ବାମନ ଅବକାଶ ବିଦ୍ୟାଳୟର ବାର୍ଷିକୋତ୍ସବ

ନୟାଗଡ଼: ନୟାଗଡ ଜିଲ୍ଲା ବାମନ ଅବକାଶ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ‘ଆମ ସଂସ୍କୃତି ଆମ ଖେଳନା’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ମୃତୁ୍ୟଞ୍ଜୟ ଷଡ଼ଙ୍ଗୀ ଓ ସରୋଜ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଣ୍ଢେଇ କାରିଗର ବାସନ୍ତୀ ଦେଇ ତଥା ସରୋଜିନୀ ପଲେଇ କଣ୍ଢେଇ ପ୍ରସ୍ତୁତିଶୈଳୀ ଏବଂ ଚିତ୍ରଶିଳ୍ପୀ ହରିବନ୍ଧୁ ଦାସ ମାଟି ଖେଳନା ପ୍ରସ୍ତୁତିଶୈଳୀ ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷିତ କରାଇଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ପ୍ରଧାନ ଶିକ୍ଷକ ପ୍ରସନ୍ନ ମହାପାତ୍ରଙ୍କ ସଭାପତିତ୍ୱରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଇଟାମାଟିର ସରପଞ୍ଚ ସ୍ୱପ୍ନେଶ୍ୱରୀ ସେଠୀ ଏବଂ ସମ୍ମାନିତ ଅତିଥି ରୂପେ ପୁରାତନ ଛାତ୍ର ସଂଗଠନ ସଭାପତି ଶରତ ସାହୁ, ଏସ୍ଏମ୍ସି ଚେୟାରମ୍ୟାନ ଚନ୍ଦ୍ରମଣି ପ୍ରଧାନ, ସିଆର୍ସିସି ସନ୍ତୋଷ ସାହୁ, ପୁରାତନ ଛାତ୍ର ସଂଗଠନ ସଂପାଦକ ଜଗନ୍ନାଥ ଦାସ, ପ୍ରାଧ୍ୟାପକ ରଙ୍ଗନାଥ ବେହେରା, ସମାଜସେବୀ ଉମେଶ ପଟ୍ଟନାୟକ, ଶିକ୍ଷାବିତ୍ କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶରେ ବିଦ୍ୟାଳୟ, ଶିକ୍ଷକ ଓ ଅଭିଭାବକଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମର ଶିକ୍ଷୟିତ୍ରୀ ହରପ୍ରିୟା ଦ୍ୱିବେଦୀ ଓ ଶୁଭଲକ୍ଷ୍ମୀ ସାହୁ ସଂଯୋଜନା କରିଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ୬୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ସଙ୍ଗୀତ ଏବଂ ନୃତ୍ୟ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶୁଭେନ୍ଦୁ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।