ଭଡ଼ାଟିଆ ସୈନ୍ୟବାହିନୀ
ମାୟାଧର ନାୟକ: ଭଡ଼ାଟିଆ ଶବ୍ଦ ସମଗ୍ରବିଶ୍ୱରେ ଘରେଘରେ ପ୍ରଚଳିତ । ବହୁ ଜିନିଷ, ବ୍ୟକ୍ତିଙ୍କୁ ଭଡାରେ ଆଣି କାମ ଚଳାଯାଏ । ବିନିମୟରେ ଅର୍ଥ ଖର୍ଚ୍ଚ କରିବାକୁ ପଡ଼େ । ମୂର୍ଖଠାରୁ ପାଠୁଆପର୍ଯ୍ୟନ୍ତ, ଭିକାରିଠାରୁ କୋଟିପତିପର୍ଯ୍ୟନ୍ତ ‘ଭଡା’ ବିନା ଚଳିପାରିବେନାହିଁ । କିନ୍ତୁ ଭଡ଼ାଟିଆ ସୈନ୍ୟବାହିନୀ କଥାଟା ଅଧିକାଂଶ ଜାଣିନାହାଁନ୍ତି । ଏବେ କିନ୍ତୁ ରୁଷରେ ଭଡ଼ାଟିଆ ସୈନ୍ୟବାହିନୀ ଘଟଣା ହାଟରେ ପଡି ଦାଣ୍ଡରେ ଗଡଗଡ ହେଉଛି । ସଂପ୍ରତି ରୁଷିଆରେ ୱାଗନର ସେନାବାହିନୀର ଅଭ୍ୟୁତ୍ଥାନ୍ ଏବଂ ମସ୍କୋ ଦଖଲପାଇଁ ଆଗେଇଯିବା ପୃଥିବୀ ଇତିହାସରେ ବିରଳ । ରକ୍ତବୃତ୍ତର ପରିଧିରେ ରୁଷ ଆତଙ୍କିତ ହୋଇପଡିଛି ।
ପ୍ରାୟ ୫୦ହଜାର ଦୁର୍ଦ୍ଦାନ୍ତ ଭୟଙ୍କର ଭଡ଼ାଟିଆ ସୈନ୍ୟବାହିନୀର ମୁଖ୍ୟ ପ୍ରିଗୋଜିନ୍ ଦିନେ ପୁଟିନ୍ଙ୍କର ରୋଷେୟା ଥିଲେ । ଘଟଣାଚକ୍ରରେ ସେ ପ୍ରାଇଭେଟ୍ ଆର୍ମି ଗଢିତୋଳିଥିଲେ । ସଫଳ ବ୍ୟବସାୟୀ ପାଲଟିଲେ ବଡ଼ ହୋଟେଲକରି । ତାଙ୍କ ଖାଦ୍ୟର ମହକରେ ସମସ୍ତେ ଟାଣିହୋଇ ଆସୁଥିଲେ । ସେ ପୁଟିନ୍ଙ୍କର ବନ୍ଧୁ ପାଲଟିଗଲେ । ପୁଟିନ୍ ତାଙ୍କୁ ସ୍କୁଲପିଲା ଓ କର୍ମଚାରୀ ଖାଦ୍ୟଯୋଗାଣ ଦାୟିତ୍ୱ ଦେଲେ । ଧନୀରୁ ମହାଧନୀ ହୋଇଗଲେ । ରୁଷ-ୟୁକ୍ରେନ୍ ଯୁଦ୍ଧରେ ପୁଟିନ୍ ତାଙ୍କ ଭଡ଼ାଟିଆ ସୈନ୍ୟବାହିନୀକୁ ଯୁଦ୍ଧକୁ ପଠାଇଲେ । ପ୍ରତିବଦଳରେ ବହୁ ଅର୍ଥ ଦେବାକୁ ପଡୁଥିଲା । ଯେଉଁ ଭଡ଼ାଟିଆ ସୈନ୍ୟବାହିନୀର ମୁଖ୍ୟ ପୁଟିନଙ୍କ ଆଖିର ମଣି ଥିଲେ – ସେଇ ସୈନ୍ୟବାହିନୀ ବନ୍ଧୁଙ୍କର ନଳି ପୁଟିନ୍ ଆଡକୁ ଘୂରେଇଦେଲେ – ଏହା ବାସ୍ତବିକ ଅନେକଙ୍କୁ ହତଚକିତ କରିଦେଇଛି । ଆଦିମକାଳରୁ ବିଭିନ୍ନ ଦେଶରେ ଭଡ଼ାଟିଆ ସୈନ୍ୟମାନେ ଯୁଦ୍ଧ କରିବାର ମୂଳଲକ୍ଷ୍ୟ ଅର୍ଥ । ଭଡ଼ାଟିଆ ସୈନ୍ୟଙ୍କର କୌଣସି ପକ୍ଷ ନାହିଁ – କୌଣସି ରଙ୍ଗ ନାହିଁ । କୁରୁକ୍ଷେତ୍ର ଯୁଦ୍ଧରେ ନାରାୟଣୀ ସେନା କେଉଁପକ୍ଷରେ ରହିବେ – ୟାକୁ ନେଇ ବହୁ ଘଟଣା ଘଟିଯାଇଛି ।
ଏବେ ସୈନ୍ୟମାନଙ୍କୁ ଦେଶପ୍ରେମୀ କହିହେବନି । ଏମାନେ ଚାକିରିଆ – ଭଡ଼ାଟିଆ । ବିଶ୍ୱବ୍ୟାପୀ ସବୁ ବଡ଼ÿବଡ଼ÿ ଦେଶରେ ଭଡ଼ାଟିଆ ସୈନ୍ୟ ରଖୁଛନ୍ତି । ଯେମିତି ଶିଳ୍ପପତିମାନେ ପ୍ରାଇଭେଟ୍ ସିକ୍ୟୁରିଟି ରଖନ୍ତି । କେହି କାହାକୁ ହତ୍ୟାକରିବା ପାଇଁ ମଧ୍ୟ ଭଡ଼ାରେ ‘କିଲର୍’ ମିଳନ୍ତି । ଭଡ଼ାଟିଆମାନଙ୍କୁ ଯିଏ ଅଧିକ ଅର୍ଥ ଦେବେ ସେ ସେଇଆଡ଼େ ପଳେଇଯିବେ ।
ପୁଟିନ୍ ନିଜକୁ ସବୁବେଳେ ‘ହିରୋ’ ମନେକରୁଥିଲେ । ତାଙ୍କ ରାଜତ୍ୱରେ ଦୁଇନମ୍ବର ବ୍ୟକ୍ତିର ସ୍ଥାନ ନାହିଁ । ଏକଦା ପୁଟିନଙ୍କର ଘନିଷ୍ଠ ବନ୍ଧୁ ପ୍ରିଗୋଜିନ୍ ହିଁ ବିଦ୍ରୋହର ନାୟକ । ସେ ବହୁ ଦୁର୍ନୀତି ଓ ଅପରାଧରେ ଜେଲ ଗଲେ । ଜେଲରେ ଦୁର୍ଦ୍ଦାନ୍ତ ଗୁଣ୍ଡା ଓ ବନ୍ଦୀଥିବା ସୈନ୍ୟମାନଙ୍କୁ ନେଇ ଘରୋଇ ସୈନ୍ୟବାହିନୀ ୱାଗନର ଗ୍ରୁପ୍ ଗଠନ କଲେ । ଏହି ଗ୍ରୁପ୍କୁ ମଧ୍ୟ ପୁଟିନ୍ ଲିବ୍ୟା, ସିରିଆ, ମାଲି ଆଦି ଅନେକ ଦେଶରେ ଯୁଦ୍ଧକାର୍ଯ୍ୟରେ ଭଡ଼ାରେ ନେଇଥିଲେ । ରୁଷ-ୟୁକ୍ରେନ୍ ଯୁଦ୍ଧରେ ମଧ୍ୟ ଏହି ଭଡ଼ାଟିଆ ଦୁର୍ଦ୍ଦାନ୍ତ, ନରଖାଦକ ସୈନ୍ୟକୁ ପୁଟିନ୍ ନିୟୋଜିତ କରିଥିଲେ । ରୁଷିଆ ସୈନ୍ୟମାନେ ୱାଗନର୍ ଗ୍ରୁପ୍ ସୈନ୍ୟଛାଉଣୀରେ ଆକ୍ରମଣ, ହଜାରହଜାର ସଂଖ୍ୟାରେ ରୁଷିଆ ସୈନ୍ୟଙ୍କ ମୃତ୍ୟୁ, ରକ୍ଷାମନ୍ତ୍ରୀ, ମିଲିଟାରୀ ଜେନେରାଲଙ୍କ ଅପାରଗତା ବିରୋଧରେ ସ୍ୱରଉତୋଳନକରି ପ୍ରିଗୋଜିନ୍ ପୁତିନ୍କୁ ହୁସିଆରିବାଣୀ ଶୁଣାଇଥିଲେ । ସମୟକ୍ରମେ ପୁଟିନ୍-ପ୍ରିଗୋଟିନ୍ଙ୍କ ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ବଢିଚାଲିଲା । ଯେଉଁଠି ପାରସ୍ପରିକ ସନେ୍ଦହ, ଅବିଶ୍ୱାସର ବାତାବରଣ ସୃଷ୍ଟିହୁଏ, ସେ ଦେଶର ପତନ ଅବଶ୍ୟମ୍ଭାବୀ ।
ଯେଉଁ ରୁଷ ଦିନେ ସାରାବିଶ୍ୱକୁ ଚମକାଇଦେଇ ସାମ୍ରାଜ୍ୟବାଦ, ପୁଞ୍ଜିବାଦର ବକ୍ଷବିଦାରି ସମାଜବାଦ ପ୍ରତିଷ୍ଠା କରିଥିଲା ୧୯୧୭ ମସିହାରେ, ଏବେ ସେଠାରେ ୧୦୬ବର୍ଷ ପରେ ସମାଜବାଦକୁ କବରଦେଇ ଦୀର୍ଘ ୨୩ବର୍ଷ ହେଲା ସାମ୍ରାଜ୍ୟବାଦୀ, ଫାସିବାଦୀ ଶାସନ ବିରୁଦ୍ଧରେ ପ୍ରଳୟଙ୍କର ବିଦ୍ରୋହ । ମହାନ୍ ବୈଜ୍ଞାନିକ, ଦାର୍ଶନିକ କାର୍ଲ ମାର୍କ୍ସଙ୍କ ତତ୍ୱକୁ ନୀତିଆଦର୍ଶ ଭାବେ ଗ୍ରହଣ ଓ କାର୍ଯ୍ୟକାରୀ କରି ମହାନ୍ ମାର୍କ୍ସବାଦୀ ଲେନିନ୍, ଷ୍ଟାଲିନ୍ ନଭେମ୍ବର ବିପ୍ଲବକରି ରୁଷରେ ସମାଜବାଦ ପ୍ରତିଷ୍ଠା କରିଥିଲେ । ସେତେବେଳେ ରୁଷର ୧୬ଟି ରାଜ୍ୟ ଅଲଗାଅଲଗା ଥିଲେ । ସମସ୍ତଙ୍କୁ ଏକତ୍ରକରି ସୋଭିଏତ୍ ୟୁନିୟନ୍ ଅଫ୍ ରୁଷ ଗଠନ କଲେ । ସେ ସମୟରେ ୟୁକ୍ରେନ୍ ମଧ୍ୟ ରୁଷରେ ଥିଲା । ରୁଷ ପ୍ରଭାବରେ ପୂର୍ବ ୟୁରୋପର ଦେଶେଦେଶେ ସମାଜବାଦୀ ରାଷ୍ଟ୍ର ମୁଣ୍ଡଟେକିଲେ । ୧୯୫୦ ମସିହାରେ ଏସିଆ ମହାଦେଶର ଚୀନରେ ମହାନ୍ କ୍ରାନ୍ତିକାରୀ ମାଓ-ସେ-ତୁଙ୍ଗଙ୍କ ନେତୃତ୍ୱରେ ସମାଜବାଦ ପ୍ରତିଷ୍ଠା ହେଲା । ଏବେ ସେ ଚୀନରେ ସମାଜବାଦ ବଦଳରେ ପୁଞ୍ଜିବାଦ ପ୍ରବେଶ କରିଛି । ରୁଷ ରାଷ୍ଟ୍ରପତି ପୁଟିନଙ୍କ ୨୩ବର୍ଷ ଶାସନକାଳରେ ସବୁଠୁ ବଡ଼ ବିପର୍ଯ୍ୟୟ ତାଙ୍କ ନିଜ ବନ୍ଧୁ ବ୍ୟବସାୟୀ ୫୦ହଜାର ଘରୋଇ ଦୁର୍ଦାନ୍ତ ସୈନ୍ୟ ୱାଗନର ଗ୍ରୁପର ମୁଖ୍ୟ ପ୍ରିଗୋଜିନ୍ଙ୍କ ପଛପଟୁ ଛୁରିକାଘାତ । କମ୍ୟୁନିଷ୍ଟ ରାଷ୍ଟ୍ର ରୁଷରେ ମଧ୍ୟ ପୂର୍ବରୁ ବହୁ ରାଷ୍ଟମୁଖ୍ୟଙ୍କୁ ନାଟକୀୟ ଢଙ୍ଗରେ ଗାଦିଚ୍ୟୁତ କରାଯାଇଛି । ଏହା ଇତିହାସର ପୁନରାବୃତ୍ତି । ହଠାତ୍ ବିଦ୍ରୋହରେ ପୁଟିନ୍ ଛାନିଆ ହୋଇପଡିଛନ୍ତି । ପୁଟିନ୍ଙ୍କ ସ୍ୱପ୍ନ ଭାଙ୍ଗି ଚୂରମାର୍ ହୋଇଯାଇଛି । ରୁଷ ଜନଗଣ ବର୍ତମାନ ଦୁଇଭାଗରେ ବିଭକ୍ତ । ମସ୍କୋରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି । ୱାଗନର ଗ୍ରୁପର ୫୦ହଜାର ସୈନ୍ୟ ରକ୍ତମୁଖା । ଏ ଗୃହଯୁଦ୍ଧ କେଉଁଠି ପହଂଚିବ – ତାହା ଆଗକୁ ଜଣାପଡିବ । ଏ ଅବସ୍ଥାରେ ୟୁକ୍ରେନ୍, ଆମେରିକା, ‘ନାଟୋ’ ଦେଶସମୁହ ଯାହା ଚାହୁଁଥିଲେ – ରୁଷରେ ସେ ଘଟଣାମାନ ଘଟିଚାଲିଛି । ପୁଟିନ୍ ଯେକୌଣସି ମୁହୂର୍ତ୍ତରେ ଭସ୍ମାସୁର ପାଲଟିଯାଇପାରନ୍ତି । ସଂପ୍ରତି ‘ନାଟୋ’ ଦେଶମାନେ ଯୁଦ୍ଧର ହୁଙ୍କାର ଦେଲେଣି ।
୨୦୨୨ ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ପୁଟିନ୍ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲେ । ୧୬ମାସ ୟୁକ୍ରେନରେ ରକ୍ତତାଣ୍ଡବ ନୃତ୍ୟକରି ମଧ୍ୟ ୨ଦିନରେ ଜୟଲାଭ ସ୍ୱପ୍ନ ଭାଙ୍ଗିଯାଇଛି । ନିଜ ଦେଶରେ ସଶସ୍ତ୍ର ବିଦ୍ରୋହର ସମ୍ମୁଖୀନ । ବିଦ୍ରୋହୀମାନେ ରୁଷିଆର ସେନାମୁଖ୍ୟ କାର୍ଯ୍ୟାଳୟକୁ ଦଖଲ କରିନେଲେ । ୨୫ହଜାର ଦୁର୍ଦ୍ଧର୍ଷ ଭଡ଼ାଟିଆ ସୈନ୍ୟବାହିନୀ ମସ୍କୋଆଡକୁ ମାଡିଚାଲିଲେ । ରୁଷିଆରେ ପୁଟିନଙ୍କର ଏକଛତ୍ରବାଦୀ ଶାସନ ବିରୁଦ୍ଧରେ ପ୍ରିଗୋଜିନ୍ ରାଗିଯାଇଥିଲେ । ପୁଟିନଙ୍କୁ ଗାଦିଚ୍ୟୁତ କରିବାକୁ ଘୋଷଣା କରିଥିଲେ । ଏ ଗୃହଯୁଦ୍ଧ ସାମୟିକ ଭାବେ ମଧ୍ୟସ୍ଥିଙ୍କ ଦ୍ୱାରା ବନ୍ଦ ରହିଛି - କିନ୍ତୁ ଯୁଦ୍ଧ ସରିନି । ପୁଟିନଙ୍କ ବନ୍ଧୁ ବେଲାରୁଷ ରାଷ୍ଟ୍ରପତି ଲୁକାଶୋଙ୍କ ମଧ୍ୟସ୍ଥତାରେ ଚୁକ୍ତି ହୋଇଛି । ପ୍ରିଗୋଜିନ୍ଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି । ସେ ଏବଂ ତାଙ୍କ ସୈନ୍ୟବାହିନୀ ବେଲାରୁଷରେ ରହିବେ । ଆଣବିକ ଯୁଦ୍ଧର ଧମକ ଦେଉଥିବା ଏକଛତ୍ରବାଦୀ, ଫାସିଷ୍ଟ ପୁଟିନ୍ ସବୁଠୁ ବଡ଼ ବିପଦରେ ସମ୍ମୁଖୀନ । ଏକଦା ଜର୍ମାନୀର ଫାସିଷ୍ଟ ହିଟଲର୍ ରୁଷ ଦଖଲ କରିବାକୁ ଆସି ଷ୍ଟାଲିନ୍ଙ୍କ ନେତୃତ୍ୱରେ ୨ୟ ବିଶ୍ୱଯୁଦ୍ଧରେ ହାରିଗଲା । ହିଟଲର ଆତ୍ମହତ୍ୟା କଲା । ଏବେ ସେଇ ରୁଷରେ ଫାସିଷ୍ଟ ପୁଟିନଙ୍କୁ ନିଜଦେଶର ଭଡ଼ାଟିଆ ସୈନ୍ୟବାହିନୀଙ୍କ ସହ ମୁକାବିଲା କରିବାକୁ ହେଉଛି । ପୁଟିନଙ୍କ ମୁଣ୍ଡ ଆଉ କାମ କରୁନି । ସେ କାହାକୁ ବିଶ୍ୱାସ କରୁନାହାଁନ୍ତି । ବେଲାରୁଷ ରାଷ୍ଟ୍ରପତିଙ୍କ ମଧ୍ୟସ୍ଥିରେ କିଛିସମୟ ପାଇଁ ଗୃହଯୁଦ୍ଧ ବିରତି ରହିଛି । ପୁଣି ସଜବାଜହୋଇ ଯେକୌଣସି ମୁହୂର୍ତ୍ତରେ ରୁଷିଆ ବିରୁଦ୍ଧରେ ଗରିଲାଯୁଦ୍ଧ ହୋଇଯାଇପାରେ ।
ଆମେରିକାର ସବୁଦେଶରେ ନାକ ଗଳାଇବାର ଅଭ୍ୟାସ ଅଛି । ରୁଷ ବିରୁଦ୍ଧରେ ୱାଗନର ଗ୍ରୁପ୍କୁ ଲଗାଇବାଭଳି ଚୀନ୍କୁ ଦବାଇବାପାଇଁ ଆମେରିକା ପ୍ରାଣପଣେ ଲାଗିଯାଇଛି । ଚୀନ୍ ମଧ୍ୟ ଭଡ଼ାଟିଆ ସୈନ୍ୟ ରଖିଛି । ଭାରତ ସରକାର କିଛି ବୁଝିପାରୁନି । ଖାଲି ଭାଷଣରେ ଯୁଦ୍ଧ ଡାକରା ଦେଉଛନ୍ତି । ଏହା ଭାରତ ପାଇଁ ଘାତକ ହୋଇପାରେ ।
