ଫେରିଯିବକି ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ?

 ଆସିକା : ଆସିକା ସହରର ଜନ ସଂଖ୍ୟା ବୃଦ୍ଧି ହେତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅମୃତ ଯୋଜନାରେ ଦୁଇଟି ଓଭର ହେଡ଼ ପାଣି ଟାଙ୍କି ଏବଂ ଗୋଟିଏ ଜଳ ବିଶୋଧନ ଟ୍ୟାଙ୍କ ନିର୍ମାଣ ପାଇଁ ପ୍ରସ୍ତାବ ଆସିଛି । ଆଗାମୀ ୨୦୫୫ ମସିହା ଜନଗଣନାର ଜନସଂଖ୍ୟାକୁ ଆଖି ଆଗରେ ରଖି ଆସିକା ସହରର ପ୍ରତ୍ୟେକ ଘରେ ୨୪ ଘଣ୍ଟିଆ ପାନୀୟ ଜଳ ପହଞ୍ଚôବ ସେଥି ପାଇଁ ଏଭଳି ପ୍ରକଳ୍ପ ଅଟକଳ ହୋଇଛି । 
ଆସିକା ଏନ ଏ ସି ଆଉ ଅଳ୍ପ ଦିନ ମଧ୍ୟରେ ପୌର ପରିଷଦ ହେବାକୁ ଯାଉଛି । ଆଗାମୀ ଦିନରେ ଜନସଂଖ୍ୟା ବୃଦ୍ଧି ହେଲେ ନିଶ୍ଚିତ ଭାବେ ଘର ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ସଙ୍କଟ ଦେଖା ଦେବ । ବର୍ତ୍ତମାନ ଆସିକା ସହର ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୦୨ ଗୋଟି ୦୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଠ ଓଭର ହେଡ଼ ପାଣି ଟାଙ୍କି ନିର୍ମାଣ ସହ ୪୦ ଲକ୍ଷ ଲିଟର କ୍ଷମତାସମ୍ପର୍ଣ୍ଣ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ସକାଶେ ଏକ ପ୍ରସ୍ତାବିତ ଜାଗା ଚିହ୍ନଟ ହେଲେ କାର୍ଯ୍ୟାଦେଶ ଆସିବ । କିନ୍ତୁ ଆସିକା ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର, ଜନ ସ୍ୱାସ୍ଥ୍ୟ ବିଭାଗର ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ହିମାଂଶୁ ପାତ୍ର, କନିଷ୍ଠ ଯନ୍ତ୍ରୀ ଶିବ ପ୍ରସାଦ ଦୋରା ପ୍ରମୁଖ ସ୍ଥାନ ନିରୂପଣ ପାଇଁ ସହର ସାରା ଭ୍ରମଣ କରିଥିଲେ । କିନ୍ତୁ ଉପଯୁକ୍ତ ସରକାରୀ ଜାଗା ଅଦ୍ୟାବଧି ଚିହ୍ନଟ ହୋଇ ପାରିନଥିବା ଶୁଣିବାକୁ ମିଳୁଛି । ଏହା ଉପରେ ଜନ ସ୍ୱାସ୍ଥ୍ୟ ବିଭାଗର ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମସ୍ତେ ମିଶି ସ୍ଥାନୀୟ ବିଧାୟକ ଏବଂ ତହସିଲଦାରଙ୍କ ସହ ଆଲୋଚନା କରିବା ସ୍ଥିର ହୋଇଛି । ଆସିକା ସହରର ଇନ୍ଦିରା ପାର୍କ, ଟାଉନ ହଲ, ରାଜସ୍ୱ ଡାକ ବଙ୍ଗଳା ନିକଟ, ଗାନ୍ଧିନଗର ଶେଷରେ ଥିବା ଧାନ କିସମ ସ୍ଥାନରେ,ଏନ ଏ ସି କୋଲାନି ପଛରେ ଥିବା ଅଦରକାରୀ ମିନି ପାର୍କର ସ୍ଥାନକୁ ପୁଣି ଥରେ ବୁଲି ସ୍ଥାନ ନିରୂପଣ କରିବା ପାଇଁ ପ୍ରୟାସ କରିବେ । ଯଦି ଆବଶ୍ୟକୀୟ ଜାଗା ନମିଳେ ତା ହେଲେ କଣ ସତରେ ଏହି ଅମୃତ ଯୋଜନାରେ ଆସିଥିବା ପାଣିଟାଙ୍କି ଫେରି ଚାଲିଯିବ ବୋଲି ସାଧାରଣରେ ଆଲୋଚନା ହେଉଛି । ବିଧାୟକ ସରୋଜ କୁମାର ପାଢ଼ୀ ପ୍ରଥମ ଥର ବିଧାୟକ ସମୟରେ ଆସିକାରେ ଏକ ଓଭର ଟ୍ୟାଙ୍କ ନିର୍ମାଣ ହୋଇଥିଲା । ଯାହା ଆଜି ସହର ବାସି ଉପକୃତ ହେଉଛନ୍ତି । ବର୍ତ୍ତମାନ ମଧ୍ୟ ଏହି ବିଧାୟକ ସମୟରେ ଆସିଥିବା ଏହି ପ୍ରକଳ୍ପ ପ୍ରତି ଧ୍ୟାନ ଦେବାକୁ ସହର ବାସି ଅନୁରୋଧ କରୁଛନ୍ତି ।