ବେଗୁନିଆ ବେଆଇନ ନିଶା କାରବାର ହବ୍


ାା ସ୍ୱତନ୍ତ୍ର ପ୍ରତିନିଧି ।ା ଖୋର୍ଦ୍ଧା  : ବେଆଇନ ନିଶା କାରବାରର ପେଣ୍ଠ ପାଲଟିଛି ବେଗୁନିଆ  । ବେଆଇନ ନିଶା କାରବାରରେ ପ୍ରଚୁର ଅର୍ଥ କାରବାର ହେଉଥିବା ବେଳେ ଗାଁ ଗାଁରେ ଏହାର ବ୍ୟବସାୟ ବଢ଼ିବାରେ ଲାଗିଛି । ଏହାର ମୁଖ୍ୟ ସୂତ୍ରଧର ପାଲଟିଛନ୍ତି ଯୁବକ ଏବଂ ମହିଳା । ଏହି ନିଶା କରବାରରେ ରୋକ ଲଗାଇବା ପାଇଁ ବେଗୁନିଆ ଅବକାରୀ ଥାନା ପ୍ରତିଷ୍ଠା କରାଗଲା । ତାସତ୍ତ୍ୱେ ଅବକାରୀ ବାବୁମାନଙ୍କୁ ହାତ କରି ନିଜ ନିଶା ସାମ୍ରାଜ୍ୟ ବୃଦ୍ଧି କରିବାରେ ଲାଗିଛନ୍ତି ନିଶାବେପାରୀ  । ଏହି କାରବାର ପାଇଁ ମାସିକିଆ ବଟି ଦେଲେ ଖୋଲାଖୋଲି ଭାବେ ବେପାର କରିପାରିବେ ବୋଲି ଅଭୟ ବର ପାଉଛନ୍ତି  । ବେଗୁନିଆ ଅବକାରୀ ଥାନା ଅଧୀନରେ ଦିନକୁ ଦିନ ଦେଶୀ ମଦ, ବ୍ରାଉନସୁଗାର, ଗଞ୍ଜେଇ, ଭାଙ୍ଗ, ଅଫିମ ଭଳି ନିଶାଦ୍ରବ୍ୟ ଖୋଲା ମେଳାରେ ବିକ୍ରି ହେଉଥିବା ସତ୍ତ୍ୱେ ସବୁ ଜାଣି ହାତବାନ୍ଧି ବସୁଛି ବିଭାଗ । ଅବକାରୀ ମନ୍ତ୍ରୀଙ୍କ ଜିଲ୍ଲାରେ ବେଆଇନ ଭାବେ ବରପଦା,ଏକଡାଳିଆ, ରାସୋଳ,ଚଟୁଆ, ଭୋଗଡା ଆଦି ଗ୍ରାମମାନଙ୍କରେ ପ୍ରଚୁର ଦେଶୀମଦ ରନ୍ଧାଯାଇ ଗାଁ ଗାଁକୁ ଯୋଗାଉଛି । ସେହିଭଳି ଅଧିକ ନିଶା ହେବା ପାଇଁ ମାରାତ୍ମକ କେମିକାଲ ପ୍ରୟୋଗ କରାଯାଉଛି । 
ବେଗୁନିଆ ଅବକାରୀ ଥାନା ଅଧୀନରେ ଯେତିକି ମଦ ପ୍ରସ୍ତୁତ ହେଉଛି ତାହା ନିଅଣ୍ଟ ପଡୁଛି । ଯାହା ଫଳରେ ପଡୋଶୀ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ମାଫିଆମାନେ ଦେଶୀମଦ ଯୋଗାଉଛନ୍ତି । ନିକଟ ଅତୀତରେ ଆଠଗଡ଼ ଅଞ୍ଚଳରୁ ଦେଶୀମଦ ଚାଲାଣ ହୋଇ ବେଗୁନିଆ ଆସୁଥିବା ବେଳେ ଅବକାରୀ ବିଭାଗ ଧରିଥିଲା । ସେହିଭଳି ବେଗୁନିଆ- ବୋଲଗଡ଼ ଅଞ୍ଚଳରେ ଜିଲ୍ଲା ଅବକାରୀ ମୋବାଇଲ ଟିମ ଯେତିକି ସଫଳତା ପାଉଛି, ସେତିକି ବେଗୁନିଆ ଅବକାରୀ ଥାନା ସଫଳତା ପାଇପାରୁନି । ମାସିକିଆ ସବୁ ନୀତି ନିୟମକୁ ଫୁ କରି ଉଡାଇ ଦେଉଛନ୍ତି ବେଗୁନିଆ ଅବକାରୀବାବୁ । ଏଥିପ୍ରତି ଅବକାରୀ କମିଶନରଙ୍କ ସହ ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ବିଷାକ୍ତ ମଦମୃତୁ୍ୟର ଅପବାଦ ବେଗୁନିଆ ନମୁଣ୍ଡେଇବ ସେକଥା କିଏ କହିବ ।