ଭୋଜି ବେଳେ ହଣାହଣି ; ଉଭୟ ପକ୍ଷରୁ ୭ ଗିରଫ
ଭୁବନେଶ୍ୱର, ୨୬ା୮ : ରବିବାର ଚନ୍ଦକା ଥାନା ଅଧିନ ଡେରାସ ଡ୍ୟାମରେ ଦୁଇ ଗୋଷ୍ଠି ଭୋଜି କରୁଥିବା ସମୟରେ ମଦପି ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ପରେ ଏହି ଗଣ୍ଡଗୋଳ ଉଗ୍ରରୂପ ନେବା ସହ ଉଡିଥିଲା ହଣ୍ଡା ହାଣ୍ଡି, ଆରମ୍ଭ ହୋଇଥିଲା ଉଭୟଙ୍କ ଭିତରେ ପିଟାପିଟି ସହ ହଣାହଣି । ଏହି ଆକ୍ରମଣରେ ଉଭୟ ପକ୍ଷରୁ ୪ ଜଣ ଆହତ ହୋଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିବା ସହ ୩ ଜଣଙ୍କୁ ଚିକିତ୍ସା ପାଇଁ ମେଣ୍ଢାଶାଳ ହସ୍ପିଟାଲକୁ ପଠାଇଥିଲା । ଏନେଇ ଉଭୟ ପକ୍ଷରୁ ଚନ୍ଦକା ଥାନାରେ ଅଭିଯୋଗ ହୋଇଥିଲା । ଉଭୟ ଅଭିଯୋଗକୁ ଆଧାର କରି ପୁଲିସ ଉଭୟ ପକ୍ଷରୁ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ୭ ଅଭିଯୁକ୍ତ ହେଲେ, ମେଣ୍ଢାଶାଳର ସୂର୍ଯ୍ୟ କୁମାର ବଳିଆର ସିଂ, ବିପିନ୍ କୁମାର ସତପଥୀ, ପିତାପଲ୍ଲୀର ଲିପୁନା ପରିଡ଼ା, ଲିଙ୍ଗରାଜ ପ୍ରଧାନ, ବିକ୍ରମ ପ୍ରଧାନ, ଗଣେଶ୍ୱର ପଧାନ ଓ ସଞ୍ଜୀବ୍ ପ୍ରଧାନ ।
ସୂଚନା ଯୋଗ୍ୟଯେ, ରବିବାର ଦିନ ଚନ୍ଦକା ଥାନା ଅଧିନ ଡେରାସ ଡ୍ୟାମ ଠାରେ ମେଣ୍ଢାଶାଳ ଓ ପିତାପଲ୍ଲୀ ଅଞ୍ଚଳର ଦୁଇ ଗୋଷ୍ଠି ଭୋଜି କରୁଥିଲେ । ସମସ୍ତେ ମଦ ପିଇବା ସହ ଉଭୟଙ୍କ ଭିତରେ ମଜା ଚଳାଇଥିଲେ । ଏହି ସମୟରେ କୌଣସି ଏକ କଥାକୁ ନେଇ ଉଭୟଙ୍କ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ପରେ ନିଜ ଭିତରେ ଲୋକାଲ ପିଲାର ପରିଚୟ ଦେଇ ଆରମ୍ଭ ହୋଇଥିଲା ବାଡିଆପିଟା । ଏହି ସମୟରେ କିଛି ଯୁବକ ଖଣ୍ଡା, ଭୁଜାଲି ଓ ଲୁହା ଛଡ଼ରେ ଉଭୟଙ୍କ ମଧ୍ୟରେ ଆକ୍ରମଣ କରିବା ଆରମ୍ଭ କରିଥିଲେ । ଏହି ଖବର ଚନ୍ଦକା ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିବା ସହ ଆହତଙ୍କୁ ହସ୍ପିଟାଲ ପଠାଇଥିଲା । ପରେ ଉଭୟ ପକ୍ଷରୁ ଚନ୍ଦକା ଥାନାରେ ଅଭିଯୋଗ ପରେ ପୁଲିସ ଉଭୟଙ୍କ ମାମଲା ରୁଜୁକରି ୭ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।