ ସମ୍ପାଦନ କରୁଥିଲେ । ଉଦାରତା, ଦୟା, କ୍ଷମା, ଆଦି ଗୁଣରେ ପିତା ଥିଲେ ବିଭୂଷିତ । ମାତ୍ର ବେଳେବେଳେ ସନ୍ତାନକୁ ଆକଟ କରିବାକୁ ଯାଇ ସେ ନିଷ୍ଠୁରତା ମଧ୍ୟ ଆଚରଣ କରୁଥିଲେ । ପୁତ୍ର ଯଦି ଭୁଲ କାର୍ଯ୍ୟ କରୁଥିଲା ତେବେ ତାକୁ ଦଣ୍ଡ ମଧ୍ୟ ପିତା ଦେଉଥିଲେ । ଶାସ୍ତ୍ରରେ ଅଛି ଏକଶତ ବାପାଠାରୁ ଗୋଟିଏ ଭଲ ମା’ର ଯେତିକି ଆବଶ୍ୟକତା ଅଛି, ଏକଶତ ଗୁରୁଠାରୁ ଗୋଟିଏ ଭଲ ପିତାର ମଧ୍ୟ ସେତିକି ପରିମାଣରେ ଆବଶ୍ୟକତା ଅଛି । ପିତା ପୁତ୍ରର ସମ୍ପର୍କ ଅତି ମଧୁର । ପୁରାଣରେ ଅଛି ପିତୃ ମଧ୍ୟ ପାଳନ କରି ପ୍ରଭୁ ରାମଚନ୍ଦ୍ର ଚଉଦବର୍ଷ ବନ ଗମନ କରିଥିଲେ । ଆମ ଶାସ୍ତ୍ରପୁରାଣଠାରୁ ଆରମ୍ଭ କରି ଆଧୁନିକ ସମାଜ ପର୍ଯ୍ୟନ୍ତ ପିତାଙ୍କ ପ୍ରେରଣାରେ ମୂର୍ଖ ସନ୍ତାନଟିଏ ମଧ୍ୟ ଉତ୍ତମ ମଣିଷରେ ପରିଣତ ହୁଏ । ଉପରେ ଆକଟ କରି ଭିତରେ ସ୍ନେହ ଶ୍ରଦ୍ଧାକୁ ଆଦରକୁ ରଖି ଯିଏ ସନ୍ତାନର ବିକାଶ ପାଇଁ ସଦା ଚେଷ୍ଟିତ ଥଶଏ ସେ ଆଉ କେହି ନୁହେଁ, ସେ ହେଉଛି ପିତା । ନିଜେ ଚିରା ଫଟା, ଭଙ୍ଗା ସାଇକେଲ ଧରି ସନ୍ତାନମାନଙ୍କୁ ଗାଡ଼ି ଦିଅନ୍ତି ଚଢ଼ିବାକୁ ଖାଲି ସେତିକି ନୁହେଁ ବେଳେବେଳେ ପାଖରେ ପଇସା ନ ଥିଲେ ନିଜେ ଅସୁବିଧାରେ ରହି ବିଦେଶରେ ପାଠପଢୁଥିବା ପୁଅପାଖକୁ ଟଙ୍କା ପଠାନ୍ତି, ବାପା । କିନ୍ତୁ ବଡ଼ ଦୁଃଖର କଥା ସେହି ପୁଅ ଯେତେବେଳେ ପାଠପଢ଼ି ବଡ଼ ମଣିଷ ହୋଇଯାଏ ବାପାର ତ୍ୟାଗ, ତିତିକ୍ଷା, ଭଲପାଇବା, ସ୍ନେହ ତା’ ପାଇଁ ତୁଚ୍ଛ ହୋଇଯାଏ । ତା’ର ମୁଣ୍ଡକୁ ହାତ ପାଇଯାଏ । ସେ ଭୁଲିଯାଏ ପିତାର ତ୍ୟାଗ । ଆଧୁନିକତା ଆଉ ପାଶ୍ଚାତ୍ୟକରଣର