ଭଦ୍ରେଶ୍ୱର ପିଏଚ୍ସିରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

ନିଶ୍ଚିନ୍ତକୋଇଲି: : ଭଦ୍ରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ଏଠାରେ ନିତିଦିନ ଡାକ୍ତର ରହୁ ନଥିବାରୁ ଫାର୍ମାସିଷ୍ଟ ଭରସାରେ ଚାଲିଛି ରୋଗୀ ସେବା । ଯାହାଫଳରେ ରୋଗୀ ଉପଯୁକ୍ତ ସେବା ପାଇବାରୁ ବଞ୍ଚôତ ହେଉଛନ୍ତି । 
ପ୍ରକାଶ ଯେ, ଭଦ୍ରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ୧୯୭୯ ମସିହାରେ ସ୍ଥାପନ କରାଯାଇଥିଲା । ଏହା ଉପରେ ମାହାଙ୍ଗା ବ୍ଲକର ୭ଟି ପଂଚାୟତ ଓ ପଡୋଶୀ ଡେରାବିଶି ବ୍ଲକର ବିଭିନ୍ନ ପଂଚାୟତର ଜନସାଧାରଣ ଚିକିତ୍ସା ନିମନ୍ତେ ନିର୍ଭର କରିଥାଆନ୍ତି । ସ୍ଥାପନ ହେବା ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସରକାରୀ ଡାକ୍ତରଖାନାଟି ସରକାରୀ ନିୟମାନୁସାରେ ଖୋଲେ ନାହିଁ । ଅନେକ ସମୟରେ ଫାର୍ମାସିଷ୍ଟ ରୋଗୀ ଚିକିତ୍ସା କରିଥାଆନ୍ତି  ।ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଜଣକ ସପ୍ତାହରେ ତିନି ଦିନ ଧରି ଡାକ୍ତରଖାନାକୁ ଆସୁଥିବା ବେଳେ ସକାଳ ୯.୩୦ରେ ଆସି ୧.୩୦ ସମୟରେ ଡାକ୍ତରଖାନା ଛାଡିଥାଆନ୍ତି । ଏପରିକି ଅନ୍ୟ ଦିନମାନଙ୍କରେ ଫାର୍ମାସିଷ୍ଟ ଅନୁପସ୍ଥିତ ରହିଲେ ଡାକ୍ତରଖାନାରେ ତାଲା ଝୁଲୁଥାଏ । ଯାହାଫଳରେ ରୋଗୀମାନେ ଚିକିତ୍ସା ପାଇଁ ହନ୍ତସନ୍ତ ହୋଇଥାନ୍ତି । ଏବଂ ଘରୋଇ ଡାକ୍ତରଖାନା ଏବଂ ମେଡିସିନ୍ ଷ୍ଟୋର ଉପରେ ନିର୍ଭର କରିଥାଆନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ବିଗତ ସରକାରଙ୍କ ଅମଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଡାକ୍ତରଖାନା ପରିବେଶ ଓ ବାତାବରଣକୁ ପରିବର୍ତ୍ତନ କରିଥିବାବେଳେ ଏଠାରେ ସରକାରୀ ଅର୍ଥ ଖର୍ଚ୍ଚ ହୋଇ ମଧ୍ୟ ଡାକ୍ତରଖାନା ପରିବେଶ ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳୁଛି ।  ଏ ସଂପର୍କରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କିମ୍ବା ସ୍ୱାସ୍ଥ୍ୟ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ । ଆଗାମୀ ଦିନରେ ଉକ୍ତ ସରକାରୀ ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ପରୀକ୍ଷା ପାଇଁ ଦାବି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଏଥିରେ ବୈମାତୃକ ମନୋଭାବ ପୋଷଣ କଲେ ଆଗାମୀ ଦିନରେ ଜନ ଆନେ୍ଦାଳନ ମୁଣ୍ଡ ଟେକିବାର ସମ୍ଭାବନା ରହିଛି ।