ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥା

ତାଳଚେର : ତାଳଚେରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ । କେତେବେଳେ କିଏ କୁଆଡୁ ମାଡ଼ି ଆସିବ ଓ ଆଖି ପିଛୁଳାକେ ଜୀବନ ଚାଲିଯିବ ତାହା ଠଉରେଇବା କଷ୍ଟ । ରାସ୍ତା ମଝିରେ ଗାଡ଼ି ପାର୍କିଂ ସାଙ୍ଗକୁ ରଙ୍ଗରୁଟ୍‌ ଡ୍ରାଇଭରେ ଆସି କିଏ କେତେବେଳେ ଧକ୍କା ହୋଇଯିବ କିଛି କହିହେବନି । ନୀତିଦିନ ରାଜପଥରେ ଶହଶହ ଭାରୀଯାନ ଚଳାଚଳ କରୁଛି । ମାତ୍ର ବିଡ଼ମ୍ବନାର ବିଷୟ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥରେ ୪ଟି ଟ୍ରାଫିକ୍‌ ପୋଷ୍ଟରେ କେତେବେଳେ ଟ୍ରାଫିକ ପୁଲିସ୍‌  ରହୁଥିବା ବେଳେ ଆଉ କେତେ ବେଳେ ରହୁନଥିବା ଅଭିଯୋଗ ହେଉଛି । ଏହି ବାଇପାସ୍‌ ଚାରି ଛକିଆରେ ଲୋକ ବିପଦକୁ ମୁଣ୍ଡାଇ ଯାତାୟତ କରୁଥିବାବେଳେ ଏଥିପ୍ରତି ପୁଲିସ୍‌ ନଜର ଅନ୍ଦାଜ ରହୁନାହିିଁ । ସେହିଭଳି ହାଣ୍ଡିଧୂଅାଁ ୪ଛକିଆ ଓ ଡେ଼ରା ୬ଛକିଆ ରାସ୍ତାରେ ଟ୍ରାଫିକ ପୁଲିସ୍‌ ଆଦୌନଥିବା ଦୁର୍ଭାଗ୍ୟ ଜନକ ବିଷୟ ପାଲଟିଛି । ଅନ୍ୟପକ୍ଷରେ ତାଳଚେର କଲେଜ ନିକଟରେ ରହିଥିବା କେନାଲ ୪ଛକିଆ ବିପଦ ଜନକ ସ୍ଥାନ ହୋଇଥିଲେ ମଧ୍ୟ ଏଠାରେ ଆଦୌ ଟ୍ରାଫିକ୍‌ ପୋଷ୍ଟର ବ୍ୟବସ୍ଥା ଓ ଆଲୋକୀକରଣ ବ୍ୟବସ୍ଥା ନଥିବାରୁ କେତେବେଳେ ଯେ, କ’ଣ ଘଟିବ ତାହା କହିବା ସମ୍ଭବ ନୁହେଁ । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଥିଲେ ମଧ୍ୟ ପୁଲିସ୍‌ ଓ ପ୍ରଶାସନ କେହି ହେଲେ ଏଥିପ୍ରତି ଦୃଷ୍ଟି ଦେଉନଥିବା ପରିତାପର ବିଷୟ ହୋଇଛି । ସନ୍ଧ୍ୟା ସମୟରେ ଟ୍ରାଫିକ ଯନ୍ତ୍ରଣା ଏତେ ଯେ ଦୁଇଚକିଆ ଯାନ ଗୁଡ଼ିକ ରାସ୍ତା ପାର ହେବାକୁ  ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥାଏ । ସହରରେ ଏପରି ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଜୁଡ଼ି ପଡ଼ିଥିବାବେଳେ ପୁଲିସ୍‌ ସତେ ଯେପରି ହାତଟେକି ବସି ରହିଛି ବୋଲି ମନେ ହେଉଛି । ଟ୍ରାଫିକ ନିୟନ୍ତ୍ରଣ ଲକ୍ଷ୍ୟ ରଖି ସହରରେ ସିସିଟିଭି ଖଞ୍ଜା ଯାଇଛି । ସିସିଟିଭି ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆସୁନି । ଭାରୀଯାନ ଗୁଉଡ଼ିକର ଦ୍ରୁତଗତି ସାଙ୍ଗକୁ ରୋମିଓ ମାନଙ୍କର ସାପ ଭଳି ଅଙ୍କାବଙ୍କା ଗାଡ଼ି ଚାଳନା ଯୋଗୁଁ ସାଧାରଣ ଜନତା ବିପଦ ମୁହଁକୁ ଠେଲି ହେଉଛନ୍ତି । ପୁନଶ୍ଚ ବ୍ୟାପକ ଧୂଳି ସହିତ ଅଣଓସାରିଆ ରାସ୍ତାରେ ମଳାମାଳ ଯାନବାହାନ ଚଳାଚଳ ଅବସ୍ଥାକୁ ଦ୍ୱିଗୁଣିତ କରୁଛି । ଏମାନଙ୍କୁ ଆକଟ କରିବାରେ ପୁଲିସ୍‌ର ନିଷ୍କ୍ରିୟତା ଯୋଗୁଁ ଉତ୍ପାତ ବଢ଼ିବାରେ ଲାଗିଛି । ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।