ବୈକୁଣ୍ଠ ସମାନ ଆହା ଅଟେ ସେହି ଘର

“ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର”– ଭକ୍ତକବି ମଧୁସୂଦନ ରାଓଙ୍କର ଏହି ଅମୃତମୟ ପଂକ୍ତିରେ ଘରକୁ ବୈକୁଣ୍ଠପୁର ସହ ତୁଳନୀୟ କରାଯାଇଛି  । ସତରେ ଘର ହିଁ ସ୍ୱର୍ଗ - ଏହି ପ୍ରାଚୀନ ଲୋକମୁଖର କଥାଟି ବାସ୍ତବିକ ବିଲକ୍ଷଣ  । ବୈଦିକ ଭାଷାରେ ବସୁଧୈବ କୁଟୁମ୍ବକମ୍ - ଅର୍ଥାତ୍ ଆମ୍ଭେ ସମସ୍ତେ ବିଶ୍ୱବାସୀ ଗୋଟିଏ କୁଟୁମ୍ବ ଅର୍ଥାତ୍ ଗୋଟିଏ ପରିବାର  । ଘରର ପ୍ରତିଟି ମୁହୂର୍ତ୍ତ ଅତିବାହିତ ହୋଇଥିାଏ ସ୍ନେହ, ଶ୍ରଦ୍ଧା, ତ୍ୟାଗ, ସେବା ଓ ଅତୁଟ ଭଲପାଇବାର ବନ୍ଧନୀରେ  । ସୁଖ-ଦୁଃଖ, ଝଡ଼-ଝଞ୍ଜା, ବିଶ୍ୱାସ-ଅବିଶ୍ୱାସ ଭିତରେ ଆଜି ଭାରତୀୟ ପାରିବାରିକ ବ୍ୟବସ୍ଥା ତଥାପି ଅତୁଟ ରଖିଛି ନିଜର ମୂଲ୍ୟବୋଧ ଓ ଗାରିମାକୁ  । ପାଶ୍ଚାତ୍ୟ ସଂସ୍କୃତିର ମାୟାରେ ଯଦିଓ କିଛିକାଂଶରେ ଏକାନ୍ନବର୍ତ୍ତୀ ଅବସ୍ଥାକୁ ଆସିଛି ବୋଲି ସମାଜ ବିଜ୍ଞାନୀ ଅଭିଯୋଗ କରନ୍ତି ତଥାପି ପରିବାର ବଜାୟ ରଖିଛି ନିଜର ବିଶ୍ୱାସବୋଧତା, ଅନ୍ୟକୁ ସ୍ନେହ, ପ୍ରେମ ବାଣ୍ଟିବାର ଅମାପ ରଜ୍ଜୁରେ  । ଯଥାର୍ଥରେ କୁହାଯାଏ ଘର ହିଁ ସ୍ୱର୍ଗ  । ଘର ହିଁ ଦେବତାଙ୍କ ନିବାସ ଦେବାଳୟ  । ଯେଉଁଠି ପିତାମାତା ଓ ଗୁରୁଜନଙ୍କ ପରି ଦେବତାମାନେ ବିରାଜିତ  । ଆମ ହାତ ପାହାନ୍ତାରେ ଏହି ଜୀବନ୍ତ ଦେବତାମାନେ ଆମ୍ଭମାନଙ୍କୁ ଭଲ ରାସ୍ତା ଦେଖାଇବା ପାଇଁ ସବୁବେଳେ ଆଶୀର୍ବାଦ ପରାମର୍ଶ ଦେଇଥାନ୍ତି  । ଘରର ଗୃହକର୍ତ୍ତା ଭାବେ ଯିଏ ଦାୟିତ୍ୱ ସମ୍ପାଦନ କରିଥାନ୍ତି ତାଙ୍କ ଉପରେ ସବୁବେଳେ ଗୁରୁଦାୟିତ୍ୱ ରହିଥାଏ  । ଗୃହକର୍ତ୍ତାଙ୍କ ପରାମର୍ଶ, ମତାମତ ଓ ମାର୍ଗଦର୍ଶନରେ ଘରଟି ଚାଲିଲେ କୌଣସି ବିପଦ ଆପଦକୁ ଏହା ସମ୍ମୁଖୀନ ହେବାର ଅବକାଶ ମିଳିନଥାଏ  । କଥାରେ ଅଛି - "ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି  ।' ଅର୍ଥାତ୍ ସଂସାରର ଡଙ୍ଗା ବାହିନେବା ବେଳେ ସୁଖ ଓ ଦୁଃଖର ଜୁଆର ଆଉ ଭଟ୍ଟାକୁ ସମ୍ମୁଖୀନ ହେବାକୁ ପଡ଼ିଥାଏ  । କିନ୍ତୁ କୌଣସି ପରିସ୍ଥିତିରେ ଧୈର୍ଯ୍ୟହରା ନହୋଇ ମାନବୀୟ ମୂଲ୍ୟବୋଧକୁ ଆପଣାଇ ସଂସାରର ଦାୟିତ୍ୱବୋଧତାକୁ ସମ୍ପାଦନ କରିବା ହିଁ ଯଥାର୍ଥ ମଣିଷ ପଣିଆ  । 
    ଆଜିର ବସ୍ତୁ ସର୍ବସ୍ୱ ସମୟରେ ପରିବାରର ଚିତ୍ର ବଦଳିଯାଉଛି  । ବ୍ୟସ୍ତବହୁଳ କର୍ମଦାୟିତ୍ୱର ବୋଝ ଭିତରେ ସମସ୍ତେ ପେଶି ହୋଇଯାଉଛନ୍ତି   । ପରିବାର ସହ କିଛି ମୁହୂର୍ତ୍ତ ବାଣ୍ଟିବା ପାଇଁ କାହା ପାଖରେ ବି ଆଉ ସମୟ ନାହିଁ  । ପିଲାଟିଏ ହେଉ ବା ଗୁରୁଜନ ସମସ୍ତଙ୍କ ସହ ସମୟ ବାଣ୍ଟିବାର ଯେଉଁ ଅନାବିଳ ମମତା ତାହା କ'ଣ କେଉଁଠି କେଉଁ ମୂଲ୍ୟରେ ବି ମିଳିପାରିବ ? ସହର ଠାରୁ ଗାଁ ସବୁଠି ଆଜି ପରିବାର ଖାଁ ଖାଁ, ଯେଉଁ ପରିବାରର ଅଗଣାରେ ଦିନ ଥିଲା ଫାଟି ପଡ଼ୁଥିଲା ଖୁସିର ଜୁଆର, ଆନନ୍ଦର ଢ଼େଉ ସେଠି ଆଜି ନିସ୍ତବ୍ଧ ନିର୍ଜନତା  । ପିଲାମାନେ ବଡ଼ ହେଉଛନ୍ତି, ସେମାନଙ୍କ ପାଠସାଠ ଆଉ ଚାକିରି ସବୁକିଛି ବାହାରେ ହେଲେ ସମସ୍ତେ ଭୁଲି ଯାଉଛନ୍ତି ପରିବାରକୁ  । ସହରରେ ବି ପରିବାର ଅଛି କିନ୍ତୁ ସେ ପରିବାର ଭିତରେ କେତେ ରହିଛି ଆନନ୍ଦ, କେତେ ରହିଛି ଖୁସି ଆଉ ସୁଖର ଖୋଲା ମୁହୂର୍ତ୍ତ ସବୁକୁ ? ସୂଚନା ପ୍ରଯୁକ୍ତିର କ୍ରାନ୍ତି ସମସ୍ତଙ୍କୁ ଯୋଡ଼ି ଦେଇଛି କମ୍ପୁ୍ୟଟର, ଲାପ୍ଟପ୍ ଆଉ ମୋବାଇଲର ମାୟା ଭିତରେ  । କିନ୍ତୁ ଏହା ଭିତରେ ଲୁଚି ରହିଛି ପରିବାରକୁ ଖୋଜୁଥିବା ଲୋଡ଼ୁଥିବା କିଛି ମଣିଷମାନେ  । ବର୍ତ୍ତମାନର ସମାଜ ଓ ପରିବର୍ତ୍ତିତ ସମୟର ସୁଅକୁ ଦେଖିଲେ ଲାଗୁଛି ପରିବାର ସବୁ ଭାଙ୍ଗିଯାଉଛି  । ଦିନ ଥିଲା ସର୍ବବୃହତ୍ ଯୌଥ ପରିବାରକୁ ନେଇ ଲୋକମାନେ ଗର୍ବିତ ଅନୁଭବ କରୁଥିଲେ  । ବର୍ତ୍ତମାନ ବି ଅନେକ ସ୍ଥାନରେ ଯୌଥ ପରିବାର ରହିଛନ୍ତି ଯେଉଁଠି ପଚାଶ ଷାଠିଏରୁ ଅଧିକ ସଦସ୍ୟ ଗୋଟିଏ ଛାତ ତଳେ, ଗୋଟିଏ ହାଣ୍ଡିରେ ବି ଖାଉଛନ୍ତି  । କାଳନ୍ଦୀ ଚରଣ ପାଣିଗ୍ରାହୀଙ୍କ "ମାଟିର ମଣିଷ', ବରଜୁ ପ୍ରଧାନଙ୍କ କଥା ଅନୁଯାୟୀ ବିଲରେ ହିଡ଼ ପଡ଼ିନାହିଁ କି ଘରେ ପାଚେରି ଉଠି ନାହିଁ  । ଆଉ ଏହା ହିଁ ହେଉଛି ଯୌଥ ପରିବାରର ସବୁଠାରୁ ବଡ଼ ଶ୍ରଦ୍ଧାଶୀଳ ଲକ୍ଷଣ  । ତଥାପି କିଛି ଏକାର୍ନ୍ନବର୍ତ୍ତୀ ଛୋଟ ଛୋଟ ପରିବାର ରହିଛି  । ସମାଜ ବିଜ୍ଞାନର ଭାଷା ପରିବାରର ସଂଜ୍ଞା ଓ ଧାରାକୁ ବଦଳାଇ ଦେଇଛି  । ଘର ହିଁ ସ୍ୱର୍ଗ  । ଆଉ ଘର ହେଉଛି ସବୁଠାରୁ ଜଣଙ୍କ ପାଇଁ ସୁନ୍ଦର ଓ ସୁରକ୍ଷିତ ଆଶ୍ରୟସ୍ଥଳ  । ଘର ପରି ବୈକୁଣ୍ଠ ଏ ସୃଷ୍ଟିରେ ଆଉ କିଛି ହିଁ ନାହିଁ  । ତଥାପି ଭୁଲବୁଝାମଣାର ବିଭେଦତା ପରିବାର ଭିତରେ ବେଳେବେଳେ ଦୁଃଖ, ଝଡ଼ ଆଉ ଝଞ୍ଜାର କାଳ ବୈଶାଖୀକୁ ସାମ୍ନା କରିଥାଏ  । ତଥାପି କିନ୍ତୁ ବୈକୁଣ୍ଠ ସମାନ ଘର କେବେ ବି ଭାଙ୍ଗି ନଥାଏ  । ଭାଇଚାରା, ଭଲ ପାଇବାର ବନ୍ଧନୀ, ଗୁରୁଜନଙ୍କ ପ୍ରତି ସମ୍ମାନ ଓ ଭକ୍ତି, ଲଘୁଜନଙ୍କ ପ୍ରତି ପ୍ରେମ ଓ କର୍ତ୍ତବ୍ୟର ଦାୟିତ୍ୱ ବୋଧତା ଗୋଟିଏ ରଜ୍ଜୁରେ ସମସ୍ତଙ୍କୁ ବାନ୍ଧିଥାଏ  ।  ଆଜି  ବିଶ୍ୱ ପରିବାର ଦିବସ ଅବସରରେ ବୈକୁଣ୍ଠ ସମାନ ଘରର ମୂଲ୍ୟବୋଧକୁ ଅନୁଭବ କରି ପରିବାରର ସମ୍ମାନ, ସଂସ୍କାର ଓ ପରମ୍ପରାକୁ ଉଜ୍ଜୀବିତ କରି ଯଥାର୍ଥ ମାନବୀୟ ଜୀବନକୁ ପ୍ରତିପାଦନ କଲେ ଏହା ହିଁ ହେବ ପରିବାର ପ୍ରତି ଶ୍ରେଷ୍ଠ ଦାୟିତ୍ୱବୋଧତା  ।  
ମୋ : ୯୪୩୭୦୫୧୯୫୭