ଦ୍ୱାହି ଦେଇ ପୁଅକୁ ବାପାଙ୍କର ସବୁକଥା ଅଡୁଆ ଅଡୁଆ ଲାଗେ । ପୁଅ ଆଉ ବାପାଙ୍କୁ ଲୋଡ଼େନି । ପୁଅର ସମ୍ମାନରେ ଆଞ୍ଚ ଆସେ । ଯେଉଁ ବାପାର ପରିଚୟରେ ଦିନେ ପୁଅ ସମାଜରେ ଚିହ୍ନିତ ହେଉଥିଲା ସେହି ପୁଅ ପାଇଁ ବାପାର ପରିଚୟ ଅଲୋଡ଼ା ହୋଇଯାଏ । ଗାଉଁଲି ବାପା, ଆଣ୍ଠୁ ଲୁଚୁନଥିବା ଲୁଗା ପିନ୍ଧୁଥିବା ବାପା, ମଳି ମୁଣ୍ଡିଆ ବାପାଙ୍କୁ କୋଟ୍ ସୁଟ୍ ପିନ୍ଧୁଥିବା ପୁଅ ବେଳେବେଳେ ସମ୍ମାନ ଦେବାକୁ ମଧ୍ୟ କୁଣ୍ଠାବୋଧ କରେ । ଆଜିର ଯୌଥ ପରିବାର ବଦଳିଯାଇଛି । ଛୋଟ କ୍ଷୁଦ୍ର ପରିବାରରେ । ଆଜି ପିତା ଗାଁ ପିଣ୍ଡାରେ ଅଲୋଡ଼ା ହୋଇ ଗାଁ ଦାଣ୍ଡରେ ପଡ଼ିଥିବା ଆରାମ ଚୌକିରେ ବସି ପୁଅର ପୁରୁଣା ସ୍ମୃତିକୁ ମନେପକାଇ ପୁଅକୁ ଦେଖିବା ପାଇଁ ବାରମ୍ବାର ଫୋନ୍ କରୁଛି ମେସେଜ ଦଉଛି,ଅଥଚ ବିଦେଶରେ ରହୁଥିବା ପୁଅ ପାଖରେ ବାପା ପାଇଁ ସମୟ ନାହିଁ । ଅନେକ ପ୍ରକାର ଆଳ ଦେଖାଇ ପୁଅ ଆଉ ବାପା ଭିତରେ ଦୂରତା ବଢ଼ିଯାଇଛି । କର୍ତ୍ତବ୍ୟ ପିତା ପୁତ୍ର ଭିତରେ ବାଡ଼ ସାଜିଛି । ଯେଉଁ ପିତାର ସ୍ନେହ, ଶ୍ରଦ୍ଧା ପାଇ ଯାହାର ଅବଦାନରେ ସମାଜରେ ସନ୍ତାନମାନେ ଆଜି ପ୍ରତିଷ୍ଠିତ ବଡ଼ ଦୁଃଖ ଏବଂ କ୍ଷୋଭର କଥା ସେହି ବାପା ପାଇଁ ଆଜି ସନ୍ତାନମାନଙ୍କ ପାଖରେ ସମୟ ନାହିଁ । ଯଦି ଆମେ ପ୍ରତ୍ୟେକ ସନ୍ତାନ ପିତାଙ୍କ ଆବଶ୍ୟକତାକୁ ବୁଝି ତାଙ୍କ ମାନସିକତାକୁ ପଢ଼ି ତାଙ୍କୁ ଆମ ସମୟରୁ କିଛି ବାହାର କରି ତାଙ୍କ ସହ ସୁଖଦୁଃଖ ବାଣ୍ଟି ତାଙ୍କ ମନକୁ ହାଲୁକା କରି ତାଙ୍କ ମୁହଁରେ ହସ ଫୁଟାଇପାରିବା ତେବେ ତାହା ହିଁ ହେବ ଏକ ସନ୍ତାନର ସାର୍ଥକତା ।
ମୋ: ୯୮୫୩୩୫୦୩୮୪