ବାର୍ ପାଲଟିଛି ଠିପି ବନ୍ଦ ମଦ ଦୋକାନ

 ଧର୍ମଶାଳା : ଜାରକା ଠାରେ ରହିଥିବା ବିଦେଶୀ ମଦ ଦୋକାନ ଠିପିଖୋଲା ମଦ ଦୋକାନ ପାଲଟିଯାଇଛି । ଜାରକା ବଜାରର ଅନତୀ ଦୂରରେ ଏକ ସରକାରୀ ବିଦେଶୀ ମଦ ଦୋକାନ ରହିଛି । ଏହା ଠିପିବନ୍ଦ ମଦ ଦୋକାନ ହୋଇଥିଲେ ହେଁ ଏଠାରେ ଗ୍ରାହକମାନଙ୍କ ପିଇବାର ସୁବିଧା ରହିଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ଶହଶହ ସଂଖ୍ୟାରେ ମଦ୍ୟପାନ କରୁଥିବା ଗ୍ରାହକ ଆସି ଖୁଲମଖୁଲା ଏଠାରେ ମଦ୍ୟପାନ କରୁଥିବା ଦେଖିବାକୁ ମିଳୁଛି । ଠିପିବନ୍ଦ ମଦ ଦୋକାନରେ ଲୋକେ ମଦ କିଣି ନେଇ ଅନ୍ୟତ୍ର ପିଇବାର ନିୟମ ରହିଛି । ହେଲେ ଜାରକାର ଏହି ବିଦେଶୀ ମଦ ଦୋକାନଟି ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି । ଏଠାରେ ବିଭିନ୍ନ ପ୍ରକାର ଚାଖଣା ସାଙ୍ଗକୁ ପାଣି, ଗ୍ଲାସ୍ ଆଦି ଅବଶ୍ୟକ ସାମଗ୍ରୀ ସହଜରେ ମିଳୁଛି । ଫଳରେ ଏଠାକୁ ଆସୁଥିବା ଗ୍ରାହକ ଏଠାରେ ରାସ୍ତା କଡରେ ବସି ଖୁଲମଖୁଲା ମଦ୍ୟପାନ କରୁଥିବା ଦେଖିବାକୁ ମିଳୁଛି । ଜାରକା ଠାରେ ଏକ ଅବକାରୀ ଥାନା ରହିଥିବାବେଳେ ଏହାର କର୍ମଚାରୀ ସବୁଦେଖି ଚୁପ ରହୁଥିବା ଅଭିଯୋଗ ହୋଇଛି । ଅବକାରୀ ଥାନାଟି କେବଳ ମାସିକିଆ ଚାନ୍ଦା ନେବାରେ ବ୍ୟସ୍ତ ରହୁଥିବା ଅଭିଯୋଗ ହୋଇଛି । ଏଠାରେ ରାସ୍ତା କଡରେ ଅବସ୍ଥିତ ଏହି ବିଦେଶୀ ମଦ ଦୋକାନରେ ଲୋକେ ଖୋଲାଖୋଲି ଭାବରେ ମଦ୍ୟପାନ କରୁଥିବାରୁ ଉକ୍ତ ରାସ୍ତା ଦେଇ ଯିବାକୁ ସାଧାରଣ ଲୋକ ଓ କଲେଜର ଛାତ୍ରଛାତ୍ରୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଯାହାକୁ ନେଇ ବୁଦ୍ଧିଜୀବୀ ଓ ସାଧାରଣ ଲୋକମାନେ ଚିନ୍ତା ପ୍ରକଟ କରିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ସଚେତନ ହୋଇ ଏଭଳି ଆଇନ ବିରୋଧି କାର୍ଯ୍ୟ କରୁଥିବା ମଦ ଦୋକାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।