ବିଭିନ୍ନ ସ୍ଥାନରେ ଶୀତଳ ଷଷ୍ଠୀ ଉତ୍ସବ ପାଳିତ
ବରଗଡ଼ : ଜ୍ୟଷ୍ଠ ମାସ ଶୁକ୍ଲପକ୍ଷ ପଞ୍ଚମୀ ଦିନ ଶିବ,ପାର୍ବତୀଙ୍କ ବିବାହ ଉସôବ ଯଥାରୀତିରେ ମାଁ ଶ୍ୟାମାକାଳୀ ମନ୍ଦିରରେ ସମ୍ପନ୍ନ ହୋଇଯାଇଛି । ଜ୍ୟଷ୍ଠ ମାସର ପ୍ରଚଣ୍ଡ ଖରା ପରେ ସମସ୍ତେ ଶୀତଳତାକୁ ଆଗ୍ରହର ସହିତ ଚାହିଁ ରହିଥାନ୍ତି । ଶିତଳଷଷ୍ଠୀ ଶୀତଳତାକୁ ବହନ କରି ଆଣିବା ପ୍ରକ୍ରିୟା ସମ୍ଭବତଃ ଏଇ ଦିନଠାରୁ ହିଁ ଆରମ୍ଭ ହୋଇଥାଏ । ଶୀତଳ ଷଷ୍ଠୀର ଆଉ ଏକ ବିଶେଷତ୍ୱ ହେଲା ଭଗବାନ ଶଙ୍କର ମହାତାପି, ମହାକୋପୀ ପୁଣି ଆଶୁତୋଷ । ତପେ ବର, କୋପେ ବର । ଦକ୍ଷ କନ୍ୟା ସତୀଙ୍କୁ ହରାଇବା ପରେ ଶିବ କୋପ ରେ ଥରି ଗଲେ । ତାଙ୍କ ସମ୍ମୁଖରେ ଠିଆ ହେବା ପାଇଁ କେହି ସାହସ କଲେନାହିଁ । ପରବର୍ତ୍ତୀ ସମୟରେ ପାର୍ବତୀଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହେଲା । ଶିବ ପାର୍ବତୀଙ୍କ ବିବାହକୁ 'ଦିଅଁ ବିଭା' ମଧ୍ୟ କୁହାଯାଏ ଓ ଏହି ଦିନ ଶିବ ମନ୍ଦିରରୁ ଶିବଙ୍କ ପ୍ରତିମାକୁ ପାର୍ବତୀଙ୍କ ମନ୍ଦିରକୁ ନିଆଯାଇ ବିବାହ ସମ୍ପନ୍ନ କରାଯାଇଥାଏ । ମାଁ ଶ୍ୟାମାକାଳୀଙ୍କ ସନ୍ଧ୍ୟା ଆରତ୍ରି ପରେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ବରୁଣ ପୂଜା, ସଂଙ୍କଳ୍ପ, ଋଦ୍ରାଭିଷେକ, ଅଲଙ୍କର ଧାରଣ, ଗନ୍ଧାଦିବାସ, ହରିଦ୍ରାଦିବାସ, ହୋଇ ବରାନୁଗମନ, ବିବାହ ପାଣିଗ୍ରହଣ ଅନୁଷ୍ଠିତ ହୋଇଥିଲା । ଶିବ ପାର୍ବତୀ ବିବାହ ପଣ୍ତିତ ନରସିଂହ ଶତପଥୀ,ପଣ୍ଡିତ ନରେଶ ମିଶ୍ର, ପଣ୍ତିତ ଅନନ୍ତ ଶତପଥୀ, ପଣ୍ଡିତ ସୁମନ୍ତ ଷଡଙ୍ଗୀ ତୁଲାଇଥିବା ବେଳେ ମାଁ ଶ୍ୟାମାକାଳୀ ମନ୍ଦିର ପରିଚାଳନା ସମିତିର ସମସ୍ତ ସଭ୍ୟ ବିବାହ କାର୍ଯ୍ୟରେ ସହଯୋଗ କରିଥିଲେ ।
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଅଙ୍କରାନ୍ତିପୁର ଗ୍ରାମରେ ପ୍ରତିଷ୍ଠିତ ଓଁ ଶ୍ରୀ ମହାରୂଦ୍ରେଶରାୟ ପୀଠରେ ଶିବ ପାର୍ବତୀଙ୍କ ବିବାହ ଉସôବ ମହାଆଡ଼ମ୍ଭରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାରୂଦ୍ରେଶରାୟଙ୍କ ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ବିମାନରରେ ସ୍ଥାପନ କରାଯାଇ ବାଜା, ବାଣ, ଘଣ୍ଟ ଘଣ୍ଟା ଶୋଭାଯାତ୍ରାରେ ଗ୍ରାମ ପରିଭ୍ରମଣ କରାଯାଇ ମହାରୂଦ୍ରେଶରାୟଙ୍କ ମନ୍ଦିର ପ୍ରାଙ୍ଗଣରେ ଉଭୟ ଶିବ ପାର୍ବତୀଙ୍କ ବିବାହ ଉସôବ ଯଥାରୀତିରେ ଅନୁଷ୍ଠିତ କରାଯାଇଛି । ଏଥିରେ କନ୍ୟା ପିତା ଭାବେ ପପୁନ କୁମାର ମହାରଣା