ବିଲେଇକୁ ନେଇ କଳି, ଥାନାରେ ମାମଲା
ବାଲିଅନ୍ତା : ବିଲେଇକୁ ନେଇ ୨ ପଡୋଶୀ ମଧ୍ୟରେ କଳି । ଘଟଣାଟି ଧଉଳି ଥାନା ଅଞ୍ଚଳରେ ଘଟିଥିବା ବେଳେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି । ଖବରରୁ ପ୍ରକାଶ ଯେ, ଗତ ୧୩ ତାରିଖରେ ସରଦେଇପୁର ଗ୍ରାମରେ ଜନୈକ ମହିଳାଙ୍କ ଘରେ ପଡୋଶୀଙ୍କ ବିଲେଇ ପଶିଯାଇ ଖଟ ଉପରେ ମଳତ୍ୟାଗ କରିଥିଲା । ସମ୍ପୃକ୍ତ ମହିଳା ଜଣଙ୍କ କାହାର ଏ ବିଲେଇ ବୋଲି କହିବା ସହ ଗାଳିଗୁଲଜ କରିଥିଲେ । ମାତ୍ର କେହି ଏହାର ଉତ୍ତର ଦେଇନଥିଲେ । ଫଳରେ ମହିଳା ଜଣଙ୍କ ବିଲେଇକୁ କବାଟ କିଳି ଦେଇଥିଲେ । କିନ୍ତୁ ଗତକାଲି ସମ୍ପୃକ୍ତ ମହିଳା ଜଣଙ୍କ ଘରେ ନ ଥିବା ବେଳେ ପଡୋଶୀ ଜଣଙ୍କ ମହିଳାଙ୍କ ଘର କବାଟ ଖୋଲି ବିଲେଇକୁ ନେଇଯାଇଥିଲେ । ଏପଟେ ମହିଳା ଘରକୁ ଫେରିବା ପରେ ଘର କବାଟ ଖୋଲାଥିବା ସହ ବିଲେଇ ନ ଥିବା ଦେଖିବାକୁ ପାଇଥିଲେ । ଏଥିସହ ଘରର ଆସବାବ ପତ୍ର ସବୁ ଛିନ୍ଛତ୍ର ହୋଇ ପଡିଥିଲା । ଏହାକୁ ନେଇ ସମ୍ପୃକ୍ତ ମହିଳା ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଉଗ୍ରରୂପ ନେବାସହ ହାତ ଉଠାଉଠି ପର୍ଯ୍ୟନ୍ତ କଥା ଯାଇଥିଲା । ପରେ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ଘରେ ପଶି ପଡୋଶୀ ଆଲମିରାରୁ ୮ ହଜାର ଟଙ୍କା ଓ ସୁନାଗହଣା ଚୋରି କରିଥିବା ଅଭିଯୋଗ କରିଛନ୍ତି ମହିଳା ଜଣଙ୍କ । ଅଭିଯୋଗ ପାଇ ପୁଲିସ ଏହାର ତଦନ୍ତ ଚଲାଇଛି ।