ବିଧାୟକଙ୍କ ଜନଶୁଣାଣି ଶିବିର

 ଖଣ୍ଡପଡା : ଖଣ୍ଡପଡ଼ା  ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଏକ ଜନଶୁଣାଣୀ ଶିବିର ଖଣ୍ଡପଡ଼ା ପୂର୍ତ୍ତବିଭାଗ ବଙ୍ଗଳା ପରିସରରେ  ଅନୁଷ୍ଠିତ ହୋଇଛି । ଶିବିରରେ ଖଣ୍ଡପଡ଼ା ବ୍ଲକ ପ୍ରଶାସନର ସମସ୍ତ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଉପରେ ଶୁଣାଣି କରିଥିଲେ । ଖଣ୍ଡପଡ଼ା ବ୍ଲକ୍ ଅଧିନ ୨୨ଟି ପଞ୍ଚାୟତ ଓ ଖଣ୍ଡପଡ଼ା ସହରର କିଛି ବ୍ୟକ୍ତି ଅଭିଯୋଗପତ୍ର ଧରି ସିଧାସଳଖ ବିଧାୟକଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଥିଲେ । ମୋଟ ୨୪୮ଟି ଅଭିଯୋଗପତ୍ର ଶିବିରରେ ଗ୍ରହଣ କରଯାଇଥିଲା । ବିଭିନ୍ନ ଅଭିଯୋଗ ମଧ୍ୟରେ ଖଣ୍ଡପଡ଼ା ସମାଜ ପ୍ରତିନିଧି ଭବାନୀ ଶଙ୍କର ସିଂହସାମନ୍ତ  ଖୋଦ ବିଧାୟକ ଫୋନ ଉଠାଉ ନ ଥିବା ନେଇ ଏକ ପତ୍ର ଜରିଆରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗକୁ ନେଇ ଖଣ୍ଡପଡ଼ା ଅଞ୍ଚଳରେ କାର୍ଯ୍ୟରତ ଗଣମାଧ୍ୟମର ପ୍ରତିନିଧିମାନେ ବିଧାୟକଙ୍କୁ ବିଭିନ୍ନ ସମୟରେ ଫୋନ କରୁଥିଲେ ହେଁ ବିଧାୟକ ଫୋନ ଉଠାଉ ନ ଥିବା କିମ୍ବା କକ୍ ବ୍ୟାକ କରୁ ନ ଥିବା ପ୍ରସଙ୍ଗକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଉଦ୍ବେଗ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ, ତହସିଲଦାର ବିଶ୍ୱବିଶୃତ ତ୍ରିପାଠୀ, ଏବିଡିଓ ଝାଡେଶ୍ୱର ଦାସ, ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଅଭିଷାର ପଣ୍ଡା, ଯୋଗାଣ ନିରୀକ୍ଷକ ଗୋବିନ୍ଦ ଚନ୍ଦ୍ର ବେହେରା, କୃଷି ବିଭାଗ ଅଧିକାରୀ ଭବାନୀଶଙ୍କର ମିଶ୍ର, ବ୍ଲକ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଅନିତ ବଡସେଟ୍ଟ, କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଅଶ୍ୱିନୀ ଶାନ୍ତଙ୍କ ସମେତ ପ୍ରମୁଖ ଉପସ୍ଥିତ ଥିଲେ ।