ବେଆଇନ୍ ପୋଜେସନ୍ ପାଇଁ ଗଢି ଉଠିଛି ଗ୍ୟାଙ୍ଗ୍ ; ଧରାପଡ଼ିଲେ ୩
ଭୁବନେଶ୍ୱର, ୬ା୯ : ସ୍ମାଟ ସିଟିରେ ଜାଗା କିଣିବା ପାଇଁ ଅନେକ ଲୋକେ ସ୍ୱପ୍ନ ଦେଖିଥାନ୍ତି । ସେମାନେ ବହୁ କଷ୍ଟ କରି ସଞ୍ଚୟ କରି ରଖିଥିବା ଝାଲ ବୁଝା ଧନରେ ଜମି କିଣୁଛନ୍ତି । ସହର ଭିତରେ ହେଉ କି ଉପକଣ୍ଠରେ ଜାଗା ଖଣ୍ଡେ ମିଳିଲେ ଚଢା ଦାମ ଦେଇ କିଣୁଛନ୍ତି ଲୋକେ । କିନ୍ତୁ ପରେ ସେମାନଙ୍କ ଅଜାଣତରେ ଠକାମିର ଶିକାର ହେଉଛନ୍ତି । କିଏ ଅନ୍ୟର ଜମିକୁ ଜାଲିଆତି କରି ଏକାଧିକ ଲୋକଙ୍କୁ ବିକ୍ରି କରି ଦେଲାଣି ତ, ଆଉ କେଉଁଠି ଜଣେ ଜମି ମାଲିକ ଜମି କିଣିଥିଲେ ମଧ୍ୟ ସେ ପୋଜେସନ୍ ନେଇ ପାରୁନାହିଁ । ଅନ୍ୟକେହି ଉକ୍ତ ଜମିକୁ ଜୋର ଜବରଦସ୍ତି ନିଜ କବଜାରେ ରଖିଛନ୍ତି । ଏନେଇ ଥାନାରେ ଅଭିଯୋଗ କଲେ ପୁଲିସ ସିଭିଲ କେସ୍ କହି କୋର୍ଟକୁ ପଠାଇ ଦେଉଛି । ଯେଉଁଥି ପାଇଁ ଜମି ମାଲିକ ବାଧ୍ୟ ହୋଇ ଜମି ପୋଜେସନ୍ ନେବାକୁ ଅନ୍ୟ ଉପାୟ ବାଛୁଛନ୍ତି । ସେହିଭଳି ଜଣେ ମହିଳାଙ୍କ ଘରକୁ ରାତାରାତି ଜେସିବି ଲଗାଇ ଭାଙ୍ଗିବା ସହ ଅନ୍ୟକୁ ପୋଜେସନ ଦେଇ ବନ୍ଧାହେଲେ ୩ ଜଣ ଲୋକାଲ ଦାଦା । ୩ ଅଭିଯୁକ୍ତ ହେଲେ, ମାନସ ସାହୁ, ନିରଞ୍ଜନ ରାଉତ ଓ ଜଗଦୀଶ ପାଟଶାଣୀ । ଇନଫୋସିଟି ଥାନା ନିକଟସ୍ଥ କିଟ୍ ଛକ ନିକଟରେ ରହୁଥିବା ଜଣେ ମହିଳାଙ୍କ ଘରକୁ ଜବରଦଖଲ କରିବା ପାଇଁ ବିଳମ୍ବିତ ରାତିରେ ଉଦ୍ୟମ କରିଥିଲେ ୧୦ରୁ ୧୫ ଦୁର୍ବୃତ୍ତ । ପ୍ରଥମେ ଜେସିବି ଲଗାଇ ଘର ଗେଟ୍ ପାଚୋରୀ ଭାଙ୍ଗିଥିଲେ । ପାଚୋରୀ ଭାଙ୍ଗିବା ସହ ଜବରଜସ୍ତ ୧୦ ଲକ୍ଷ ଟଙ୍କା ନେବା ସହ ପୁଲିସରେ ଅଭିଯୋଗ କଲେ ହତ୍ୟା କରିବାର ଧମକ ଦେଇଥିଲେ । ଏନେଇ ଇନଫୋସିଟି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ଜମି ଖାଲି କରିବାକୁ ରାଜଧାନୀରେ ଗଢିଉଠିଛି ଗ୍ୟାଙ୍ଗ୍ -
ଅନେକ ସମୟରେ ଦେଖାଯାଉଛି, ଜାଗା କିଣି ଥିଲେ ବି, ସେହି ଜାଗାକୁ ନିଜ ଦଖଲକୁ ନେଇ ପାରୁନାହାଁନ୍ତି ମାଲିକ । ଆଉ କେତେ ବେଳେ ଜମିର ଆଂଶିକ ମାଲିକ ଥିବା ବ୍ୟକ୍ତି ବି ପୂରା ଜମି ବିକ୍ରି କରି ଦେଉଛନ୍ତି । ଆଉ ଯଦି ଜମି କିଣିଥିବା ଲୋକ ଟିକେ ଶକ୍ତିଶାଳୀ ସେ ଜୋର ଜବରଦସ୍ଥି ଜମି ଦଖଲ କରିବାକୁ ଉଦ୍ୟମ କରୁଛନ୍ତି । ଆଇନରୁ ଉର୍ଦ୍ଧର୍କୁ ଯାଇ ଅପରାଧୀଙ୍କ ସାହାରା ନେଉଛନ୍ତି । ଯେଉଁଥି ପାଇଁ ରାଜଧାନୀରେ ଏବେ ଏକାଧିକ ଲୋକାଲ ଦାଦାଙ୍କ ଦବ୍ଦବା ବଢିବାରେ ଲାଗିଛି । ସେମାନେ ଟଙ୍କା ନେଇ ଜମି ପୋଜେସନ୍ ଦେଉଛନ୍ତି ।