ଋୁଷ ବିରୋଧରେ ଆମେରିକା -‘ନାଟୋ’ର ୩୨ଟି ଦେଶ ୟୁକ୍ରେନକୁ ସହଯୋଗ କରୁଛନ୍ତି । ଆମ ଭାରତବର୍ଷ ରୁଷିଆରୁ ଡିଜେଲ ଆଣୁଥିବାରୁ ବିରୋଧକରିପାରୁନି । ୟୁକ୍ରେନକୁ ସାହାଯ୍ୟ କରିବା ଦୂରର କଥା । ସାରାବିଶ୍ୱ ବର୍ତମାନ ରୁଷିଆ ଉପରେ ନଜର ରଖିଛି । ଯଦିଓ ଏ ଗୃହଯୁଦ୍ଧ, ରକ୍ତତାଣ୍ଡବ ରୁଷିଆରେ ଦୁଇଗୋଷ୍ଠୀ ମଧ୍ୟରେ ଚାଲିଛି – କେତେକ ଦେଶ ଏହାକୁ ଉପରେ ଉପରେ ଆଭ୍ୟନ୍ତରୀଣ ସମସ୍ୟା କହି ଭିତରେ ଭିତରେ ରୁଷିଆର ଧ୍ୱଂସ ଚାହୁଁଛନ୍ତି । ଧ୍ୱଂସସ୍ତୂପରେ ପରିଣତ ହୋଇଥିବା ୟୁକ୍ରେନ୍ ରୁଷିଆର ଏ ଦୁର୍ଦ୍ଦଶା ଦେଖି ଖୁସିହେବା ସ୍ୱାଭାବିକ ।
ଯୁଦ୍ଧ କିନ୍ତୁ ସରିନି । ସମଗ୍ର ବିଶ୍ୱ ବର୍ତ୍ତମାନ ଯୁଦ୍ଧମୁହାଁ । ଯେକୌଣସି ମୁହୂର୍ତ୍ତରେ ୩ୟ ବିଶ୍ୱଯୁଦ୍ଧ ଲାଗିଯାଇପାରେ । ପୁଟିନ୍ ପାଗଳହୋଇ ଯଦି ରାଗରେ ଆଣବିକବୋମା ବଟନ୍ ଦବେଇ ଦିଅନ୍ତି – ତା’ହେଲେ ସମଗ୍ର ବିଶ୍ୱରେ ଘୋର ବିପର୍ଯ୍ୟୟ ଘଟିବ । ବିଶ୍ୱଧ୍ୱଂସର କାରଣ ହେବ । ରୁଷିଆକୁ ଅଟକାଇବାକୁ ହେବ । ହେଲେ ଅଟକାଇବ କିଏ? ଚୀନ୍, ଉତ୍ତର କୋରିଆ ପାଖରେ ଆଣବିକ ବୋମା ଅଛି । ସେମାନେ ପରୋକ୍ଷରେ ରୁଷିଆକୁ ସମର୍ଥନ ଦେଉଛନ୍ତି । ଏ ତିନିଦେଶ ପାଖରେ ଯାହା ଆଣବିକବୋମା ଅଛି - ଅନ୍ୟ ଦେଶସମୂହ ନିକଟରେ କମ୍ ଅଛି । ଆଜି ବିଜ୍ଞାନ ବିକାଶର ରାସ୍ତାରୁ ବିନାଶର ରାସ୍ତାରେ ପାଦଦେଇଛି । ସତେ କ’ଣ ପୃଥିବୀର ଜୀବଜଗତ ଧ୍ୱଂସ ପାଇଯିବେ?
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