ବାତ୍ୟା ଆଳରେ କାଠ ମାଫିଆ ସକ୍ରିୟ : ବନ ବିଭାଗ ଦୃଷ୍ଟି ଦେବାକୁ ଦାବି

ଧର୍ମଶାଳା– ସାମ୍ଭବ୍ୟ ବାତ୍ୟା ଦାନା ଆସିବା ପୂର୍ବରୁ ପାଣିପାଗ ବିଭାଗ ଆଗୁଆ ସୂଚନା ଦେଇଥିଲା । ଏନେଇ ଜନସାଧାରଣଙ୍କୁ ଭୟଭିତ ନ ହୋଇ ସତର୍କତା ପନ୍ଥା ଅବଲମ୍ବନ କରିବାକୁ ଘନ ଘନ ପରାମର୍ଶ ଦିଆଯାଇଥିଲା । ଆଗକୁ ବାତ୍ୟାର ପ୍ରକୋପ ବଢିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଣମାଧ୍ୟମରେ ଆଗୁଆ ସୂଚନା ଦିଆଯାଇଥିବା ବେଳେ ପରେ ବାତ୍ୟା ଦୁର୍ବଳ ହୋଇଯିବା ସହିତ ଲଗାଣ ବର୍ଷା ଲାଗି ରହିଥିଲା । ବିଶେଷ କରି ଯାଜପୁର ଜିଲାରେ ସେତେଟା ପ୍ରଭାବ ପଡି ନ ଥିବା ବେଳେ କେବଳ ଲଗାଣ ବର୍ଷା ଜାରି ରହିଥିଲା । ଏହାର ସୁଯୋଗ ନେଇଥିଲେ କାଠ ମାଫିଆ । ବାତ୍ୟାରେ ଗଛ ଭାଙ୍ଗି ପଡିଥିବା ଆଳରେ ବିିଭିନସରକାରୀ ଓ ବ୍ୟକ୍ତିଗତ ଜମିରୁ ବଡବଡ ଗଛ କାଟି ନିଆଯାଉଥିବା ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର ବ୍ଲକ ଅଂଚଳରେ । ବ୍ରହ୍ମବରଦା ଓ ବନ୍ଧଡିହ ପଂଚାୟତ ସମେତ ଏହାର ଆଖପାଖ ଅଂଚଳରୁ କାଠ ମାଫିଆମାନେ ସକ୍ରୀୟ ହୋଇ ସରକାରୀ ଜମିରୁ ଗଛ କାଟି ନେବା ସହ ଏହି ଅଂଚଳର ଲୋକମାନେ ନିଜ ନିଜ ଜମିରୁ ଗଛ କାଟି ମାଫିଆମାନଙ୍କୁ ବିକ୍ରୀ କରୁଥିବା ଜଣାଯାଇଛି । ମାଫିଆମାନେ ଦିନ ରାତି ଏକ କରି ଭୋର ସମୟରେ ଟ୍ରାକ୍ଟର ଦ୍ୱାରା ଅଂଚଳର ବିଭିନ୍ନ କରତକଳକୁ କାଠ ନିଆଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ବ୍ୟକ୍ତିଗତ ଜମିରୁ ଗଛ କାଟିବା ପାଇଁ ସରକାରୀ ନିୟମ ରହିଥିବା ବେଳେ ଏହି ବାତ୍ୟା ଆଳରେ ମାଫିଆଙ୍କୁ ଲଗାଇ ବଡବଡ ଗଛ କଟା ଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ମାଫିଆମାନେ ନମ୍ବର ବିହୀନ ଟ୍ରାକ୍ଟରରେ କଟା ଗଛ ପରିବହନ କରୁଥିବା ଦେଖିବାକୁ ମିଳିଛି । ଟ୍ରାକ୍ଟରରେ କାଠ ପରିବହନ ନେଇ କୌଣସି ସରକାରୀ ନିୟମ ନ ଥିବା ବେଳେ ବ୍ରହ୍ମବରଦା ଅଂଚଳରୁ କିପରି ଟ୍ରାକ୍ଟରରେ ଦୈନଦିନ ୫ଟ୍ରିପ୍ କାଠ ବିଭିନ୍ନ କରତକଳକୁ ଚାଲାଣ କରାଯାଉଛି । ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଓ ପରିବେଶବିତ୍ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ବନ ବିଭାଗ ଭୋର ସମୟରେ ଏହି ଅଂଚଳରେ ଚଢଉ କଲେ କାଠମାଫିଆ ଧରାପଡିବେ ବୋଲି ଅଂଚଳବାସୀ ଦାବି କରିଛନ୍ତି ।