ପ୍ରହସନ ପାଲଟିଛି ଜବରଦଖଲ ଉଚ୍ଛେଦ 

କାଳିଆପାଣି:  ଚିହ୍ନଟ କଲେ, ଆଉ ପରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ କଲେ, ହେଲେ ମାସ ପରେ ମାସ ଚାଲିଗଲା ସିନା ସରକାରୀ ଜମିରୁ ଜବର ଦଖଲ ହଟିଲାନି । ଓଲଟି ଦିନକୁ ଦିନ ସରକାରୀ ଜମି ଦଖଲ ବଢିବାରେ ଲାଗିଛି । ଯଦି ସରକାରୀ ଜମି ଦଖଲମୁକ୍ତ କରିବାର ନଥିଲା ତେବେ ରାଜସ୍ୱ, ଖଣି ନିଗମ ପକ୍ଷରୁ ଏକ ଯୁଗ୍ମ ସର୍ଭେ କରାଯାଇ ସରକାରୀ ଏବଂ ଖଣି ନିଗମ ଅଧିନ ଜମିକୁ ଚିÿହ୍ନଟ କରାଯାଇ ଦଖଲକାରୀଙ୍କୁ ନୋଟିସ ‘କ’, ଏବଂ ନୋଟିସ ‘ଖ’ ଜାରିକରି ଘର ଖାଲି କରିବାକୁ ପ୍ରଥମେ୧୫ ଦିନ ଏବଂ ପରେ ୭ ଦିନର ସମୟ ଦିଆଯାଇଥିଲା କାହିଁକି? ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ ପ୍ରହସନ ସହ ଉଚ୍ଛେଦ ନିମନ୍ତେ ଖ ନୋଟିସ ଖାଲି ଲୋକ ଦେଖାଣିଆ ନଥିଲା କି? ଖବର ଥାଉକି ୨୦୨୪ ମସିହା ଶେଷ ଆଡକୁ ଖଣି ଅଞ୍ଚଳରେ ଏକ ସରକାରୀ ଖେଳ ଦେଖିବାକୁ ମିଳିଥିଲା । ପ୍ରସଙ୍ଗଟି ଥିଲା ଖଣି ଅଞ୍ଚଳରୁ ସରକାରୀ ଜମିରୁ ଜବର ଦଖଲ ଉଛେଦ । କାଳିଆପାଣି ଖଣି ଅଞ୍ଚଳରେ ଯେତେ ଗୁଡିଏ କମ୍ପାନୀ ରହିଛି ସେହି କମ୍ପାନୀର ନିକଟବର୍ତୀ ସ୍ଥାନ ଗୁଡିକରେ ଅବୈଧ ରୂପେ ଅନେକ ଜନବସତି ଗଢି ଉଠିଛି । ଆଉ ସେଇସବୁ ଜାଗା ଗୁଡିକ କିଛି ସରକାରୀ ଏବଂ ଆଉ କିଛି କମ୍ପାନୀ ଅଧିକୃତ ଲିଜ ଅଞ୍ଚଳ । କାଳକ୍ରମେ ଗଢିଉଠୁଥିବା ବସ୍ତିରେ ରହୁଥିବା ପରିବାର ସରକାରୀ ସୁବିଧା ସୁଯୋଗ ଗୁଡିକୁ ମଧ୍ୟ ହାସଲ କରିବାରେ ସଫଳ ହୋଇଯାଇଥିଲେ । 
ଗତବର୍ଷ ସୁକିନ୍ଦା ତହସିଲ ଏବଂ ଓଡିଶା ଖଣି ନିଗମ ପକ୍ଷରୁ ଏକ ଯୁଗ୍ମ ସର୍ଭେ କରାଯାଇ ସରକାରୀ ଏବଂ ଖଣି ନିଗମ ଅଧିନରେ ଥିବା ଜମିକୁ ଚିÿହ୍ନଟ କରାଯାଇଥିଲା । ସେ ସମୟର ସୁକିନ୍ଦା ତହସିଲଦାର ଦମୟନ୍ତୀ ବେହେରା ସରକାରୀ ଜମି ଉପରେ ଜବର ଦଖଲ କରି ଘର କରି ରହି ଆସୁଥିବା ଲୋକଙ୍କ ବିରୁଦ୍ଧରେ ନିୟମ ଅନୁଯାଇ ପ୍ରଥମେ ଜମି ଦଖଲକାରୀଙ୍କୁ ନୋଟିସ ‘କ’, ଏବଂ ନୋଟିସ ‘ଖ’ ଜାରିକରି ଘର ଖାଲି କରିବାକୁ ପ୍ରଥମେ୧୫ ଦିନ ଏବଂ ପରେ ସାତ ଦିନର ସମୟ ସୀମା ଧାର୍ଯ୍ୟ କରିଥିଲେ । ଯାହା ସେସମୟରେ ସାଧାରଣ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଦୀର୍ଘ ବର୍ଷଧରି ବାସସ୍ଥାନ କରି ରହିଥିବା ଘରକୁ ଛାଡିବାର ଭୟ ବା ଆଶଙ୍କା ଦେଖା ଦେଇଥିଲା । ନିଜ ଭିଟାମାଟିକୁ ସୁରକ୍ଷିତ ରଖିବାକୁ କାଳିଆପାଣି ଖଣି ଅଞ୍ଚଳର ସବୁ ପଞ୍ଚାୟତ କାର୍ଯ୍ୟାଳୟରେ ସେତେ ବେଳେ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ସରକାରୀ ନୋଟିସ ପାଇ କିଛି ପରିବାର ଘରବାରି ଚାଲିଯିବା ଭୟରେ ସୁକିନ୍ଦା ତହସିଲ ଠାରୁ ଆରମ୍ଭ କରି ନେତା-ମନ୍ତ୍ରୀଙ୍କ ଦ୍ୱାରସ୍ତ  ହୋଇଥିଲେ । ତେବେ ଏହାର କଛିମାସ ଗଲାପରେ ବର୍ତମାନ ତାହା ଆଉ ଶୁଣିବାକୁ ମିଳୁନାହିଁ । ନା ସରକାରୀ ଜମିରୁ ଜବର ଦେଖଲକାରୀଙ୍କୁ ହଟା ଗଲା ନା ଓଡିଶା ଖଣି ନିଗମ ଲିଜ ଉପରୁ ଲୋକଙ୍କୁ ଜାଗା ଛାଡିବାକୁ ପଡିଲା । ଓଲଟା ସେହି ସ୍ଥାନ ଗୁଡିକରେ ପୁନର୍ବାର ବଡବଡ ମହଲା ଗଢିଉଠିବାରେ ଲାଗିଛି । ଏଣୁ ଚର୍ଚ୍ଚା ଚାଲିଛି ଉଚ୍ଛେଦ ବାହାନାରେ ଖଣି ଅଞ୍ଚଳରେ ଲୋକଙ୍କୁ ସେତେ ବେଳେ କେବଳ ଭୟଭୀତ କରିବାକୁ ମାପଚୁପ ଏବଂ ନୋଟିସ ହିଁ କରାଯାଇଥିଲା । ଏଭଳି ଚକ୍ରାନ୍ତ ପଛରେ ସରକାରୀ ବାବୁ ଓ ଓଡିଶା ଖଣି ନିଗମର ଅଧିକାରୀଙ୍କ ସଂପୃକ୍ତି ଥିଲା ।