ବିଦ୍ୟାଳୟକୁ ମାସକର ଦରମା ଦେଲେ ବିଧାୟକ 

ବାଲେଶ୍ୱର  : ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ନିଜ ବିଦ୍ୟାଳୟକୁ ମାସକର ଦରମା ପ୍ରଦାନ କରିଛନ୍ତି  । ବାଲେଶ୍ୱର ସହରର ମାଣିଖମ୍ବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସେ ପାଠ ପଢ଼ୁଥିଲେ  । ପୁରାତନ ଛାତ୍ର ଭାବେ ବିଦ୍ୟାଳୟର ଉନ୍ନତି ପାଇଁ ସହଯୋଗର ହାତ ବଢାଇଛନ୍ତି । ଦିନେ ଯେଉଁ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିଲେ, ଏବେ ସେହି ବିଦ୍ୟାଳୟର  ବାର୍ଷିକ ଉସôବରେ ବିଧାୟକ ଶ୍ରୀ ଦତ୍ତ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଅବସରରେ ତାଙ୍କ ଜୀବନରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସଂସ୍କାର ଯୁକ୍ତ ଶିକ୍ଷାର ପ୍ରତିଫଳନ ସମ୍ପର୍କରେ ସେ ଆଲୋକପାତ କରିଥିଲେ  । ପୂର୍ଣ୍ଣ ବ୍ୟକ୍ତିତ୍ୱ ବିକାଶ ସହ ରାଷ୍ଟ୍ର ନିର୍ମାଣରେ ଶିଶୁମନ୍ଦିରର ଅବଦାନ ଅତୁଳନୀୟ ବୋଲି ମଧ୍ୟ ସେ କହିଥିଲେ  । ଶିଶୁମନ୍ଦିରରେ ଶିକ୍ଷାଦାନ କରୁଥିବା ଜଣେ ଆଚାର୍ଯ୍ୟ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ଆସୀନ ଥିବା ବେଳେ ଶିଶୁମନ୍ଦିରର ଛାତ୍ର ଭାବେ ଜଣେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବଂ ସେ ନିଜେ ବାଲେଶ୍ୱରବାସୀଙ୍କ ପ୍ରତିନିଧିଭାବେ ନିର୍ବାଚିତ ହୋଇପାରିଛନ୍ତି ବୋଲି ଶ୍ରୀ ଦତ୍ତ କହିଥିଲେ  । ରାଷ୍ଟ୍ରସେବା ନିମିତ୍ତ ଦୃଢ ସଂକଳ୍ପ କେବଳ ଶିଶୁମନ୍ଦିରର ଶିକ୍ଷା ଯୋଗୁଁ ସମ୍ଭବପର ହୋଇପାରିଛି ବୋଲି ସେ ମତ ଦେବା ସହ ବିଗତ ୨୯ବର୍ଷ ମଧ୍ୟରେ ବହୁ ପୁରାତନ ଛାତ୍ରଛାତ୍ରୀ ସଫଳତାର ଶୀର୍ଷକୁ ଛୁଇଁ ପାରିଛନ୍ତି ବୋଲି କହିଥିଲେ । ବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତେ ସହଯୋଗର ହାତ ବଢାଇବାକୁ ସେ ଆହ୍ୱାନ ଦେବା ସହ ସମଗ୍ର ରାଜ୍ୟରେ ପରିଚାଳିତ ଶିଶୁ ମନ୍ଦିରଗୁଡିକର ଶିକ୍ଷାଦାନର ଧାରା ଓ ଭିତ୍ତିଭୂମିର ବିକାଶ ପାଇଁ ସରକାରୀ ସହାୟତା ଓ ଅନୁଦାନ ନିମନ୍ତେ ସେ ନିରନ୍ତର ପ୍ରଚେଷ୍ଟା ଜାରି ରଖିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ  ।