ବୈଶିଙ୍ଗାରେ ଶୀତଳ ଭଣ୍ଡାର ସ୍ଥାପନ ଦାବି

 ବୈଶିଙ୍ଗା : ଚାରିଆଡେ ଚାଲିଛି ବିକାଶର ନାରା କିନ୍ତୁ ତାହା କେବଳ କାଗଜ କଲମରେ ସିମିତ ହୋଇରହିଯାଇଛି  । ପୂର୍ବ ସରକାର ଯେମିତି ଚାଷୀଙ୍କୁ ଭଣ୍ଡେଇ ଚାଲିଥିଲେ , ନୂଆ ବିଜେପି ସରକାର ମଧ୍ୟ ସେଇ ଧାରାରେ ଚାଲିଥିବାର ଅଭିଯୋଗ ହେଉଛି । ମାତ୍ର ଚାଷୀ, ଚାଷ ଓ କୃଷି ଉତ୍ପାଦିତ ସାମଗ୍ରୀର ବିକ୍ରୀ କରିବା ପାଇଁ ବଜାର ସୃଷ୍ଟି କରିବା ଏବଂ କୃଷି  ଉତ୍ପାଦିତ ସାମଗ୍ରୀର ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ଶୀତଳ ଭଣ୍ଡାର ସରକାର ନିର୍ମାଣ ନକରାଇବା ଚାଷୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି  । କାଳିଆ, ବଳିଆ ଯୋଜନା ସହିତ ଟଙ୍କିକିଆ ଚାଉଳ ପାଇଁ କୃଷି ଶ୍ରମିକ ମାନେ କ୍ଷେତରେ ଶ୍ରମ କରିବା ପରିବର୍ତ୍ତେ ବୁଲି ବୁଲି ସମୟକୁ ବିତାଇ ଦେଉଛନ୍ତି । ଏଥିପାଇଁ କୃଷି ଉତ୍ପାଦନ କମୁଛି  । ଋତୁ ଉପଯୋଗୀ ହେଉଥିବା ପନିପରିବା ଚାଷରୁ ଉତ୍ପାଦିତ ସାମଗ୍ରୀ ସାଇତି ରଖିବା ପାଇଁ  ଶୀତଳ ଭଣ୍ଡାର ଆବଶ୍ୟକତାକୁ ଗୁରୁତ୍ୱ ଦେବାକୁ ଦାବି ହେଉଛି । ମୂଖ୍ୟତଃ ଆଳୁ, ବାଇଗଣ, ବିଲାତି, ଭେଣ୍ଡି, ଜହ୍ନି  ଆଦି ପରିବା ଅଧିକ ଦାମରେ ବିକ୍ରି ହେଉଛି  । ବୈଶିଙ୍ଗା ଠାରେ  ଶୀତଳ ଭଣ୍ଡାର ନିର୍ମାଣ ହୋଇଥିଲେ  ବୁଢାବଳଙ୍ଗ, ଗଙ୍ଗାହାର ଅବବାହିକାରୁ ଉତ୍ପାଦିତ ହେଉଥିବା ପନିପରିବା ଜିଲ୍ଲା ଏବଂ ଜିଲ୍ଲା ବାହାରକୁ ଯୋଗାଇବା ପରେ ମଧ୍ୟ ବଳକା ପନି ପରିବା ସାଇତା ଯାଇ ପାରନ୍ତା  । ମାତ୍ର ଶୀତଳ ଭଣ୍ଡାର ଅଭାବରୁ ବଳକା ପନିପରିବା ପଚି ସଢି ନଷ୍ଟ ହୋଇଯାଉଛି । ଏଥି ପାଇଁ ଚାଷୀ ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡୁଛି । ଯାହା ଫଳରେ  ଚାଷୀ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ବିଭିନ୍ନ ଯୋଜନାରେ ପୂର୍ବ ସରକାର କୋଟି କୋଟି ଟଙ୍କାର ଅଯଥା ଖର୍ଚ୍ଚ କରିଥିବା ବେଳେ ଚାଷୀଙ୍କ ସୁବିଧା କୁ ଭୁଲି ଯାଇଥିଲେ  । ନୂଆ ସରକାର ଯେପରି ଏଫଏକୁ୍ୟ ଧାନ ଟ୩୧୦୦ଙ୍କାରେ  କିଣିବେ ବୋଲି ଘୋଷଣା କରିବା ଏବଂ ଖରିଫ୍ ଓ ରବି ଧନକୁ କିଣିଥିବା ଯୋଗୁଁ ଧାନ ଚାଷ ପ୍ରତି ଆଗ୍ରହ ବଢିଯାଇଛି । ଏହାର ପ୍ରମାଣ ଚଳିତ ବର୍ଷ ରବି ଧାନ ଚାଷ ଆକଳନରୁ ଜଣାଯାଇଛି  । ସେହିଭଳି ପନିପରିବାର ବଜାର ସୃଷ୍ଟି ପାଇଁ ଶୀତଳ ଭଣ୍ଡାର କରାଯାଇ ପାରିଲେ ଚାଷୀଙ୍କ ମାନଦଣ୍ଡ ମଜବୁତ ହୋଇପାରିବ  ।