ବିଶିଷ୍ଟ ସାହିତି୍ୟକଙ୍କ ପରଲୋକ

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀ ଗ୍ରାମର ବିଶିଷ୍ଟ ସାହିତି୍ୟକ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାମନ ଚରଣ ଜେନା(୮୭)ଙ୍କର ହୃଦ୍ଘାତରେ ପରଲୋକ ହୋଇଯାଇଛି । ସେ ମଙ୍ଗଳବାର ରାତ୍ରରେ ସ୍ୱାଭାବିକ ଭାବେ ଖାଦ୍ୟ ଗ୍ରହଣ କରି ଶୋଇଥିଲେ । ମାତ୍ର ଭୋର ୫.୩୦ମି. ସମୟରେ ହୃଦ୍ଘାତର ଶିକାର ହୋଇ ମୃତୁ୍ୟବରଣ କରିଥିଲେ । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ପୁତ୍ର ପ୍ରଦୀପ, ପ୍ରଫୁଲ୍ଲ, ବୋହୂ, କନ୍ୟା, ନାତିନାତୁଣୀ ଉପସ୍ଥିତ ଥିଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ସରପଞ୍ଚ ସୁଜାତା ସାହୁ, ହିମାସାରମନା ସାହିତ୍ୟ ପରିଦେ ସଭାପତି ହରେକୃଷ୍ଣ ପାଣିଗ୍ରାହୀ, ସମ୍ପାଦକ ଦାମୋଦର ନାୟକ, ପ୍ରାଣକୃଷ୍ଣ ସାହୁ, ଶିକ୍ଷକ ମହେନ୍ଦ୍ର ମଲ୍ଲିକ ପ୍ରମୁଖ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ମରଶରୀରକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯିବା ପରେ ଅନ୍ତିମ ସଂସ୍କାର ପାଇଁ ଜନ୍ମସ୍ଥାନ ଯାଜପୁର ଜିଲ୍ଲା ହରିପୁର ଅଭିମନୁ୍ୟବାଲିଆକୁ ନିଆଯାଇଥିଲା । ବଡପୁଅ ପ୍ରଦୀପ ମୁଖାଗ୍ନି ଦେଇଥିଲେ ।  ସ୍ୱର୍ଗତ ବାମନବାବୁ ସାହିତ୍ୟ କ୍ଷେତ୍ରରେ ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି । ‘ଇତିବୃତ୍ତି’, ‘ମୋ ଦେଶ, ମୋ କଥା’, ‘ବିଧୁର ବସନ୍ତ’, ‘ବେଶ୍ୟାର ସତୀତ୍ୱ’, ‘ପ୍ରୀତି ପୁରବୀ’, ‘ବର୍ଣ୍ଣାଳୀ’ ଆଦି ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଥିଲା । ତାଙ୍କ ମୃତୁ୍ୟରେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ଶୋକ ପ୍ରକାଶ ପାଇଛି ।