ଓ ବର ପିତା ଭାବେ ଜିତେନ୍ଦ୍ର ମହାରଣା ନିଜର କାର୍ଯ୍ୟ ସମ୍ପାଦନ କରିଥିଲେ । ମନ୍ଦିର ପରିସରରେ ଉଭୟ କନ୍ୟା ପିତା ଏବଂ ବର ପିତାଙ୍କ ତରଫରୁ ପ୍ରସାଦ ସେବନ ବ୍ୟବସ୍ତା କରାଯାଇଥିଲା । ଏହି ଧାର୍ମିକ କାର୍ଯ୍ୟକ୍ରମରେ ଗ୍ରାମ ସଭାପତି ଭୋଲେଶ୍ୱର ମହାରଣା, ଅଭୟ କୁମାର ନାୟକ, ଧୁଶାସନ ସାହୁ, ସୁନୀଲ ରାଉତ, ସିପୁ ମହାରଣା, ରାଜା ଅଜିତ ଜେନା, ପ୍ରଭାସ ନାୟକ, ଜୟନ୍ତ ନାୟକ ପ୍ରମୁଖ ବର ଯାତ୍ରୀରେ ସାମିଲ ହେବା ସହ ମହାରୂଦ୍ରେଶରାୟଙ୍କ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।
କାକଟପୁର : ପୁରୀଜିଲ୍ଲା କାକଟପୁରର ପ୍ରାଚୀନ ଶୈବପୀଠ ପ୍ରଭୁ ସ୍ୱମେଶ୍ୱର ମହାଦେବଙ୍କ ବିବାହ କାର୍ଯ୍ୟ ମହା ଆଡମ୍ବରରେ ସମ୍ପନ୍ନ ହୋଇଯାଇଛି । ସନାତନ ସଂସ୍କୃତି ଅନୁସାରେ ବୈଦିକ ରୀତିନିତି ଓ ବିଧି ବିଧାନରେ ବରବରଣ, ବାଟବରଣ, ପ୍ରଥମ ବରଣ, ଅଧିବାସ କର୍ମ, ବନ୍ଦାଣ, ଷଡ଼ାର୍ଘ୍ୟ, ଦ୍ୱିତୀୟବରଣ, ସମୁଖ୍ୟକରଣ, ମହାବାକ୍ୟ, କନ୍ୟାଦାନ, ହସ୍ତଗଣ୍ଠି, ଦକ୍ଷକନ୍ୟକା, ବିବାହହୋମ ଏବଂ ଶେଷରେ ଦେବଦମ୍ପତିଙ୍କ ବନ୍ଦାପନା କରାଯାଇ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଘଣ୍ଟ ଘଣ୍ଟା, ବାଦ୍ୟ, ଶଙ୍ଖ ଧ୍ୱନିର ତାଳେ ତାଳେ ନାଚୁଥିବା ବରଯାତ୍ରୀ ଦଳ ଏବଂ ଉପସ୍ଥିତ ଶ୍ରଦ୍ଧାଳୁମାନେ ମନ୍ଦିର ପରିକ୍ରମାକରି ପ୍ରଭୁ ସ୍ୱମେଶ୍ୱର ମହାଦେବଙ୍କ ବିବାହ ମଣ୍ଡପ ଠାରେ ପହଁଚିଥିଲେ । ସେଠାରେ କନ୍ୟାଘର ପକ୍ଷରୁ ହୃଦାନନ୍ଦ ଦୀକ୍ଷିତ, ମାମୁଲି ଦୀକ୍ଷିତ ବିଧି ପୂର୍ବକ ବାଟବରଣ କରି ବର ଶ୍ରୀ ସ୍ୱମେଶ୍ୱର ମହାଦେବଙ୍କୁ ହାତଧରି ବିବାହ ମଣ୍ଡପକୁ ପାଛୋଟି ନେଇଥିଲେ । ଆବଶ୍ୟକ କର୍ମବିଧାନ ପରେ ମା’ ପାର୍ବତୀଙ୍କୁ ପଟୁଆରରେ ବିବାହ ମଣ୍ଡପକୁ ନିଆଯାଇଥିଲା । ସେଠାରେ ସନାତନ ଦୀକ୍ଷିତ ଶିବଙ୍କ ପିତା ଭାବେ ବିବାହ କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ସମୟରେ ଶଙ୍ଖ, ହୁଳହୁଳି ଶବ୍ଦରେ ମନ୍ଦିର ଚତୁପାର୍ଶ୍ୱ ପ୍ରକମ୍ପିତ ହେଉଥିଲା । ବିବାହ ଶେଷରେ ଦେବଦମ୍ପତି ମନ୍ଦିରକୁ ଫେରିଯାଇଥିଲେ । ଉକ୍ତ ବିବାହ କାର୍ଯ୍ୟକ୍ରମରେ ପୂଜାପଣ୍ଡା ଭାବେ ଶରତ କୁମାର ଦୀକ୍ଷିତ ଉପସ୍ଥିତ ରହି ବିବାହ କାର୍ଯ୍ୟ ସମ୍ପାଦନ କରିଥିବାବେଳେ ସମସ୍ତ ସେବାୟତମାନେ ବରଯାତ୍ରୀ ଭାବେ ଯାଇଥିଲେ । ଶେଷରେ ସମସ୍ତ ଭକ୍ତ ମାନଙ୍କ ପାଇଁ ସେବାୟତ ନିଯୋଗ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।