ବଜେଟ୍ ପୋଡିଲେ ଶ୍ରମିକ ଓ କୃଷକ ସଂଗଠନ
ଢେଙ୍କନାଳ: ବିଜେପି ନେତୃତ୍ୱରେ ପରିଚାଳିତ କେନ୍ଦ୍ରର ଏନ୍ଡିଏ ସରକାରର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ୨ ତାରିଖରେ ପାର୍ଲାମେଣ୍ଟରେ ଉପସ୍ଥାପନ କରିଥିବା କେନ୍ଦ୍ର ବଜେଟ୍ ଏକ ସଂକୁଚିତ ଏବଂ ଜନ ବିରୋଧି ବଜେଟ୍ ବୋଲି ଅଭିଯୋଗ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ମିଳିତ ଡାକରାରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଓ ବଜେଟ୍ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନିୟନ୍ତ୍ରିତ ଦରବୃଦ୍ଧି, ବ୍ୟାପକ ବେକାରି, ଛଟେଇ ଓ ମଜୁରୀ ହ୍ରାସ ଯୋଗୁଁ ଜନସଂଖ୍ୟାର ଏକ ବୃହତ ଅଂଶ ଦୁର୍ବସହ ଅବସ୍ଥା ଭିତରେ ଗତି କରୁଥିବା ବେଳେ ସେମାନଙ୍କୁ ସାହାଯ୍ୟ କଲାଭଳି ବଜେଟ୍ରେ କୌଣସି ବ୍ୟବସ୍ଥା କରାଯାଇନାହିଁ । ଅନ୍ୟପକ୍ଷରେ ମଧ୍ୟବିତମାନଙ୍କ ନାମରେ ଜନସଂଖ୍ୟାର କ୍ଷୁଦ୍ର ଅଂଶର ଲୋକଙ୍କ ପାଇଁ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ୍ ଛାଡ ଘୋଷଣା କରିବା ବାସ୍ତବ ସ୍ଥିତିକୁ ପଦବିଳିତ କରୁଛନ୍ତି ବୋଲି ଆନେ୍ଦାଳନକାରୀମାନଙ୍କ ତରଫରୁ କୁହାଯାଇଛି । କୃଷକମାନଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ, ମଧ୍ୟମ, କ୍ଷୁଦ୍ର ଏବଂ ଅଣୁ ଶିଳ୍ପର ବିକାଶ ଏବଂ ସର୍ବୋପରି ଦେଶର ଉତ୍ପାଦନ ବୃଦ୍ଧି କରି ଜି.ଡି.ପି. ବୃଦ୍ଧି କରିବା ପାଇଁ କୌଣସି ଯୋଜନା କରିନାହାଁନ୍ତି । ଦଳିତ ଏବଂ ଆଦିମ ଜନଜାତି ପାଇଁ ପୂର୍ବବର୍ଷ ତୁଳନାରେ ଟଙ୍କା କାଟି ଦିଆଯାଉଛି । ମୁଦ୍ରାସ୍ଫିତି ଜନିତ ଦରବୃଦ୍ଧି ରୋକିବା ପାଇଁ ସରକାର ବଜେଟ୍ରେ ଚିନ୍ତା ମଧ୍ୟ ପ୍ରକଟ କରିନାହାନ୍ତି । ବୀମା ପ୍ରିମୟମ୍ ମାନଙ୍କରେ ୧୮% ଜିଏସ୍ଟି ଏହି ଶିଳ୍ପ ବୀମା ଶିଳ୍ପଗୁଡିକୁ ଧ୍ୱଂସ କରିବ । ଆଜିର କାର୍ଯ୍ୟକ୍ରମରେ ସଭାପତିମଣ୍ଡଳୀରେ ସିଆଇଟିୟୁ ଜିଲ୍ଲା ସଭାପତି ସର୍ବଜ୍ଞ ସାହୁ, ଓଡିଶା କିଷାନ ସଭା ଜିଲ୍ଲା ଆବାହକ ସରୋଜ ଶତପଥୀ, ଏଆଇସିସିଟିୟୁ ଜିଲ୍ଲା ସଭାପତି ଶ୍ରୀନିବାସ ସାହୁ, ବିକେଏମ୍ୟୁର ରଜ୍ୟ ସଭ୍ୟ ପ୍ରଫୁଲ୍ଲ କୁମାର ନାୟକ, ଏଆଇଟିୟୁସିର ଜିଲ୍ଲା ସଭାପତି ରବି ରଥ, କଂଗ୍ରେସ୍ ଜିଲ୍ଲା ସଭାପତି ସୁନିଲ୍ ଦାସ, ରବି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।