ବୁଢ଼ାବଳଙ୍ଗରେ ବନ୍ୟା ଆଶଙ୍କା: ପ୍ରଶାସନର ସ୍ଥିତି ଅନୁଧ୍ୟାନ

 ବୈଶିଙ୍ଗା : ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ ଏବଂ ଏହାର ପାଦଦେଶରେ ପ୍ରବଳ ବର୍ଷା ଯୋଗୁଁ ପ୍ରବାହିତ ହେଉଥିବା ବୁଢ଼ାବଳଙ୍ଗ ନଦୀର ଜଳସ୍ତର କ୍ରମାଗତ ବୃଦ୍ଧି ପାଉଥିବାରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଗତ ଚାରିଦିନ ହେଲା ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ଯୋଗୁଁ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଫଳରେ ବୁଢ଼ାବଳଙ୍ଗ ସହିତ ଏହାର ଉପନଦୀ ଜରାଳି ଓ ସରାଳି ନଦୀର ଜଳସ୍ତର ବୃଦ୍ଧି ପାଇଚାଲିଛି । ରବିବାର ଅପରାହ୍ନରେ ବୈଶିଙ୍ଗା ବଡ଼ସାହି ମୂଖ୍ୟ ରାସ୍ତାର ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ସେତୁ ଲଂଘିବାକୁ ଆଉ ମାତ୍ର ଚାରି ଫୁଟ ବାକି ରହିଥିବା ଦେଖିବାକୁ ମିଳିଛି । ତେବେ ବନ୍ୟା ଆଶଙ୍କାରେ ରହିଛନ୍ତି ନାଖରା , ପାଟଳିପୁରା, ଦାରିହା, କାଠପାଳ , ସିଙ୍ଗଲାମୁଣ୍ଡଳି , ଶାଳଗାଁ ପ୍ରଭୃତି ତଳିଆ ଅଞ୍ଚଳର ଗ୍ରାମବାସୀ ଭୟଭୀତ ଅବସ୍ଥାରେ  ଅଛନ୍ତି  । ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗର ଅଧିକାରୀମାନଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ଆଜି ଜିଲ୍ଲାପାଳ ହେମକାନ୍ତ ସଏ , ବିଧାୟକ ସନାତନ ବିଜୁଳି , ବେତନଟୀ ବ୍ଲକ ଏବିଡିଓ ଗଗନ ବିହାରୀ ବେହେରା , ଅତିରିକ୍ତ ତହସିଲଦାର ଈଶ୍ୱର ଚନ୍ଦ୍ର ରଣା, ରେଭିନୁ୍ୟ ସୁପରଭାଇଜର ଜଗନ୍ନାଥ ସିଂ , ବଡ଼ସାହି ତହସିଲଦାର କରୁଣାକର ଧିନ୍ଦା ପ୍ରମୁଖ ନାଖରା ସେତୁ ନିକଟରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରିଛନ୍ତି । ଉପରମୁଣ୍ଡରେ ବର୍ଷାର ପ୍ରକୋପ ହ୍ରାସ ପାଇଥିବାରୁ ଯଦି ଏଭଳି ସ୍ଥିତି ଆଗାମୀ ଦଶ ବାର ଘଣ୍ଟା ଲାଗିରହେ ତେବେ ବନ୍ୟା ଆଶଙ୍କା ଟଳି ଯିବାର ସମ୍ଭାବନା ରହିଛି । ତେବେ ବୁଢ଼ାବଳଙ୍ଗର ତଳସ୍ତର ସହିତ ଗଙ୍ଗାହାର ଓ ସୋନ ନଦୀ ତେମୁହାଣି ଠାରେ ମିଶି ବାଲେଶ୍ୱର ଅଞ୍ଚଳରେ ଭୟ ସୃଷ୍ଟି କରିଥିବା ଜଣାଯାଇଛି  । 
ବେତନଟୀ : ବେତନଟୀ ବ୍ଲକରେ ଲଘୁଚାପଜନିତ ଲଗାଣବର୍ଷାରେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବଢିଥିବା ବେଳେ ସମ୍ଭାବ୍ୟ ବନ୍ୟାସ୍ଥିତି ସମୀକ୍ଷା ପାଇଁ ରବିବାର ଅପରାହ୍ନରେ ବେତନଟୀ ବ୍ଲକ ଅଧୀନ ନାଖରା ପୋଲଠାରେ ବୁଢାବଳଙ୍ଗ ନଦୀର ଜଳସ୍ତର ଦେଖିବା ସହିତ ସ୍ଥିତି ସମୀକ୍ଷା କଲେ ବିଧାୟକ ସନାତନ ବିଜୁଳି ଓ ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ  । ଲଘୁଚାପଜନିତ ଲଗାଣ ବର୍ଷାରେ ଜିଲ୍ଲାର ହାଲ ବେହାଲ ହୋଇପଡିଥିବା ବେଳେ ବିଭିନ୍ନ ନଦୀର ଜଳସ୍ତର ବଢ଼ିଥିବାର ଦେଖିବାକୁ ମିଳିଛି  । ଏପଟେ ଜିଲ୍ଲାର ବିଭିନ୍ନ ଛୋଟବଡ଼ ନଦୀନାଳ କେତେକ ସ୍ଥାନରେ ଉଛୁଳି ବନ୍ୟାସ୍ଥିତି ସୃଷ୍ଟି କରିଥିବାର ମଧ୍ୟ ଦେଖିବାକୁ ମିଳିଛି  । ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଅଧିକାରୀ ମାନଙ୍କୁ ଏଲର୍ଟ ରହିବାକୁ କୁହାଯାଇଥିବା ବେଳେ ରବିବାର ବିଧାୟକ ଏବଂ ମୟୁରଭଞ୍ଜ ଜିଲ୍ଲାପାଳ  ନାଖରା ଠାରେ ବୁଢବଳଙ୍ଗ ନଦର ଜଳସ୍ତର ସମୀକ୍ଷା କରିବା ସମୟରେ ବେତନଟୀ ଏବିଡ଼ିଓ ଗଗନ ବିହାରୀ ବେହେରା, ଅତିରିକ୍ତ ତହସିଲଦାର ଈଶ୍ୱରଚନ୍ଦ୍ର ରଣା, ରେଭିନୁ୍ୟ ସୁପରଭାଇଜର ଜଗନ୍ନାଥ ସିଂଙ୍କ ସମେତ ବଡ଼ସାହି ତହସିଲଦାର କରୁଣାକର ଧୀନ୍ଦା ଓ ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ  ।